ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍‌ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍‌ କରିବାକୁ କହିବାରୁ ଦୁଇଜଣ ଅସାମାଜିକ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ଧରିତ୍ରୀ ଲାଇଭ୍‌ ଟିମ୍‌କୁ ହଠାତ୍‌ ଆକ୍ରମଣ କରିବା ସହ ଗାଡିକୁ ଚେପା କରି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଅଭିଯୁକ୍ତଦ୍ୱୟ ଘଟଣାସ୍ଥଳରୁ ସ୍କୁଟି ଯୋଗେ ଫେରାର ହୋଇଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଂକ୍ରାନ୍ତରେ ଦେବୀ ଥାନାରେ ଏତଲା ଦେଇଥିଲେ। ଲକ୍ଷ୍ମୀସାଗର ପୋଲିସ ଏତଲାକୁ […] The post ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ appeared first on Dharitri Odia News.

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍‌ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍‌ କରିବାକୁ କହିବାରୁ ଦୁଇଜଣ ଅସାମାଜିକ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ଧରିତ୍ରୀ ଲାଇଭ୍‌ ଟିମ୍‌କୁ ହଠାତ୍‌ ଆକ୍ରମଣ କରିବା ସହ ଗାଡିକୁ ଚେପା କରି କ୍ୟାମେରାକୁ ଭାଙ୍ଗି ଦେଇଥିଲେ।

ଅଭିଯୁକ୍ତଦ୍ୱୟ ଘଟଣାସ୍ଥଳରୁ ସ୍କୁଟି ଯୋଗେ ଫେରାର ହୋଇଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଂକ୍ରାନ୍ତରେ ଦେବୀ ଥାନାରେ ଏତଲା ଦେଇଥିଲେ। ଲକ୍ଷ୍ମୀସାଗର ପୋଲିସ ଏତଲାକୁ ଆଧାର ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୨୬(୨), ୧୧୫(୨), ୨୯୬, ୩୫୧(୨), ୩୨୪(୪), ୩(୫)ରେ ମାମଲା (ନଂ.୮୪/୨୦୨୫) ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏତଲା ଅନୁଯାୟୀ, ଖବର ସଂଗ୍ରହ କରି ଦେବୀ ତାଙ୍କ ଟିମ୍‌ ସହ ମଧ୍ୟାନ୍ନ ପ୍ରାୟ ୧୨ଟା ବଳେ କଟକ-ପୁରୀ ବାଇପାସ୍‌ ରୋଡରୁ ଝାରପଡା ରୋଡ ହୋଇ ଆସୁଥିଲେ। ଏହି ସମୟରେ ରାସ୍ତା ମଝିରେ ଅଭିଯୁକ୍ତଦ୍ୱୟ ସ୍କୁଟି (ଓଡି୦୨ବିଏନ୍‌୭୨୪୬) ଠିଆ କରି ଜାମ୍‌ ସୃଷ୍ଟି କରିଥିଲେ। ରାସ୍ତା ଖାଲି କରିବାକୁ କହିବାରୁ ଚାଳକ ଶୁଣି ନ ଥିଲେ। ଫଳରେ ପୋଲିସକୁ ଜଣାଇବା ପାଇଁ ଦେବୀ ଉକ୍ତ ସ୍କୁଟିର ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ପରିସ୍ଥିତିକୁ ଏଡାଇବା ପାଇଁ ଦେବୀ ତାଙ୍କ ଟିମ୍‌ ସହ ସେଠାରୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତଦ୍ୱୟ ଗାଡିକୁ ପିଛା କରିଥିଲେ। ସେମାନେ କିଛିବାଟ ଆସି ଗାଡିକୁ ଅଟକାଇ ବନେଟ୍‌କୁ ବିଧା ମାରିବା ସହ ଡୋର୍‌ ଖୋଲି ଦେବୀଙ୍କୁ ଧକ୍କା ମାରିଥିଲେ।

ଆକ୍ରମଣରେ ଦେବୀଙ୍କ ବାମଗୋଡ ଅଙ୍ଗୁଠି କ୍ଷତାକ୍ତ ହୋଇଥିଲା। ନିଶାଗ୍ରସ୍ତ ଅବସ୍ଥାରେ ସେମାନେ ସେଠାରେ ଏଭଳି କିଛିସମୟ ଆତଙ୍କ ରଚିଥିଲେ। କ୍ୟାମେରାମାନ ପଙ୍କଜ ମାହାପାତ୍ରଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏଥିସହ ପଥର ପକାଇ ମାରିବାକୁ ଧମକ ଦେଇଥିଲେ। ଡ୍ରାଇଭର ବିପିନ କୁମାର ଦଳାଇ ସେମାନଙ୍କୁ ବିରୋଧ କରିବା ସହ ଅଭିଯୁକ୍ତଦ୍ୱୟ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ଦେବୀ ଏହି ସମସ୍ତ ଘଟଣାର ଖବର ସଂଗ୍ରହ କରିବା ସହ ପ୍ରତିବାଦ କରିଥିଲେ। ହେଲେ ଅଭିଯୁକ୍ତଦ୍ୱୟ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଦେଇ ସେଠାରୁ ଚାଲିଯାଇଥିଲେ। ତେବେ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

The post ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ appeared first on Dharitri Odia News.