ନାଲି ଆଖି ଦେଖାଉଛି ପାକିସ୍ତାନ, ପାନେ ପାଇବ!
ଉରି ଓ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନକୁ ଏହାର ଉଚିତ ଜବାବ ଦେଇଥିଲେ। ଏବେ ବି ସେମିତି କିଛି ହୋଇପାରେ ବୋଲି ସମସ୍ତେ ଆଶା ରଖିଛନ୍ତି।
ପହଲଗାମ ନରସଂହାରର ପ୍ରତିଶୋଧ ନେବାକୁ ସାରା ଦେଶରେ ଉଠିବାରେ ଲାଗିଛି ସ୍ୱର। ଆକ୍ରମଣ ପଛରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ରହିଥିବା ଜଣାପଡ଼ିବା ପରେ ଭାରତ ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପାକିସ୍ତାନକୁ ଭାରତ ପକ୍ଷରୁ କୂଟନୀତିକ ସ୍ତରରେ ଜବାବ ଦିଆଯାଇଛି। ପାକିସ୍ତାନୀଙ୍କ ଭିସା ରଦ୍ଦ କରାଯାଇଛି ଓ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଭଳି ୫ ବଡ଼ ପଦକ୍ଷେପ ନିଆଯାଇଛି। ଭାରତ ସରକାର କୂଟନୀତିକ ସ୍ତରରେ ଏପରି ଆକ୍ସନ ନେଇଥିବା ବେଳେ ଆଗକୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
ଉରି ଓ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନକୁ ଏହାର ଉଚିତ ଜବାବ ଦେଇଥିଲେ। ଏବେ ବି ସେମିତି କିଛି ହୋଇପାରେ ବୋଲି ସମସ୍ତେ ଆଶା ରଖିଛନ୍ତି। ଭାରତର ପାଲଟା ଜବାବର ଭୟ ପାକିସ୍ତାନକୁ ଘାରିଛି। ଚୋର ମୁହଁ ଟାଣ ଭଳି ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ତା’ର କୌଣସି ଭୂମିକା ନଥିବା ସଫେଇ ଦେଇଛି।
ଏଥିସହ ଭାରତକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି। କିନ୍ତୁ ଭାରତୀୟ ସେନା ପାକିସ୍ତାନର ନାଲି ଆଖି ଦେଖି ଡରିବେ ନାହିଁ ବୋଲି ଇସଲାମାବାଦ ଭଲ ଭାବେ ଜାଣିଛି। ସେମାନେ ପହଲଗମା ନରସଂହାରର ବଦଲା ନେବା ସୁନିଶ୍ଚିତ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତର ଆକ୍ସନରେ ପୂରା ଡରି ଯାଇଛନ୍ତି। ଏଥିପାଇଁ ସେ ନିରପେକ୍ଷ ତଦନ୍ତର ପ୍ରସ୍ତାବ ଦେଇଛନ୍ତି। ହେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଓ ଲଣ୍ଡନ ସ୍ଥିତି ପାକିସ୍ତାନ ଦୂତାବାସରେ ଥିବା ଜଣେ ବରିଷ୍ଠ ସେନାଧିକାରୀ ଭାରତ ସରକାର ଓ ଭାରତୀୟଙ୍କୁ ନାଲି ଆଖି ଦେଖାଇଛନ୍ତି।
ତଣ୍ଟି କାଟି ଦେବାର ଧମକ ଦେଲେ ପାକ ସେନାଧିକାରୀ
ପହଲଗାମ ଆକ୍ରମଣ ବିରୋଧରେ ଶୁକ୍ରବାର ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନ ଆଗରେ ଭାରତୀୟ ବଂଶୋଦ୍ଭବମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲେ। ଏହି ସମୟରେ ପାକିସ୍ତାନ ସେନାର ଜଣେ ଅଧିକାରୀଙ୍କ ଆଚରଣ ସମସ୍ତଙ୍କୁ ଚକିତ କରିଛି। ପହଲଗାମ ନରସଂହାରକୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ସେ ତଣ୍ଟି କାଟି ଦେବାର ସଙ୍କେତ ପ୍ରଦର୍ଶନ କରି ଧମକ ଦେଇଛନ୍ତି।
ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନ ଆର୍ମି ଓ ହାଇ କମିଶନର ଏୟାର ଆଡଭାଇଜର କର୍ଣ୍ଣେଲ ତୈମୁର ରାହତ ବିକ୍ଷୋଭକାରୀଙ୍କୁ ବଡ଼ବଡ଼ ଆଖିରେ ଚାହିଁବା ସହ ବେକ କାଟି ଦେବେ ବୋଲି ସଙ୍କେତ ଦେଉଛନ୍ତି।
ପାକିସ୍ତାନ ହାଇକମିଶନ ବାହାରେ ପ୍ରାୟ ୫୦୦ ଜଣ ଭାରତୀୟ ଓ ଇହୁଦୀ ସଦସ୍ୟ ପହଲଗାମ ନରସଂହାରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଭାରତୀୟ ପତାକା ଉଡ଼ାଇବା ସହ ଆତଙ୍କବାଦୀ ହମଲା ପଛରେ ପାକିସ୍ତାନର ହାତ ଥିବା ପ୍ଲାକାର୍ଡ ଦେଖାଇଥିଲେ।
देखिए ये लंदन में पाकिस्तान के डिप्लोमैट हैं… pic.twitter.com/2Obo5cxCys— Umashankar Singh उमाशंकर सिंह (@umashankarsingh) April 26, 2025
ବିକ୍ଷୋଭକାରୀମାନେ ନ୍ୟାୟ ପାଇଁ ନାରା ଦେବା ସହ ବ୍ରିଟେନ ସରକାରଙ୍କୁ କୂଟନୀତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହି ସମୟରେ ତୈମୁର ହାଇକମିଶ ଅଫିସର ବିଲଡିଂରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋକୁ ପ୍ରଦର୍ଶିତ କରି ବିକ୍ଷୋଭକାରୀଙ୍କୁ ତଣ୍ଟି କାଟି ଦେବି ବୋଲି ସଙ୍କେତ ଦେଇଥିଲେ। ଏହାକୁ ବିକ୍ଷୋଭକାରୀ ଜୋରଦାର ବିରୋଧ କରିଛନ୍ତି।
ସେମାନେ କହିଛନ୍ତି, “ଏହା କେବଳ ଅସେମ୍ବଦନଶୀଳତା ନୁହେଁ, ବରଂ ଏହା ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ। ଯଦି ପାକିସ୍ତାନ ଆତଙ୍କୀ ହମଲାକୁ ନିନ୍ଦା କରିପାରିବ ନାହିଁ, ତା’ହେଲେ ସେମାନେ ଏଥିରେ ସାମିଲ ଥିବା ସ୍ପଷ୍ଟ ହେବ।” ବିକ୍ଷୋଭ ବେଳେ ପାକିସ୍ତାନ ହାଇକମିଶନ ପକ୍ଷରୁ ଜାଣି ଶୁଣି ଜୋର ଶବ୍ଦରେ ଉତ୍ସବ ମନାଇବା ଭଳି ସଂଗୀତ ବଜା ଯାଇଥିଲା। ଏହାକୁ ମଧ୍ୟ ବିକ୍ଷୋଭକାରୀ ନିନ୍ଦା କରିଛନ୍ତି।
କ’ଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ?
ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିରେ ଲାଗିଛି। ଏହି ବିବାଦ ମଧ୍ୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ସେ ପହଲଗାମ ନରସଂହାରର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଏଥିସହ ପାକିସ୍ତାନ ଯେକୌଣସି ଦୁଃସାହାସ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ଶରିଫ କହିବାକୁ ପଛାଇ ନାହାନ୍ତି।
ସେ କହିଛନ୍ତି, “ଲଗାତାର ଦୋଷାରୋପ ଖେଳର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପହଲଗାମ ଟ୍ରାଜେଡୀ। ଏହା ନିଶ୍ଚିତ ଭାବେ ବନ୍ଦ ହେବା ଦରକାର। ଗୋଟିଏ ଦାୟିତ୍ୱବାନ ଦେଶ ଭାବେ ପାକିସ୍ତାନ ଯେକୌଣସି ନିରପେକ୍ଷ, ପାରଦର୍ଶୀ ଓ ବିଶ୍ୱସନୀୟ ତଦନ୍ତ ପାଇଁ ସବୁବେଳେ ପ୍ରସ୍ତୁତ।”
ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ କଥାରେ ସ୍ୱର ମିଳାଇ ଶରିଫ କହିଛନ୍ତି ଯେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିହ୍ନା କଶ୍ମୀରକୁ ଗଳାର ଶିରା ବୋଲି କହିଥିଲେ। ପାକିସ୍ତାନ ସବୁବେଳେ କଶ୍ମିରୀ ଲୋକଙ୍କ ଅଧିକାରକୁ ସମର୍ଥନ କରି ଆସିଛି ଓ ଆଗକୁ ମଧ୍ୟ କରିବ। ବିରାଟ ସଂଘର୍ଷ ଓ ବଳିଦାନ ଦ୍ୱାରା ସେମାନେ ନିଜର ଅଧିକାରୀକୁ ହାସଲ ନ କରିବା ଯାଏ ପାକିସ୍ତାନ ସେମାନଙ୍କୁ ସହାୟତା କରିବ ବୋଲି ଶରିଫ କହିଛନ୍ତି।
ସିନ୍ଧୁ ଜଳ ଚୁକ୍ତିକୁ ନେଇ କ’ଣ କହିଲେ ଶହବାଜ ଶରିଫ?
ପହଲଗାମ ହମଲାରେ ଭାରତ ସରକାର ପାକିସ୍ତାନ ସହ ରହିଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରି ଦେଇଛନ୍ତି। କିନ୍ତୁ ପାକିସ୍ତାନ ଭାଗ ଜଳକୁ ଯଦି ଅନ୍ୟତ୍ର ଛଡ଼ା ଗଲା କିମ୍ବା ଜଳ ଯୋଗାଣ ହ୍ରାସ ପାଇଲା, ତା’ହେଲେ ଏହାର ଜବାବ ଇସଲାମାବାଦ ଜୋରଦାର ଢଙ୍ଗରେ ଦେବ ବୋଲି ଶରିଫ ଚେତାବନୀ ଦେଇଛନ୍ତି। ସିନ୍ଧୁ ନଦୀ ହେଉଛି ପାକିସ୍ତାନର ଜୀବନ ରେଖା। ଏଥିରୁ ଦେଶର ୮୦% ଜଳ କୃଷି କ୍ଷେତ୍ରରେ ବ୍ୟବହାର କରାଯାଏ। ସିନ୍ଧୁ ନଦୀ ଅବବାହିକା ଉପରେ ପାକିସ୍ତାନର ଏକ ତୃତୀୟାଂଶ ହାଇଡ୍ରୋ ପାୱାର ନିର୍ଭର ଶୀଳ। ଯଦି ଭାରତ ସିନ୍ଧୁ ନଦୀର ଜଳକୁ ହ୍ରାସ କରିବ କିମ୍ବା ଏହାକୁ ଅନ୍ୟତ୍ର ଛାଡ଼ିବ, ତା’ହେଲେ ପାକିସ୍ତାନରେ ହାହାକାର ସ୍ଥିତି ସୃଷ୍ଟି ହେବ।
ଏହା ଉପରେ ଶରିଫ କହିଛନ୍ତି, “କେହି ବି ଭୁଲ ଚିନ୍ତା ଧାରାରେ ଆଦୌ ରହିବା କଥା ନୁହେଁ। ଆମ ସୈନ୍ୟ ବାହାନୀ ଦେଶର ସୁରକ୍ଷା ପାଇଁ ପୂରା ସକ୍ଷମ ଓ ପ୍ରସ୍ତୁତ। ଯେକୌଣସି ଦୁଃସାହାସର ପରିଣାମ ଭୟଙ୍କର ହେବ। ୨୦୧୯ ଫେବୃଆରୀ ମାସରେ ଭାରତର ନିଜ ହଜାଇ ଦେବା ଭଳି ସନ୍ତୁଳିତ ଆକ୍ରମଣ ଏହାର ସ୍ପଷ୍ଟ ଉଦାହରଣ।”
୨୦୧୯ ଫେବୃଆରୀ ମାସ ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ବାଲାକୋଟରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡରେ ଏୟାର ଷ୍ଟ୍ରାଇକ କରିଥିଲା। ଆକ୍ରମଣ ରାତିରେ ହୋଇଥିବା ବେଳେ ସକାଳୁ ପାକିସ୍ତାନ ଏୟାର ଫୋର୍ସ ରଜୌରୀ ସେକ୍ଟରରେ ଗୁଳି ବର୍ଷା କରିଥିଲା। ଭାରତ ମଧ୍ୟରେ ଆକାଶ ପଥରେ ଏହାର ଜବାବ ଦେଇ ପାକିସ୍ତାନର ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା।
ସେମାନଙ୍କ ରକ୍ତ ବୋହିବ କହିଲେ ଭିଲାୱଲ ଭୁଟ୍ଟୋ
ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଛି। ଚିନ୍ତାରେ ଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ରକ୍ତ ଚାଉଳ ଚୋବାଉଛି। ପାକିସ୍ତାନ ପିପୁଲ୍ସ ପାର୍ଟି ବା ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ-ଜର୍ଦାରୀ ଭାରତକୁ ସିଧା ସଳଖ ରକ୍ତ ବୋହିବ ବୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ସିନ୍ଧୁ ସଭ୍ୟତାର ପ୍ରକୃତ ଉତ୍ତରାଧିକାରୀ ହେଉଛି ପାକିସ୍ତାନ। ସିନ୍ଧୁ ଆମର ଓ ଏହା ଆମର ହୋଇ ରହିବ। ସିନ୍ଧୁ ନଦୀରେ ଆମ ପାଣି ବହିବ ନଚେତ ସେମାନଙ୍କ ରକ୍ତ। ସେ(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) କହୁଛନ୍ତି ସେମାନେ ହଜାର ବର୍ଷର ପୁରୁଣା ସଭ୍ୟତାର ଉତ୍ତରାଧିକାରୀ। କିନ୍ତୁ ସେହି ସଭ୍ୟତା ଲରକାନାରେ ଥିବା ମୋହେଞ୍ଜୋ ଦାରୋରେ ରହିଛି। ଆମେ ହେଉଛୁ, ତା’ର ପ୍ରକୃତ ଉତ୍ତରାଧିକାରୀ। ଆମେ ଏହାର ସୁରକ୍ଷା କରିବୁ। ଭାରତ ବେଆଇନ ଭାବେ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଛି। ସିନ୍ଧୁ ପାକିସ୍ତାନର ବୋଲି ଜାଣିବା ପରେ ମଧ୍ୟ ଭାରତ ଏପରି କରିଛି।”
ଭୁଟ୍ଟୋ ସିନ୍ଧୁ ସଭ୍ୟତାକୁ ପାକିସ୍ତାନର କହୁଥିଲେ ହେଁ ଏହା ପୂରା ସତ ନୁହେଁ। ବାସ୍ତବ ତଥ୍ୟ ହେଉଛି ଯେ ସିନ୍ଧୁ ସଭ୍ୟତା ଉଭୟ ଆଧୁନିକ ପାକିସ୍ତାନ ଓ ଭାରତର ଅଧିକାଂଶ ପଶ୍ଚିମାଞ୍ଚଳରେ ରହିଥିଲା।
ବିଲାୱଲଙ୍କୁ ଜବାବ ଦେଲା ଭାରତ
ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋଙ୍କୁ ମୁର୍ଖ ବୋଲି କହି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ନିଶ୍ଚିତ କରିଛନ୍ତି ଯେ ପହଲଗାମ ଆକ୍ରମଣର ପରିମାଣ ପାକିସ୍ତାନକୁ ମହଙ୍ଗା ପଡ଼ିବ। ସେ କହିଛନ୍ତି, “ପହଲଗାମରେ ଆତଙ୍କବାଦୀ ହମଲା ହୋଇଛି। ଏଥିପାଇଁ ପାକିସ୍ତାନ ବଡ଼ ପରିଣାମ ଭୋଗିବାକୁ ପଡ଼ିବ। ଏହା କେବଳ ଆରମ୍ଭ। ବିଲାୱଲ ଭୁଟ୍ଟୋ ଜଣେ ମୁର୍ଖ। ସେ ପାଣି ନ ପାଇଲେ, ସେ ଏମିତି ଚିତ୍କାର କରିବେ।”
ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ପାକିସ୍ତାନର ଧମକରେ ଭାରତ ଆଦୌ ଡରିବ ନାହିଁ। ଆତଙ୍କବାଦର ପ୍ରସାର କରିବା ଛଡ଼ା ପାକିସ୍ତାନର ଆଉ କୌଣସି ପ୍ରମୁଖ କାମ ନାହିଁ। ପାକିସ୍ତାନର ସାଧାରଣ ଲୋକମାନେ ମଧ୍ୟ ସେମାନଙ୍କ ନେତାଙ୍କ କଥାରେ ଏକମତ ହେବେ ନାହିଁ।”
ସୀମା ଲଙ୍ଘୁଛି ପାକିସ୍ତାନ ସେନା
ପହଲଗାମ ଆତଙ୍କବାଦୀ ହମଲା ପରେ ପାକିସ୍ତାନ ସେନା ପକ୍ଷରୁ ଏଲଓସିର ବିଭିନ୍ନ ସ୍ଥାନରେ ଗୁଳି ମାଡ଼ କରି ଚାଲିଛି। ଭାରତ ମଧ୍ୟ ଏହାର ଦୃଢ଼ ଜବାବ ଦେଇଛି। ଏଯାଏ ଉଭୟ ପାର୍ଶ୍ୱରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପାକିସ୍ତାନ ସେନା ପକ୍ଷରୁ ଏଲଓସିର ବିଭିନ୍ନ ସ୍ଥାନରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଯାଇଛି। ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ଆଉଟ ପୋଷ୍ଟକୁ ଟାର୍ଗେଟ କରାଯିବାରୁ ଏହାର ଦୃଢ଼ ଜବାବ ଦିଆଯାଇଛି।
ଏହାପୂର୍ବରୁ ଶୁକ୍ରବାର ମଧ୍ୟ ପାକିସ୍ତାନ ସେନା ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳି ମାଡ଼ କରିଥିଲା। ଭାରତ ଏହାର ଦୃଢ଼ ଜବାବ ଦେବାରୁ ପାକିସ୍ତାନ ସେନା ଗୁଳି ମାଡ଼ ବନ୍ଦ କରିଥିଲା।