ନିମାପଡ଼ା ମୁଖ୍ୟ କେନାଲରେ ୧୫ଫୁଟର ଘାଇ; ଚାଷ ଜମି ଜଳମଗ୍ନ

ଗତକାଲି ବିଳମ୍ବିତ ରାତିରେ କେନାଲ ବନ୍ଧରେ ଥିବା ଏକ ଘଳିଆରେ ଘାଇ ସୃଷ୍ଟି ହୋଇଥିଲା।

ନିମାପଡ଼ା ମୁଖ୍ୟ କେନାଲରେ ୧୫ଫୁଟର ଘାଇ; ଚାଷ ଜମି ଜଳମଗ୍ନ

ପୁରୀ ଜିଲ୍ଲା ଆରିଷଣ୍ଢ ପଞ୍ଚାୟତ ଅନ୍ତର୍ଗତ ମୁରାରିପୁରଠାରେ ଥିବା ନିମାପଡା ମୁଖ୍ୟ କେନାଲରେ ୧୫ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ୧୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ନିମାପଡା ମୁଖ୍ୟ କେନାଲରେ ଏକ ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ଫଳରେ ତଳି ରୁଆ ହୋଇଥିବା ଏକର ଏକର ଜମି ଜଳ ମଗ୍ନ ହୋଇଯାଇଛି। ବର୍ଷା ଦିନ ପୂର୍ବରୁ ଜଳସମ୍ପଦ ବିଭାଗ ମରାମତି କରିନଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘାଇ ମରାମତି କାର୍ଯ୍ୟ ଆରମ୍ଭ କରିଥିଛନ୍ତି। ତେବେ ଚାଷୀମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ଥାନୀୟ ସହକାରୀ ଯନ୍ତ୍ରୀ କହିଛନ୍ତି।

ଜଣେ ଗ୍ରାମବାସୀ କହିଛନ୍ତି, ବର୍ଷା ଦିନ ପୂର୍ବରୁ ମରାମତି କରିବା ଆବଶ୍ୟକ। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ତଳି ରୁଆ ଗୁଡ଼ିକ କ୍ଷତି ହୋଇଛି। ସରକାର ଆମକୁ କ୍ଷତିପୂରଣ ଦିଅନ୍ତୁ।