ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ
ସୌଭାଗ୍ୟ ସୁନ୍ଦରରାୟ ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍ସି)ର ଇସ୍ତାହାର ବିଶ୍ଳେଷଣ ନିମନ୍ତେ ବିଶେଷ ମହତ୍ତ୍ୱ ରଖିଥାଏ। କାରଣ ଭାଜପା ଏବେ ଶାସକ ଦଳ ଓ ୧୦ ବର୍ଷ କ୍ଷମତାରେ ରହିଲାଣି। କଂଗ୍ରେସ ଦେଶର ପୁରୁଣା ରାଜନୈତିକ ଦଳ ଓ ଦୀର୍ଘଦିନ ଶାସନ କ୍ଷମତାରେ ରହିଛି। ନିର୍ବାଚନୀ ଇସ୍ତାହାର ଦେଶର […] The post ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ appeared first on Dharitri Odia News.
ସୌଭାଗ୍ୟ ସୁନ୍ଦରରାୟ
ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍ସି)ର ଇସ୍ତାହାର ବିଶ୍ଳେଷଣ ନିମନ୍ତେ ବିଶେଷ ମହତ୍ତ୍ୱ ରଖିଥାଏ। କାରଣ ଭାଜପା ଏବେ ଶାସକ ଦଳ ଓ ୧୦ ବର୍ଷ କ୍ଷମତାରେ ରହିଲାଣି। କଂଗ୍ରେସ ଦେଶର ପୁରୁଣା ରାଜନୈତିକ ଦଳ ଓ ଦୀର୍ଘଦିନ ଶାସନ କ୍ଷମତାରେ ରହିଛି। ନିର୍ବାଚନୀ ଇସ୍ତାହାର ଦେଶର ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ରାଜନୈତିକ ଦଳର ବିଚାରଧାରା, କ୍ଷମତାକୁ ଆସିଲେ ୫ ବର୍ଷରେ ଦେଶ ପାଇଁ କେଉଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବେ ତାହା ଏଥିରେ ପ୍ରତିଫଳିତ ହୋଇଥାଏ। ଦଳର ଲକ୍ଷ୍ୟ, ଦର୍ଶନ ଓ ଚିନ୍ତାଧାରା ଏଥିରେ ନିହିତ ଥାଏ। ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ମଧ୍ୟ ଏଥିରେ ଉଲ୍ଲେଖ ରହିଥାଏ।
ଏବେ ଦେଖିବା ପୂର୍ବ ଇସ୍ତାହାରର କିଛି ଝଲକ। ଭାଜପାର ଅତୀତ ନିର୍ବାଚନୀ ଇସ୍ତାହାରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଶ୍ଳେଷଣ କଲେ ଦେଖାଯାଏ ଯେ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ଭାରତୀୟ ଜନତା ପାର୍ଟି ୧୯୮୪ ମସିହା ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହା ପୂରଣ ହେଲା ୨୦୧୯ ମସିହାରେ। ଅର୍ଥାତ୍ ଦଳକୁ ଏଥିପାଇଁ ୩୫ ବର୍ଷ ଲାଗିଗଲା। ସେହିପରି ଆର୍ଥିକ ଅନଗ୍ରସର ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ଦଳ ୧୯୯୬ରେ ପ୍ରତିଶ୍ରୁତି ଦେଇଥିଲା। ଏହା କାର୍ଯ୍ୟକାରୀ କରିବାକୁ ୨୩ ବର୍ଷ ଲାଗିଲା। ଏହା କାର୍ଯ୍ୟକାରୀ ହେଲା ୨୦୧୯ ମସିହାରେ। ଏକକ ନାଗରିକ ସଂହିତା ପ୍ରଚଳନ ନିମନ୍ତେ ଦଳ ୧୯୮୯ ରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଇତିମଧ୍ୟରେ ୩୫ ବର୍ଷ ବିତିଗଲାଣି। ୧୯୯୧ର ରାମମନ୍ଦିର ନିର୍ମାଣ ପ୍ରତିଶ୍ରୁତି ୩୩ ବର୍ଷ ପରେ ୨୦୨୪ରେ ପୂରଣ ହେଲା। ଦେଶକୁ କଳାଟଙ୍କା ଅଣାଯାଇ ଜନସାଧାରଣଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ଭାଜପାର ୨୦୧୪ ମସିହା ପ୍ରତିଶ୍ରୁତି ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ପରିପ୍ରେକ୍ଷୀରେ କଂଗ୍ରେସର କିଛି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରତିଶ୍ରୁତି ତର୍ଜମା କଲେ ଦେଖାଯାଏ ଯେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ ରୋଜଗାର ଗ୍ୟାରେଣ୍ଟି ଆଇନ ପାଇଁ କଂଗ୍ରେସ ୨୦୦୪ ମସିହା ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ଏହାକୁ ୨୦୦୫ରେ କାର୍ଯ୍ୟକାରୀ କରିଥିବା ବେଳେ ସେହିବର୍ଷର ଇସ୍ତାହାରରେ ଶିକ୍ଷା ଅଧିକାର ଆଇନ ପାଇଁ ଥିବା ପ୍ରତିଶ୍ରୁତି ୨୦୦୯ରେ କାର୍ଯ୍ୟକାରୀ କରିଥିଲା। ଅର୍ଥାତ୍ ଏହି ଦୁଇ ପ୍ରତିଶ୍ରୁତି କଂଗ୍ରେସ ୧ରୁ ୫ ବର୍ଷ ମଧ୍ୟରେ ପୂରଣ କରିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପାଇଁ କଂଗ୍ରେସ ୨୦୦୯ରେ ପ୍ରତିଶ୍ରୁତି ଦେଇ ମାତ୍ର ୪ ବର୍ଷ ଅର୍ଥାତ୍ ୨୦୧୩ରେ ପୂରଣ କରିଥିଲା। କଂଗ୍ରେସର ଇସ୍ତାହାର ପ୍ରତିଶ୍ରୁତିରେ ଆଇନଗତ ଗ୍ୟାରେଣ୍ଟି ରହିଆସୁଛି ଏବଂ ଏହା ତ୍ୱରିତ କାର୍ଯ୍ୟକାରୀ ହେଉଥିବା ଉପରୋକ୍ତ ତଥ୍ୟରୁ ଜଣାପଡ଼ୁଛି। କିନ୍ତୁ ଭାଜପା କ୍ଷେତ୍ରରେ ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ଏହା ହେଉଛି। ଗ୍ୟାରେଣ୍ଟି ଶବ୍ଦ ଭାରତୀୟ ଜନତା ପାର୍ଟି ବା ଏହାର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୁହେଁ, ଗ୍ୟାରେଣ୍ଟି ଶବ୍ଦ କଂଗ୍ରେସର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ ରୋଜଗାର ଆଇନରେ ପ୍ରଥମେ ବ୍ୟବହାର ହୋଇଥିଲା।
ଏବେ ଦେଖିବା ୨୦୨୪ ନିର୍ବାଚନର ଇସ୍ତାହାର ପତ୍ର। ପୂର୍ବରୁ କଂଗ୍ରେସ ନିଜ ଇସ୍ତାହାର ‘ନ୍ୟାୟ ପତ୍ର’ ଭାବେ ପ୍ରକାଶ କରିସାରିଛି ଏବଂ ପରେ ଭାଜପାର ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ରୂପେ ପ୍ରକାଶ ପାଇଛି। ଭାରତୀୟ ଜନତା ପାର୍ଟି ନିଜ ସଂକଳ୍ପ ପତ୍ରରେ ‘ବିକଶିତ ଭାରତ’ ଉପରେ ଗୁରୁତ୍ୱାରୋପ କରିଛି। ତେବେ ଏହାର ସମୟସୀମା ୨୦୪୭ ମସିହା ରଖିଛି। ଅର୍ଥାତ୍ ଏହା ୫ ବର୍ଷ ପାଇଁ ନୁହେଁ ବୋଲି ଜଣାପଡ଼ୁଛି। ବିକଶିତ ଭାରତର ୪ ସ୍ତମ୍ଭ ଭାବେ ଗରିବ, ମହିଳା, ଯୁବକ ଓ କୃଷକଙ୍କୁ ଚିହ୍ନଟ କରାଯାଇଛି। ଦେଖିବାକୁ ଗଲେ ପାର୍ଲାମେଣ୍ଟରେ ଗୃହୀତ ୩୩% ମହିଳା ସଂରକ୍ଷଣ ଆଇନ ୨୦୨୯ ନିର୍ବାଚନ ପୂର୍ବରୁ ଲାଗୁ ସମ୍ଭବ ନୁହେଁ। ଅତୀତରେ ଚାଷୀମାରଣ ବିଲ୍ ଆଣି ଭାଜପା ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି। ସେହିପରି ଦେଶରେ ବେରୋଜଗାରି ବଢ଼ିଛି ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ୍ ବୃଦ୍ଧିରେ ଗରିବ ଜନସାଧାରଣ ଅତିଷ୍ଠ। ବର୍ତ୍ତମାନ ଏହା ହିଁ ବିକଶିତ ଭାରତର ୪ ସ୍ତମ୍ଭର ଅବସ୍ଥା। ସଂକଳ୍ପ ପତ୍ରରେ କୃଷି ଉପତ୍ାଦିତ ଦ୍ରବ୍ୟର ସହାୟକ ଦର ବୃଦ୍ଧି, ରିହାତି ଚାଉଳ ଅବଧି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି, ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା ଅବଧି ବୃଦ୍ଧି, ପାନୀୟ ଜଳ ଯୋଗାଣ ଆଦି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏସବୁ ବିଷୟକୁ ବର୍ତ୍ତମାନ ଯୋଜନାର ସଂପ୍ରସାରିତ ପ୍ରତିଶ୍ରୁତି ବୋଲି କୁହାଯାଇପାରେ। ମୋଟାମୋଟି ଦେଖିବାକୁ ଗଲେ ଭାରତୀୟ ଜନତା ପାର୍ଟିର ଇସ୍ତାହାରରେ ସେଭଳି କୌଣସି ନୂତନତା ନାହିଁ। ବର୍ତ୍ତମାନ ଯେଉଁ ଯୋଜନା ଚାଲିଛି ତାହା ଅବ୍ୟାହତି ରଖିବାର ପ୍ରତିଶ୍ରୁତି ଦିଆଯାଇଛି। ଦୀର୍ଘ ଅତୀତକୁ ଇସ୍ତାହାରରେ ସ୍ଥାନ ଦେଇ ଦଳ ନିଜ ଉତ୍ତର ଭାରତୀୟ ଭୋଟ ଭିତ୍ତିଭୂମି ସୁଦୃଢ଼ କରି ରଖିବାକୁ ଉଦ୍ୟମ କରିଛି। ଏଣୁ ଇସ୍ତାହାରରେ ସାଧାରଣତଃ ୫ ବର୍ଷ ଆଗ ଓ ୫ ବର୍ଷ ପଛ କଥା କୁହାଗଲେ ଭଲ। ଏହାଦ୍ୱାରା ସାଧାରଣ ଭୋଟର ଭ୍ରମିତ ହେବେନାହିଁ। ଦଳ ଏକ ରାଷ୍ଟ୍ର, ଏକ ନିର୍ବାଚନ ଓ ଏକକ ନାଗରିକ ସଂହିତା ପ୍ରସଙ୍ଗ ଦୋହରାଇଛି।
ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଇତିମଧ୍ୟରେ ନିଜ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଏକଦା ଗରିବୀ ହଟାଓ ସ୍ଲୋଗାନ ଥିଲା କଂଗ୍ରେସର। ଏହା ଏକ ପୁରୁଣା ଇସ୍ତାହାର କହିଲେ ଚଳେ। ଏହାପରେ ଦିନମଜୁରିଆଙ୍କ ହାତକୁ କାମ ଦେବା ପାଇଁ ଦଳ ପ୍ରଚଳନ କରିଥିଲା ମନରେଗା। ସୂଚନା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଆଇନ, ଶିକ୍ଷା ଅଧିକାର ଆଇନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦଳ ଦେଶରେ ପ୍ରଚଳନ କରିଛି। ତେବେ ବିଗତ ୧୦ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା ଦଳର ୨୦୨୪ ନିର୍ବାଚନୀ ଇସ୍ତାହାର ଅନୁଧ୍ୟାନ କଲେ ଦଳ ଆଗାମୀ ଦିନରେ ନିଜ ଭୋଟର ଭିତ୍ତିଭୂମିରେ ସୁଧାର ଆଣିବା ନିମନ୍ତେ ଏଥିରେ ପ୍ରୟାସ କରିଥିବା ପରି ମନେହେଉଛି। ଏକଦା ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ଦଳର ପ୍ରମୁଖ ଭୋଟ୍ବ୍ୟାଙ୍କ ଭାବେ ବିବେଚିତ ହେଉଥିଲେ। ହେଲେ ବିଗତ ଦିନରେ ଏହି ସଂଖ୍ୟାରେ ହ୍ରାସ ଘଟିଛି। ଏହି ଭୋଟରଙ୍କୁ ନିଜପାଖକୁ ଆଣିବା ସହ ବିଗତ ଦଶନ୍ଧିରେ ସୃଷ୍ଟି ହୋଇଥିବା କିଛି ନୂଆଶ୍ରେଣୀର ଭୋଟରଙ୍କୁ ଦଳ ସହ ଯୋଡ଼ିବା ପାଇଁ ଇସ୍ତାହାରରେ ଉଦ୍ୟମ କରାଯାଇଛି। ଦେଶରେ ବର୍ତ୍ତମାନ ବେକାରି ସମସ୍ୟା ଅତି ଉତ୍କଟ ଅବସ୍ଥାରେ ରହିଛି। ଶ୍ରମ ଶକ୍ତି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ୨୦୧୨ ମସିହାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ୧ କୋଟି ଥିବାବେଳେ ୨୦୨୨ ବେଳକୁ ଏହି ସଂଖ୍ୟା ୪ କୋଟିରେ ପହଞ୍ଚତ୍ଛି। ଅଜିମ୍ ପ୍ରେମ୍ଜୀ ୟୁନିଭର୍ସିଟିର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ୨୫ ବର୍ଷରୁ କମ୍ ବୟସ ମଧ୍ୟରେ ଥିବା ୪୨% ସ୍ନାତକ ବେରୋଜଗାରି ଅବସ୍ଥାରେ ରହିଛନ୍ତି। ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ଆପ୍ରେଣ୍ଟିସ୍ ଅଧିକାର ଆଇନ ପାଇଁ କଂଗ୍ରେସ ନିଜ ଇସ୍ତାହାରରେ କହିଛି। ୨୫ ବର୍ଷରୁ କମ୍ ବୟସ ମଧ୍ୟରେ ଥିବା ସମସ୍ତ ଡିପ୍ଲୋମା ଓ ସ୍ନାତକଧାରୀ ବିଭିନ୍ନ ଅନୁଷ୍ଠାନରେ ଏକ ବର୍ଷ ଆପ୍ରେଣ୍ଟିସ ଅଧିକାର ପାଇବେ। ଏହି ସମୟରେ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା ଅଂଶଧନ ଆକାରରେ ପ୍ରଦାନ କରାଯିବ, ଯାହା ସରକାର ଓ ଆପ୍ରେଣ୍ଟିସ ପ୍ରଦାନକାରୀ ସଂସ୍ଥା ସମାନ ଅନୁପାତରେ ଭରଣା କରିବେ। ସେହିପରି ୩୦ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ସରକାରୀ ଅନୁମୋଦିତ ପଦବୀରେ ସମସ୍ତ ଠିକା ନିଯୁକ୍ତିକୁ ନିୟମିତ କରାଯିବ। ଶିକ୍ଷାଲାଭ ଓ ଚାକିରି ପାଇଁ ସମସ୍ତ ବର୍ଗର ଆର୍ଥିକ ଅନଗ୍ରସର ଶ୍ରେଣୀ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯିବ। ଅଗ୍ନିବୀର ଯୋଜନା ବାତିଲ କରାଯିବ। ଅଧୁନା ଅଗ୍ନିବୀର ଏକ ୪ବର୍ଷିଆ ଚାକିରି, ଯେଉଁଥିରେ ନିଯୁକ୍ତି ସୁରକ୍ଷା ବ୍ୟବସ୍ଥା ନାହିଁ। ଉପରୋକ୍ତ ବିଷୟକୁ ଅନୁଧ୍ୟାନ କଲେ ଯୁବପିଢ଼ି ପାଇଁ ଇସ୍ତାହାର ଆଶ୍ୱାସନାର ବିଷୟ ହୋଇଛି।
ମୋ: ୯୪୩୭୨୨୯୨୩୩
The post ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ appeared first on Dharitri Odia News.