ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଇସାରା ଦେଲେ ଆଇନ ମନ୍ତ୍ରୀ

ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ ଦ୍ୱାରା କରିବା ପାଇଁ ତାଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମକୁ ଦେଇଥିବା ବୟାନ ଏବେ ବିଜେଡି ନିମନ୍ତେ ଚିନ୍ତାର ବିଷୟ ପାଲଟିଛି ।

ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଇସାରା ଦେଲେ ଆଇନ ମନ୍ତ୍ରୀ

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ଏବେ ବିଭିନ୍ନ ତଥ୍ୟ ଧୀରେଧୀରେ ସାମ୍ନାକୁ ଆସୁଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ପୂର୍ବରୁ ଭୟର ବାତାବରଣ ଥିଲା। ନବଙ୍କ ହତ୍ୟା କାହିଁକି ହେଲା, କିଏ କଲା ଓ ଷଡ଼ଯନ୍ତ୍ରରେ କିଏ ଭାଗିଦାର ଥିଲେ ସେସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଲୋକଲୋଚନକୁ ଆସିବ । ଆଜି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ମନ୍ତ୍ରୀଙ୍କ ଏହି ବୟାନ ହିଁ ପରୋକ୍ଷରେ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ପାଇଁ ସରକାର ବିଚାର କରୁଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

ନବ ଦାସ ହତ୍ୟା ମାମଲାରେ ଗୁରୁବାର ଗଣମାଧ୍ୟମକୁ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ । ନବଙ୍କ ହତ୍ୟାବେଳେ ସ୍ଥାନୀୟ ସାଂସଦ ଥିବା ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ସେସମୟରେ ବହୁତ ତଥ୍ୟ ଦେଇଥିଲି । ଆଜି ବି ଦେଉଛି । ସେସବୁ ଆଇସୋଲେସନରେ ରହିଛି । ବିସ୍ତାର ଭାବେ ଆଗକୁ ସେସମ୍ପର୍କରେ ଆଲୋଚନା ହେବ ।

ସେହିପରି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ସରକାର ଆଗକୁ ଖୁବଶୀଘ୍ର ନିଷ୍ପତ୍ତି ନେବେ । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ । ସେ ଭୟ ଦୂରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ମୃତ୍ୟୁ କାହିଁକି ହେଲା, କିଏ କଲା,ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ଥିଲେ । ସେସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଆସିବ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶାବାଦୀ ଅଛନ୍ତି ।

ଅନ୍ୟପକ୍ଷରେ, ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ ଦ୍ୱାରା କରିବା ପାଇଁ ତାଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମକୁ ଦେଇଥିବା ବୟାନ ଏବେ ବିଜେଡି ନିମନ୍ତେ ଚିନ୍ତାର ବିଷୟ ପାଲଟିଛି । ସିବିଆଇ ତଦନ୍ତ କାହିଁକି ଚାହୁଁଛନ୍ତି ତାହା ଦର୍ଶାଇବା ପାଇଁ ନବଙ୍କ ପରିବାର ସଦସ୍ୟଙ୍କୁ ଲିଖିତ ଭାବେ ଯଥାର୍ଥ କାରଣ ଦେବାକୁ ପଡ଼ିବ । ନବ ହତ୍ୟା ମାମଲାର ଶୁଣାଣି ଚାଲିଥିବା ଝାରସୁଗୁଡ଼ା ଜିଲ୍ଲା କୋର୍ଟ ନା ମୁଖ୍ୟମନ୍ତ୍ରୀ ନା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲିଖିତ ଭାବେ ଦେବେ ସେନେଇ ନବଙ୍କ ପରିବାର ଲୋକେ ଏବେ ଓକିଲଙ୍କ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି । ବିଜେଡି ସହ ଜଡ଼ିତ ଥିବା ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଓକିଲଙ୍କ ସହଯୋଗ ନେବା ପାଇଁ ନବଙ୍କ ପରିବାରକୁ ନବୀନ ନିବାସ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି ।