ନିଜକୁ ଧିକାର୍ କଲେ ସୌମ୍ୟ, କହିଲେ ବିଜେଡିରେ ମିଶିଥିବାରୁ ଲଜ୍ଜିତ
ନବୀନ ପଟ୍ଟନାୟକ ଜଣେ ଅଦ୍ଭୂତ ପ୍ରେମକାହାଣୀର ନାୟକ। ଯାହାଙ୍କୁ ଓଡ଼ିଶାବାସୀ ଏତେ ଭଲପାଇବା ଦେଲେ, କିନ୍ତୁ ତା’ର ରିଟର୍ଣ୍ଣ ଗିଫ୍ଟ ସେ କ’ଣ ଦେଲେ? ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।
ନବୀନ ପଟ୍ଟନାୟକଙ୍କ ଦଳରେ ମିଶିଥିବାରୁ ନିଜକୁ ଧିକାର୍ କରୁଛି। ଆଉ ସେଥିପାଇଁ ଲଜ୍ଜିତ ମଧ୍ୟ। ନବୀନ ବାବୁଙ୍କୁ ଓଡ଼ିଶାବାସୀ ଯେତିକି ଭଲ ପାଇବା ଦେଇଛନ୍ତି ତା’ର ରିଟର୍ଣ୍ଣ ଗିଫ୍ଟରେ ସିଏ କ’ଣ ଦେଇଛନ୍ତି? ଏଭଳି ଢଙ୍ଗରେ ଆକ୍ଷେପ ଓ ଅନୁତାପ କରିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ।
ଆଜି ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ଅଦ୍ଭୂତ ପ୍ରେମକାହାଣୀର ନାୟକ। ଯାହାଙ୍କୁ ଓଡ଼ିଶାବାସୀ ଏତେ ଭଲପାଇବା ଦେଇ ଧନସମ୍ପତ୍ତି, ସମ୍ମାନ ସବୁ ଦେଲେ। କିନ୍ତୁ ତା’ର ରିଟର୍ଣ୍ଣ ଗିଫ୍ଟ ସେ କ’ଣ ଦେଲେ। ଓଡ଼ିଶାର ଭାଷାଟି ଶିଖିପାରିଲେ ନାହିଁ। ୧୯୯୮ ମସିହା ପୂର୍ବରୁ ନବୀନ ବାବୁ କ’ଣ ଥିଲେ ଓ ତାଙ୍କୁ ଓଡ଼ିଶାବାସୀ ଏତେଦିନ ଧରି ଭଲପାଇବା ଦେଇ କେଉଁ ଆସନରେ ବସାଇଥିଲେ ତାହା ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରତିବଦଳରେ ନବୀନବାବୁ ଓଡ଼ିଆ ଭାଷାଟି ଶିଖିପାରିଲେ ନାହିଁ। ଏଥିରୁ ସେ ଓଡ଼ିଶାକୁ କେତେ ଭଲପାଉଥିଲେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଜଣେ ତେଲେଙ୍ଗା ଯୁବକ ଓଡ଼ିଆ ଝିଅକୁ ପ୍ରେମ କରି ବାହା ହେଲେ ପରସ୍ପରର ଭାଷା ଶିଖୁଛନ୍ତି। ଅଲଗା ଖାଦ୍ୟକୁ ଆପଣାଇ ନେଉଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଏତେଦିନ ଧରି ଓଡ଼ିଶାର ଶାସନରେ ରହିଥିଲେ ମଧ୍ୟ ଓଡ଼ିଆ ଭାଷା ଶିଖିପାରିଲେ ନାହିଁ। ନବୀନ ବାବୁଙ୍କ ଦଳରେ ମିଶିଥିବାରୁ ଏବେ ନିଜକୁ ଲଜ୍ଜିତ ଅନୁଭବ କରୁଛି। ନିଜକୁ ଧିକାର ବି କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅବଶ୍ୟ ସାଧାରଣ ନିର୍ବାଚନର ବହୁ ପୂର୍ବରୁ ସୌମ୍ୟଙ୍କୁ ବିଜେଡି ଦଳରୁ ନିଲମ୍ବନ କରିସାରିଛି।
ଉଲ୍ଲେଖଯୋଗ୍ୟ, ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଅବସରରେ ଶ୍ରୀ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଅବସରପ୍ରାପ୍ତ ପ୍ରଶାସକ ଅମୀୟ ଭୂଷଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।