ନିଆଁ ଲାଗି ପାଉଁଶ ହୋଇଗଲା ବିମାନ, ଥିଲେ ୪୦୦ ଯାତ୍ରୀ

ଏହି ଅଗ୍ନିକାଣ୍ଡରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଉଦ୍ଧାର କରାଯାଇଛି।

ନିଆଁ ଲାଗି ପାଉଁଶ ହୋଇଗଲା ବିମାନ, ଥିଲେ ୪୦୦ ଯାତ୍ରୀ

ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ। ଲ୍ୟାଣ୍ଡିଂ ବେଳେ ଜଳିଗଲା ବିମାନ। ଦେଖୁଦେଖୁ ପୂରା ବିମାନକୁ ବ୍ୟାପିଗଲା ନିଆଁ। ଉକ୍ତ ବିମାନରେ ପ୍ରାୟ ୪୦୦ ଯାତ୍ରୀ ଥିଲେ। ଟୋକିଓର ହନେଡା ବିମାନ ବନ୍ଦରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଚାରିଆଡେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି। ରନଓ୍ୱେରେ ତଟରକ୍ଷୀ ବାହିନୀ ବିମାନ ସହ ଜାପାନ ଏୟାରଲାଇନ୍ସର ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଥିବା କୁହାଯାଉଛି। ତେବେ ଏହି ଅଗ୍ନିକାଣ୍ଡରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଉଦ୍ଧାର କରାଯାଇଛି। ଜାପାନ ଏୟାରଲାଇନ୍ସର ଏହି ବିମାନରେ ପ୍ରାୟ ୪୦୦ ଯାତ୍ରୀ ଥିଲେ।

ମିଡିଆ ରିପୋର୍ଟ ମୁତାବକ ବିମାନରେ ଅଗ୍ନିକାଣ୍ଡ ଘଟିବା ପରେ ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ପରେ ଉଦ୍ଧାରକାରୀ ଦଳ ସମସ୍ତ ଯାତ୍ରୀ କୌଣସି ଅଘଟଣା ଘଟିବା ପୂର୍ବରୁ ଉଦ୍ଧାର କରି ଆଣିଥିଲେ। ସେପଟେ ନିଆଁ କରାଳ ରୂପ ଧାରଣ କରି ପୂରା ବିମାନଟିକୁ ଗ୍ରାସ କରିଦେଇଥିଲା। ବିମାନର ସିଟ୍‌, ଚକା ଓ ଡେଣା ପୂରା ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। 

ବିମାନରେ ନିଆଁ ଲାଗିବା ପରେ ତୁରନ୍ତ ଘଟଣାସ୍ଥଳରେ ଜାପାନ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ ମାମଲାର ଯାଞ୍ଚ ଜାରି ରହିଥିବା କହିଛି ପରିବହ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ।