‘ନାମ’ ହିଁ ପରିଚୟ
ଓଡ଼ିଶା ଶିକ୍ଷା ପ୍ରଗତିରେ ପ୍ରାକ୍ ସ୍ୱାଧୀନତା ଅମଳରୁ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଆସିଥିବା ଓଡ଼ିଶାର ପୁରୁଣା ରାଜଧାନୀ ସଂସ୍କୃତି ସମ୍ପନ୍ନ ଐତିହାସିକ ସହର କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟ(ଏବେ ବିଶ୍ୱବିଦ୍ୟାଳୟ)ର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରସ୍ତାବ ପରେ ସ୍ୱାଭାବିକ ଭାବେ ଏହା ଉପରେ ବିତର୍କ ଆରମ୍ଭ ହୋଇସାରିଛି। ଶାସକ ବିଜେପି ପକ୍ଷରୁ ନାମ ପରିବର୍ତ୍ତନ ପ୍ରସ୍ତାବକୁ ସ୍ୱାଗତ ଓ ସମର୍ଥନ କରାଯାଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। […]

ଓଡ଼ିଶା ଶିକ୍ଷା ପ୍ରଗତିରେ ପ୍ରାକ୍ ସ୍ୱାଧୀନତା ଅମଳରୁ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଆସିଥିବା ଓଡ଼ିଶାର ପୁରୁଣା ରାଜଧାନୀ ସଂସ୍କୃତି ସମ୍ପନ୍ନ ଐତିହାସିକ ସହର କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟ(ଏବେ ବିଶ୍ୱବିଦ୍ୟାଳୟ)ର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରସ୍ତାବ ପରେ ସ୍ୱାଭାବିକ ଭାବେ ଏହା ଉପରେ ବିତର୍କ ଆରମ୍ଭ ହୋଇସାରିଛି। ଶାସକ ବିଜେପି ପକ୍ଷରୁ ନାମ ପରିବର୍ତ୍ତନ ପ୍ରସ୍ତାବକୁ ସ୍ୱାଗତ ଓ ସମର୍ଥନ କରାଯାଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ହେବ କି ନାହିଁ, ଯଦି ପରିବର୍ତ୍ତନ ହୁଏ କାହା ନାମରେ ନାମିତ ହେବ ତାହା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଶାସନ ଥିବାରୁ ନାମ ପରିବର୍ତ୍ତନରେ ବିଶେଷ ଅସୁବିଧା ହେବ ନାହିଁ। କିନ୍ତୁ ଓଡ଼ିଶାବାସୀ କିଭଳି ଏହାକୁ ଗ୍ରହଣ କରିବେ ତାହା ବଡ଼ କଥା। କାରଣ ଏଥିପୂର୍ବରୁ ୨୦୨୧ରେ ମାଡ୍ରାସ୍ ଆଇଆଇଟି ନାମ ପରିବର୍ତ୍ତନ ପ୍ରସ୍ତାବକୁ ସେଠାରେ ସବୁସ୍ତରରେ ପ୍ରବଳ ବିରୋଧ ପରେ କେନ୍ଦ୍ର ସରକାର କିପରି ଓହରି ଆସିଥିଲେ ତାହା ମଧ୍ୟ ସ୍ମରଣକୁ ଆଣିବା ଆବଶ୍ୟକ।
ଯେଉଁ ଉପନିବେଶ ଭାରତକୁ ଛଳନାପୂର୍ଣ୍ଣ ଭାବେ ଦୁଇଶହରୁ ଊର୍ଦ୍ଧ୍ବ ବର୍ଷ ଧରି ଶାସନ କରି ସର୍ବସ୍ୱାନ୍ତ କରିଦେଇଥିଲା, ତାହାର ଛାପ ଓ ଚିହ୍ନ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତର ଶାସନ, ପ୍ରଶାସନ, ସାମାଜିକ ଜୀବନ ଓ ସଂସ୍କୃତି ଉପରେ କାହିଁକି ରହିବ? ଯେତେବେଳେ ଏହି ରାଷ୍ଟ୍ରୀୟବୋଧର ପ୍ରଶ୍ନ ଉଠୁଛି ସେତେବେଳେ ଓଡ଼ିଆ ଅସ୍ମିତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣୀୟ ହୋଇପାରେ। ଏହି ଜାତୀୟତାବୋଧ ପୃଷ୍ଠଭୂୂମିରେ ଇତିମଧ୍ୟରେ ବ୍ରିଟିଶ୍ ଅମଳରେ ପ୍ରଣୀତ ବହୁଚର୍ଚ୍ଚିତ ଦଣ୍ଡବିଧି ଆଇନ, ଫୌଜଦାରୀ ଆଇନ୍ ଓ ସାକ୍ଷ୍ୟ ଆଇନର ନାମ ପରିବର୍ତ୍ତନ ଓ କଳେବର ସଂଶୋଧନ କରାଯାଇଥିବା ବେଳେ ଉପନିବେଶକାଳରେ ପ୍ରଣୀତ ଆହୁରି ଅନେକ ଆଇନ ବଦଳାଇବା ସପକ୍ଷରେ ମତ ଉଠୁଛି ଏବଂ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଯେତେବେଳେ କୌଣସି ଜାତିର ସମୃଦ୍ଧ ଇତିହାସ, ଅସ୍ମିତା, ପରିଚୟ, ଭାବାବେଗ ସହିତ ଜଡ଼ିତ ସ୍ୃତି, ସ୍ମାରକୀ, ଅନୁଷ୍ଠାନର ନାମ ପରିବର୍ତ୍ତନ କଥା ଉଠୁଛି, ସେତେବେଳେ ତାହା ଅନ୍ତଃକରଣରେ ସର୍ବାଦୌ ଗ୍ରହଣୀୟ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ରେଭେନ୍ସା ମହାବିଦ୍ୟାଳୟ କେବଳ ଏକ ଶିକ୍ଷାୟତନ ନୁହେଁ, ଓଡ଼ିଶାର ଶିକ୍ଷା ସଂସ୍କୃତିର ଏକ ବ୍ରାଣ୍ଡ ପାଲଟି ଯାଇଛି ବୋଲି ବିଜେଡି ପକ୍ଷରୁ ଯେଉଁ ମତ ପ୍ରକାଶ ପାଇଛି ତାହା ଆଗରେ ଆଉ ସମସ୍ତ ଯୁକ୍ତି ଫିକା ପଡ଼ିଯାଉଛି। ଏଠାରେ ମଧ୍ୟ ସ୍ମରଣ କରାଯାଇପାରେ ଯେ ଭାରତୀୟ ଓ ଉତ୍କଳୀୟ ଜାତୀୟତା ବୋଧ, ସ୍ୱାଧୀନତା ସଂଗ୍ରାମ ଏହି ଅନୁଷ୍ଠାନରୁ ଆରମ୍ଭ ହୋଇଥିବା ବେଳେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତି ମଧ୍ୟ ଏହିଠାରେ ପଡ଼ିଥିଲା। କେବଳ ସେତିକି ନୁହେଁ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ବିଧାନସଭାର ପ୍ରଥମ ବୈଠକର ମୂକସାକ୍ଷୀ ମଧ୍ୟ ରେଭେନ୍ସା ମହାବିଦ୍ୟାଳୟ। ଦୀର୍ଘ ଶହେବର୍ଷର ଇତିହାସ ସହିତ ଏହି ନାମ ଯୋଡ଼ି ହୋଇଯାଇଥିବାରୁ ଏବେ ତାହାର ନାମ ପରିବର୍ତ୍ତନ କଲେ ଉତ୍ତରପିଢ଼ିଙ୍କ ପାଇଁ ଇତିହାସର ପୁନର୍ଲିଖନ ଆବଶ୍ୟକ, ଯାହା ପ୍ରାୟତଃ ଅସମ୍ଭବ।
ଏ ସବୁର ଊର୍ଦ୍ଧ୍ବକୁ ଯାଇ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଏନ୍ଡିଏ ଶାସନର ବିଗତ ପ୍ରାୟ ଏକ ଦଶନ୍ଧିର କାର୍ଯ୍ୟାବଳୀକୁ ଅନୁଶୀଳନ କଲେ ନାମ ପରିବର୍ତ୍ତନର ଉଚ୍ଚାଟ ହିଁ ଦେଖିବାକୁ ମିଳିବ। ଆହ୍ଳାବାଦ୍ରୁ ପ୍ରୟାଗରାଜ, ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା, ଫିରୋଜ ଶାହ କୋଟ୍ଲା ଷ୍ଟାଡିୟମକୁ ଅରୁଣ ଜେଟ୍ଲି ଷ୍ଟାଡିୟମ, ମୋଗଲ୍ ସରାଇ ଜଙ୍ଗସନ୍କୁ ଦୀନ ଦୟାଲ୍ ଉପାଧ୍ୟାୟ ରେଳଷ୍ଟେସନ୍, ରାଜପଥକୁ କର୍ତ୍ତବ୍ୟପଥ ଆଦି ବିଗତ ୧୦ ବର୍ଷ ମଧ୍ୟରେ ଏଭଳି ଅନେକ ସ୍ଥାନର ନାମ ପରିବର୍ତ୍ତନ ହୋଇସାରିଛି ଏବଂ ୪୦ରୁ ଊର୍ଦ୍ଧ୍ବ ସ୍ଥାନର ନାମ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ଓ ଉଦ୍ୟମ ଜାରି ରହିଛି। ସେହିପରି ଅନେକ ବିଶ୍ୱବିଦ୍ୟାଳୟ ଏବଂ ପୂର୍ବ ପ୍ରଚଳିତ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି। କିନ୍ତୁ ସେହିସବୁ ଅଞ୍ଚଳ ଓ ଅନୁଷ୍ଠାନର ନାମ ପରିବର୍ତ୍ତନ ସହିତ ବିକାଶର ଅନୁପାତ କେତେ ତାହାର ଅନୁଶୀଳନ ଏନ୍ଡିଏ ସରକାର କରିବା ଆବଶ୍ୟକ।
ଏବେ ଓଡ଼ିଶା କଥା ଆଲୋଚନା କରିବା। ନାମ ପରିବର୍ତ୍ତନର ଏହି ଧାରା ଓଡ଼ିଶାରେ ନବଗଠିତ ବିଜେପି ଶାସନରେ ମଧ୍ୟ ଦେଖିବାକୁ ମିଳିଛି। ଚରିତ୍ର, ବୈଶିଷ୍ଟ୍ୟ ଓ ଲକ୍ଷ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ବିଜେଡି ଅମଳରେ ପ୍ରଣୀତ ପ୍ରାୟ ୪୦ଟି ଯୋଜନାର ନାମ ଚଳିତ ବିଜେପି ସରକାର ଅମଳରେ ବଦଳି ଯାଇଛି। ଏହାପୂର୍ବରୁ ରାଜ୍ୟ କ୍ରୀଡ଼ା ପୁରସ୍କାରରୁ ବିଜୁ ବାବୁଙ୍କ ନାମ ହଟାଇବାକୁ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ପ୍ରବଳ ବିରୋଧ ଯୋଗୁଁଁ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏବେ ତ ରାଜ୍ୟସାରା ରଙ୍ଗ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ତେଣୁ ବର୍ତ୍ତମାନର ବିଜେପି ଶାସିତ ଓଡ଼ିଶାରେ ରେଭେନ୍ସା ମହାବିଦ୍ୟାଳୟ ସମେତ ଆହୁରି ଯେ ଅନେକ ନାମ ପରିବର୍ତ୍ତନ ହେବ ସେଥିରେ ଆଚମ୍ବିତ ହେବାର ନାହିଁ। ଡବଲ୍ ଇଞ୍ଜିନ ସରକାର ସ୍ମରଣରେ ରଖିବା ଉଚିତ ଯେ ରଙ୍ଗ ଓ ନାମ ପରିବର୍ତ୍ତନ ଦ୍ୱାରା ନୁହେଁ, ବରଂ କାମ ଓ ବିକାଶ ଦ୍ୱାରା ଲୋକଙ୍କ ହୃଦୟ ଓ ଭରସା ଜିଣି ହୁଏ। ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିପାରିଲା ନାହିଁ କି ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଲା ନାହିଁ। ରେଭେନ୍ସାରେ ଶିକ୍ଷାଦାନ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପୂର୍ବଗୌରବ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ କେବଳ ନାମ ବଦଳାଇ ରାଷ୍ଟ୍ରୀୟ ଭାବନାର ଉଦ୍ରେକ ବଦଳରେ ଶୈକ୍ଷିକ ଭିତ୍ତିଭୂମି ଓ ପରିବେଶର ବିକାଶ ପ୍ରତି ଦୃଷ୍ଟି ଦିଆଗଲେ ଭଲ ହୁଅନ୍ତା।
ଏହି ପୃଷ୍ଠଭୂମିରେ ଆମେ ଗୋଟିଏ କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ମରଣ କରିବାକୁ ଚାହିଁବୁ ଯେ ଆମ ଦେଶର ଗଣତାନ୍ତ୍ରିକ ଶାସନ ଓ ପ୍ରଶାସନର ଭିତ୍ତି ଓ ମାର୍ଗଦର୍ଶକ ଭାବେ ସର୍ବମାନ୍ୟ ସମ୍ବିଧାନର ମୂଳ ଢାଞ୍ଚା ମଧ୍ୟ ବ୍ରିଟିଶ୍ ସମ୍ବିଧାନ ଅନୁକରଣରେ ପ୍ରସ୍ତୁତ। ବିଭିନ୍ନ ପାଠ୍ୟପୁସ୍ତକରେ ବର୍ଣ୍ଣିତ ଐତିହାସିକ ତଥ୍ୟ, ଚରିତ୍ର ଓ ବିଷୟବସ୍ତୁକୁ ବାଦ୍ ଦେଇ ଇତିହାସର ପୁନର୍ଲିଖନ ଉଦ୍ୟମ ଆରମ୍ଭ କରିଥିବା କେନ୍ଦ୍ର ସରକାର ସମ୍ବିଧାନର ମୌଳିକ ଢାଞ୍ଚା ବଦଳାଇବା ପାଇଁ ପୁଣି ଏକ ସାମ୍ବିଧାନିକ ସଭା ଗଠନ କରିବେ କି? ଜନୈକ ବ୍ରିଟିଶରଙ୍କ ସମ୍ମାନାର୍ଥେ ଲେଖାଯାଇଥିବା ସଙ୍ଗୀତକୁ ପରବର୍ତ୍ତୀ ସମୟରେ ସମ୍ବିଧାନ ସଭା ସ୍ୱୀକୃତ ଜାତୀୟ ସଙ୍ଗୀତର ପରିବର୍ତ୍ତନ ହେବ କି? ବିଶେଷକରି ଗତ ବର୍ଷ ‘ଇଣ୍ଡିଆ’ ବଦଳରେ ‘ଭାରତ’କୁ ସାର୍ବଜନୀନ ଓ ସର୍ବସ୍ୱୀକୃତ କରିବାର ଯେଉଁ ପ୍ରୟାସ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସେଥିରୁ ଓହରି ଆସିଲେ କାହିଁକି? ଯଦି ରେଭେନ୍ସାଙ୍କ ନାମ ସହିତ ଜଡ଼ିତ ଅନୁଷ୍ଠାନର ନାମ ପରିବର୍ତ୍ତନ ଅପରିହାର୍ଯ୍ୟ ତେବେ ଭାରତୀୟଙ୍କ ପରିଚୟ ବ୍ରିଟିଶ୍ ଦତ୍ତ ‘ଇଣ୍ଡିଆନ୍’ ରହିବ କାହିଁକି? ପ୍ରଥମେ ଏ ଦିଗରେ କେନ୍ଦ୍ର ସରକାର ପ୍ରୟାସ କରି ବିତର୍କ ସୃଷ୍ଟି କରନ୍ତୁ।