ପୁଣି ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ଲାଗିଲା ନିଆଁ

ବିମାନଟି ଏୟାରପୋର୍ଟରେ ଲ୍ୟାଣ୍ଡି କରିବା ବେଳେ ରନୱେରୁ ଖସି ପଡିଥିଲା। ​​ଏହି କାରଣରୁ ଲ୍ୟାଣ୍ଡିଂ ଗିଅର ଭାଙ୍ଗି ଯାଇଥିଲା। ପରେ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା।

ପୁଣି ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ଲାଗିଲା ନିଆଁ

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ଆଉ ଏକ ବିମାନ। ଲ୍ୟାଣ୍ଡିଂ ବେଳେ ହୁ ହୁ ହୋଇ ଜଳିଗଲା। ତେବେ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସମୟ ପରେ ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି କାନାଡାରେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହଲିଫାକ୍ସ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏକ ଏୟାର କାନାଡା ବିମାନରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ବିମାନଟି ଏୟାରପୋର୍ଟରେ ଲ୍ୟାଣ୍ଡି କରିବା ବେଳେ ରନୱେରୁ ଖସି ପଡିଥିଲା। ​​ଏହି କାରଣରୁ ଲ୍ୟାଣ୍ଡିଂ ଗିଅର ଭାଙ୍ଗି ଯାଇଥିଲା। ଏହାର କିଛି ସମୟ ପରେ ଦେଖୁ ଦେଖୁ ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତହାତ ହୋଇନହାନ୍ତି।

ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ରନ୍‌ଓ୍ୱେରେ ଲ୍ୟାଣ୍ଡ ବେଳେ ବିମାନର ପଙ୍ଖାଗୁଡିକ ତଳେ ଘୋଷାରି ହେଉଛି। ଏହାପରେ ଏଥିରେ ଅଗ୍ନିକାଣ୍ଡ ଘଟୁଛି। ଅନ୍ୟ ଏକ ଭିଡିଓରେ ବିମାନ ଭିତରର ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ଯାତ୍ରୀମାନେ ଭୟଭୀତ ଥିବା ଦେଖିବାକୁ ମିଳିଛି।

କୁହାଯାଉଛି ଯେ ଏହି ବିମାନଟି ପାଲ୍ ଏୟାରଲାଇନ୍ସର, ଯାହା ସେଣ୍ଟ ଜନ୍ ଏବଂ ହଲିଫାକ୍ସ ମଧ୍ୟରେ ଏୟାର କାନାଡା ବିମାନ AC2259 ଉଡାଣ ଭରିଥିଲା। ଏହାର କିଛି ଘଣ୍ଟା ପୂର୍ବରୁ, ରବିବାର ଦିନ, ଦକ୍ଷିଣ କୋରିଆର ମୁଆନ ବିମାନ ବନ୍ଦରରେ ଅବତରଣ କରିବା ପରେ ୧୮୧ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜେଜୁ ଏୟାର ବିମାନ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ କେବଳ ଦୁଇଜଣ ଲୋକ ବଞ୍ଚିଥିବା ବେଳେ ଅନ୍ୟ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି।