ତେଜସ୍ୱୀ ଯାଦବଙ୍କୁ ୮ ଘଣ୍ଟା ଘାଣ୍ଟିବା ପରେ ଛାଡ଼ିଲା ଇଡି

ଦିନ ତମାମ ଆରଜେଡି କର୍ମୀମାନେ ଇଡି ଅଫିସ ବାହାରେ ବସି ରହିଥିଲେ। ଶେଷରେ ତେଜସ୍ୱୀ ଅଫିସରୁ ବାହାରିବା ପରେ ସମସ୍ତେ ତାଙ୍କ ସହ ନିଜ ନିଜ ଘରକୁ ଫେରିଛନ୍ତି।

ତେଜସ୍ୱୀ ଯାଦବଙ୍କୁ ୮ ଘଣ୍ଟା ଘାଣ୍ଟିବା ପରେ ଛାଡ଼ିଲା ଇଡି

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଦୀର୍ଘ ୮ ଘଣ୍ଟା କାଳ ଜେରା କରିବା ପରେ ଘରକୁ ଛାଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଲ୍ୟାଣ୍ଡ ଫର ଜବ ସ୍କାମ ଘଟଣାରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଆଜି ତେଜସ୍ୱୀଙ୍କୁ ମାରାଥନ ଜେରା କରାଯାଇଛି।

ଦିନକ ତଳେ ସମାନ ମାମଲାରେ ତେଜସ୍ୱୀଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ଇଡି ଜେରା କରିଥିଲା। ଲାଲୁଙ୍କୁ ୧୦ ଘଣ୍ଟା କାଳ ଜେରା କରାଯାଇଥିବା ବେଳେ ଆଜି ତାଙ୍କ ପୁଅ ତେଜସ୍ୱୀଙ୍କୁ ଇଡି ୮ ଘଣ୍ଟା କାଳ ଘାଣ୍ଟିଛି।

ଆଜି ତେଜସ୍ୱୀଙ୍କୁ ଜେରା ଚାଲିଥିବା ବେଳେ ଶତାଧିକ ଆରଜେଡି କର୍ମୀ ପାଟନା ସ୍ଥିତି ଇଡି ଅଫିସ ବାହାରେ ଉପସ୍ଥିତ ରହିଥିଲେ। ସେମାନେ ଇଡି ଓ ବିଜେପି ବିରୋଧରେ ନାରାବାଜୀ କରିଥିଲେ। ସେହିପରି ୮ ଘଣ୍ଟାର ଜେରା ପରେ ତେଜସ୍ୱୀ ଇଡି ଅଫିସରୁ ବାହାରିବା ବେଳେ ସମସ୍ତେ ତାଙ୍କୁ ନାରାବାଜୀ କରି ସ୍ୱାଗତ କରିଥିଲେ। ତେଜସ୍ୱୀ ମଧ୍ୟ ସ୍ମିତ ହାସ୍ୟ ସହ ହାତ ହଲାଇ ସମସ୍ତ ଅଭିବାଦନ ଗ୍ରହଣ କରିଥିଲେ। ସେ ବିଜୟ ସଙ୍କେତ ମଧ୍ୟ ଦେଖାଇଥିଲେ।

ଆଜି ଦିନ ପ୍ରାୟ ୧୧.୩୫ରେ ତେଜସ୍ୱୀ ଯାଦବ ଇଡି ଅଫିସରେ ପହଞ୍ଚିଥିଲେ। ଶତାଧିକ ଆରଜେଡି କର୍ମୀ ମଧ୍ୟ ତାଙ୍କ ସହ ଇଡି ଅଫିସ ପାଖକୁ ଆସିଥିଲେ। ଏଥିପାଇଁ କଡ଼ା ସୁରକ୍ଷା ବନ୍ଦବୋସ୍ତ କରାଯାଇଥିଲା।

ଦିନ ତମାମ ଆରଜେଡି କର୍ମୀମାନେ ଇଡି ଅଫିସ ବାହାରେ ବସି ରହିଥିଲେ। ଶେଷରେ ତେଜସ୍ୱୀ ଅଫିସରୁ ବାହାରିବା ପରେ ସମସ୍ତେ ତାଙ୍କ ସହ ନିଜ ନିଜ ଘରକୁ ଫେରିଛନ୍ତି।