ଧାନରେ ରୋଗପୋକ, କାମ କରୁନି କୀଟନାଶକ

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):କୃଷିପ୍ରଧାନ ବରଗଡ଼ ଜିଲାର ଚାଷୀଙ୍କୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। କେତେବେଳେ ଜଳାଭାବରୁ ମରୁଡ଼ି ପରିସ୍ଥିତି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବର୍ତ୍ତମାନ ଜିଲାରେ ରବି ଧାନ ଫସଲ ଆରମ୍ଭରୁ ଅନୁରୂପ ସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ଅଞ୍ଚଳର ଧାନ ଫସଲରେ କାଣ୍ଟବିନ୍ଧା(ଗଣ୍ଠିପୋକ) ବ୍ୟାପିବାରେ ଲାଗିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଅନ୍ୟପଟେ ଚାଷୀମାନେ ଫସଲରେ ବାରମ୍ବାର କୀଟନାଶକ କରୁଛନ୍ତି। […] The post ଧାନରେ ରୋଗପୋକ, କାମ କରୁନି କୀଟନାଶକ appeared first on Dharitri Odia News.

ଧାନରେ ରୋଗପୋକ, କାମ କରୁନି କୀଟନାଶକ

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):କୃଷିପ୍ରଧାନ ବରଗଡ଼ ଜିଲାର ଚାଷୀଙ୍କୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। କେତେବେଳେ ଜଳାଭାବରୁ ମରୁଡ଼ି ପରିସ୍ଥିତି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବର୍ତ୍ତମାନ ଜିଲାରେ ରବି ଧାନ ଫସଲ ଆରମ୍ଭରୁ ଅନୁରୂପ ସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ଅଞ୍ଚଳର ଧାନ ଫସଲରେ କାଣ୍ଟବିନ୍ଧା(ଗଣ୍ଠିପୋକ) ବ୍ୟାପିବାରେ ଲାଗିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଅନ୍ୟପଟେ ଚାଷୀମାନେ ଫସଲରେ ବାରମ୍ବାର କୀଟନାଶକ କରୁଛନ୍ତି। କିନ୍ତୁ ତାହା ମଧ୍ୟ କାମକୁ ଆସୁ ନ ଥିବା ଅଭିଯୋଗ ହୋଇଛି। ଫସଲ ଆରମ୍ଭରୁ ଏଭଳି ସ୍ଥିତିକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି।
ଜିଲାର ହୀରାକୁଦ ଜଳସେଚିତ ଅଞ୍ଚଳରେ ମୁଖ୍ୟତଃ ରବି ଧାନ ଫସଲ ହୋଇଥାଏ। କେନାଲ ପାଣି ଛାଡ଼ିବା ପରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି କ୍ରମରେ ଗତ ଜାନୁୟାରୀ ମାସରୁ କେନାଲ ପାଣି ଛଡ଼ାଯିବା ପରେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଚାଷୀମାନେ ଧାନ ତଳିପକାଠାରୁ ଆରମ୍ଭ କରି ରୁଆ, ବିହୁଡ଼ା କରିଥିଲେ। ଧାନ ଫସଲ ମଧ୍ୟ ଭଲ ଭାବେ ବଢ଼ି ଚାଲିଛି। ଜିଲାର ଅଣଜଳସେଚିତ ଅଞ୍ଚଳର କେତେକ ଚାଷୀ ଗଭୀର ନଳକୂପ, ଚେକ୍‌ଡ୍ୟାମ, ଜଳାଶୟ ପାଣି ବ୍ୟବହାର କରି ରବି ଫସଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ରୋଗପୋକ ବ୍ୟାପିବା ଆରମ୍ଭ ହୋଇଛି। ଫସଲ ଠିକ୍‌ଭାବେ ବଢ଼ି ଚାଲିଥିବାବେଳେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ ଦେଖାଯାଇଛି। ତାକୁ ପ୍ରତିହତ କରିବା ପାଇଁ ଚାଷୀମାନେ ବିଭିନ୍ନ କୀଟନାଶକ ପ୍ରୟୋଗ କରୁଛନ୍ତି। ହେଲେ କିଛି ସୁଫଳ ମିଳୁନାହିଁ। ଅନ୍ୟପଟେ ରୋଗପୋକ ବ୍ୟାପିବାରେ ଲାଗିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଗାଈସୀମା ଗ୍ରାମର ଚାଷୀ କାର୍ତ୍ତିକ ସାହୁ କହିଛନ୍ତି, ତାଙ୍କର ପ୍ରାୟ ୩ଏକର ଜମିରେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ ଦେଖାଯାଇଛି। ଗତ ଫେବୃୟାରୀ ୩ତାରିଖରେ ଧାନ ପହ୍ଲା ରୋଇଥିଲେ। ଫସଲ ବି ଠିକ୍‌ ଭାବେ ବଢ଼ି ଚାଲିଥିଲା। କିନ୍ତୁ ଗତ କିଛିଦିନ ହେଲା କାଣ୍ଡବିନ୍ଧା ପୋକ ବ୍ୟାପୀବାରୁ ତାହା ଉଜୁଡ଼ିବାରେ ଲାଗିଛି। ୨ଦିନ ତଳେ କୀଟନାଶକ ପ୍ରୟୋଗ କରିଛନ୍ତି। ମାତ୍ର ତାହା ଏପର୍ଯ୍ୟନ୍ତ ସେତେ ପ୍ରଭାବ ପକାଇପାରିନାହିଁ। ରୋଗପୋକକୁ ସେହି କୀଟନାଶକ କିଭଳି ଦମନ କରିବ ଆଗକୁ ଜଣାପଡ଼ିବ ବୋଲି ସେ କହିଥିଲେ। ସେହିପରି ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ପାଗ ପରିବର୍ତ୍ତନ ଯୋଗୁ ମୁଖ୍ୟତଃ ଧାନ ଫସଲରେ କାଣ୍ଡବିନ୍ଧା ପୋକ ବ୍ୟାପିବାରେ ଲାଗିଛି। ଚାଷୀମାନେ କୀଟନାଶକ ଫସଲରେ ପ୍ରୟୋଗ କରୁଛନ୍ତି। ଏହାସତ୍ତ୍ୱେ ତାହା ଦମନ ହେଉନାହିଁ। ଏଭଳି ସ୍ଥିତିରେ କୃଷି ବିଭାଗର ଅଧିକାରୀମାନେ ସମ୍ପୃକ୍ତ କୀଟନାଶକ ଯାଞ୍ଚ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଦରକାର। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ (ସିଡ଼ିଏଓ) ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରଭାବିତ ଫସଲ ପରିଦର୍ଶନ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ବୁଧବାର ସମ୍ପୃକ୍ତ ବିଭାଗୀୟ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀଙ୍କୁ ପରାମର୍ଶ ଦେବେ ଏବଂ ତାଙ୍କଠାରୁ ରିପୋର୍ଟ ପାଇବା ପରେ ଅନ୍ୟ କିଛି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

The post ଧାନରେ ରୋଗପୋକ, କାମ କରୁନି କୀଟନାଶକ appeared first on Dharitri Odia News.