ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ, ଆଜି ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ
ଭୁବନେଶ୍ୱର : ଆଜି ପବିତ୍ର ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ । ରଥ ପଥ ସବୁ କିଛି ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ । ଭକ୍ତ ଓ ଭଗବାନଙ୍କ ମହାମିଳନ ପାଇଁ ଚାହିଁ ବସିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ । ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ […] The post ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ, ଆଜି ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ appeared first on KNews Odisha.

ଭୁବନେଶ୍ୱର : ଆଜି ପବିତ୍ର ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ । ରଥ ପଥ ସବୁ କିଛି ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ । ଭକ୍ତ ଓ ଭଗବାନଙ୍କ ମହାମିଳନ ପାଇଁ ଚାହିଁ ବସିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ । ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଶୁକ୍ରବାର ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ବଡ଼ଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣକୁ ଆସିବା ପାଇଁ ଅପେକ୍ଷା କରିଛନ୍ତି ପରଂବ୍ରହ୍ମ ।
ସିଂହଦ୍ବାର ସାମ୍ନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ । ସଜେଇ ହୋଇଛି ଶ୍ରୀମନ୍ଦିର । ପୁଷ୍ପ ରୂପକ ବର୍ଷା ମହାପ୍ରଭୁଙ୍କ ସ୍ବାଗତ ଜଣାଇବା ପାଇଁ ବର୍ଷୁଛି । ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି ପବିତ୍ର ବଡ ଦାଣ୍ଡରେ । ମହାପ୍ରଭୁଙ୍କ ରଥ ଟାଣିବାକୁ ଭକ୍ତ ମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଚି। ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଚନ୍ତି ।
ରଥାରୂଢ ହେଲେ ୩ ଠାକୁର:
ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ରଥାରୂଢ ହେଲେ ୩ ଠାକୁର । ରଥରେ ଅନ୍ୟାନ୍ୟ ନୀତିକାନ୍ତି ପରେ ରଥଟଣା ଆରମ୍ଭ ହେବ । ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ ଚତୁର୍ଦ୍ଧାମୂର୍ତ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ:
ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ ।
ଦେବୀ ସୁଭଦ୍ରାଙ୍କ ପହଣ୍ଡି:
ଦେବୀ ସୁଭଦ୍ରା ପହଣ୍ଡିରେ ଆସୁଛନ୍ତି । ଯାହାକୁ ଶୂନ୍ୟ ପହଣ୍ଡି କୁହାଯାଏ । ସେପଟେ ମା’ ସୁଭଦ୍ରାଙ୍କ ପରେ ଶ୍ରୀମନ୍ଦିରରୁ ବାହାରି ଆସିଛନ୍ତି ମହାପ୍ରଭୁ ।
ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ:
ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଶେଷ ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।
ପହଣ୍ଡି ବିଜେ ନୀତି ଆରମ୍ଭ:
ଆରମ୍ଭ ହେଲା ଶ୍ରୀଜୀଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ଆସୁଛନ୍ତି ଶ୍ରୀସୁଦର୍ଶନ । ଏହାପରେ ବଡଭାଇ ବଳରାମ, ଏହାପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ହେବ ।
ସକାଳ ଧୂପ ପୂଜା ଓ ସକାଳ ଧୂପଟେରା ନୀତି ସମ୍ପନ୍ନ:
ଶ୍ରୀଜିଉଙ୍କ ସକାଳ ଧୂପ ପୂଜା ଓ ସକାଳ ଧୂପ ଟେରା ନୀତି ସମ୍ପନ୍ନ ହୋଇଛି । ଏହା ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।
ଶୁଭେଚ୍ଛା ଜଣାଇଲେ ନେତା-ମନ୍ତ୍ରୀ:
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।
ପବିତ୍ର ରଥଯାତ୍ରା ଉପଲକ୍ଷେ ନେତା ମନ୍ତ୍ରୀ ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ।
ସମୟ ସକାଳ ୮. ୪୫ରେ ଦ୍ୱାରପାଳ ପୂଜା ସମ୍ପୂର୍ଣ୍ଣ ହୋଇଛି । ଏହା ପରେ ବେଶଭୂଷା ନୀତି ଅନୁଷ୍ଠିତ ହେବ ।
ଅବକାଶ ନୀତି ସମ୍ପନ୍ନ:
ଶ୍ରୀଜିଉଙ୍କ ଅବକାଶ ପୂଜା ନୀତି ସମ୍ପନ୍ନ ହୋଇଛି । ଆଗାମୀ ନୀତି ଶ୍ରୀଜିଉଙ୍କ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ ।
ମଙ୍ଗଳ ଆଳତୀ ନୀତି ସମ୍ପନ୍ନ:
ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ହେଲା ସମ୍ପନ୍ନ ହୋଇଛି । ଏହାପରେ ଅବକାଶ ନୀତି ଅନୁଷ୍ଠିତ ହେବ ।
ଆହୁରି ପଢ଼ନ୍ତୁ : ଆଜି ପବିତ୍ର ରଥଯାତ୍ରା: ଶ୍ରୀଜୀଉଙ୍କ ଅପେକ୍ଷାରେ ୩ ରଥ
The post ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ, ଆଜି ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ appeared first on KNews Odisha.