ନିୟମିତ ହେବ ଏସ୍‌ସିବିର ଯକୃତ ପ୍ରତିରୋପଣ ଓପିଡି, ଆଉ ଦୁଇ ଜଣଙ୍କର ଯକୃତ ପ୍ରତିରୋପଣ ନିମନ୍ତେ ସବୁଜ ସଙ୍କେତ

କଟକ : ଏସ୍‌ସିବିରେ ଭିତ୍ତିଭୂମି ପ୍ରସ୍ତୁତ। ଯକୃତ ପ୍ରତିରୋପଣ ନିମନ୍ତେ ମହଜୁଦ ହୋଇରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ମେସିନ। ପ୍ରତିରୋପଣ ନିମନ୍ତେ ଉଦ୍ଦିଷ୍ଟ ମଡୁଲାର ଓ.ଟି ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ବଡ ମେଡିକାଲରେ ଯକୃତ ପ୍ରତିରୋପଣ ସଂଖ୍ୟା ବୃଦ୍ଧି ଦିଗରେ ଏବେ ଗୁରୁତ୍ୱ ଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ରାଜ୍ୟର ବିଭିନ୍ନ ପ୍ରାନ୍ତର ଯକୃତ ରୋଗୀ କିପରି ନିଃଶୁଳ୍କରେ ପ୍ରତିରୋପଣ ଭଳି ମହଙ୍ଗା ଚିକିତ୍ସା ସେବା ପାଇବେ ତାହାକୁ ବିଶେଷ ଦୃଷ୍ଟି ଦିଆଯାଉଛି। ସୁପରସ୍ପେଶିଆଲିଟି ଆଉଟଡୋର୍‌ର […]

ନିୟମିତ ହେବ ଏସ୍‌ସିବିର ଯକୃତ ପ୍ରତିରୋପଣ ଓପିଡି, ଆଉ ଦୁଇ ଜଣଙ୍କର ଯକୃତ ପ୍ରତିରୋପଣ ନିମନ୍ତେ ସବୁଜ ସଙ୍କେତ
slow-music-will-be-played-inside-the-icu-of-scb-medical

କଟକ : ଏସ୍‌ସିବିରେ ଭିତ୍ତିଭୂମି ପ୍ରସ୍ତୁତ। ଯକୃତ ପ୍ରତିରୋପଣ ନିମନ୍ତେ ମହଜୁଦ ହୋଇରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ମେସିନ। ପ୍ରତିରୋପଣ ନିମନ୍ତେ ଉଦ୍ଦିଷ୍ଟ ମଡୁଲାର ଓ.ଟି ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ବଡ ମେଡିକାଲରେ ଯକୃତ ପ୍ରତିରୋପଣ ସଂଖ୍ୟା ବୃଦ୍ଧି ଦିଗରେ ଏବେ ଗୁରୁତ୍ୱ ଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ରାଜ୍ୟର ବିଭିନ୍ନ ପ୍ରାନ୍ତର ଯକୃତ ରୋଗୀ କିପରି ନିଃଶୁଳ୍କରେ ପ୍ରତିରୋପଣ ଭଳି ମହଙ୍ଗା ଚିକିତ୍ସା ସେବା ପାଇବେ ତାହାକୁ ବିଶେଷ ଦୃଷ୍ଟି ଦିଆଯାଉଛି। ସୁପରସ୍ପେଶିଆଲିଟି ଆଉଟଡୋର୍‌ର ୧୬ନମ୍ବର ରୁମ୍‌ରେ ପ୍ରତି ଗୁରୁବାର ଓ.ପି.ଡି କାର୍ଯ୍ୟ କରିବ। ଏବେ ଓ.ପି.ଡି ରହିଥିଲେ ସୁଦ୍ଧା ଏହାକୁ ନିୟମିତ କରିବା ଦିଗରେ ଅଗ୍ରାଧିକାର ଦେଇଛନ୍ତି କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଏସ୍‌ସିବିରେ ଦ୍ୱିତୀୟ ଯକୃତ ପ୍ରତିରୋପଣ ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଛି। ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ଡାକ୍ତରୀ ଦଳ ପହଞ୍ଚି ପ୍ରତିରୋପଣ ନିମନ୍ତେ ଅପେକ୍ଷାରତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।

ଏଆଇଜି ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌ ଓ ଉପସଭାପତି ସନ୍ତୋଷ ସାହୁ ଗୁରୁବାର ଏସ୍‌ସିବି ଆସିଥିଲେ। ଏଆଇଜି ଡାକ୍ତରଙ୍କ ସମେତ ଏସ୍‌ସିବି ମେଡିକାଲର ଡାକ୍ତରୀ ଦଳ ମଧ୍ୟ ଯୋଗ ଦେଇଥିଲେ। ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଏସ୍‌ସିବି ଲିଭର ଟ୍ରାନ୍ସପ୍ଲାଷ୍ଟ ୟୁନିଟ ମୁଖ୍ୟ ତଥା ନୋଡାଲ ଅଫିସର ପ୍ରଫେସର ଡାକ୍ତର ରାଜେଶ ଦୋରା, ପ୍ରଫେସର ଡାକ୍ତର ସୁଶାନ୍ତ ଜେନା, ଡାକ୍ତର ମାନସ ବେହେରା, ଡାକ୍ତର ରାକେଶ ବାରିକ, ଡାକ୍ତର ମନୋଜ ପାଣି, ଡାକ୍ତର ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୋଟ୍‌ ୧୪ଜଣ ଯକୃତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଇନଡୋର ଓପିଡିରେ ୪ଜଣଙ୍କ ସ୍କ୍ରିନିଂ ହୋଇଥିବା ବେଳେ ଆଉଟଡୋର ଓପିଡିରେ ୧୦ଜଣ ରୋଗୀ ଡାକ୍ତରଙ୍କୁ ଭେଟିଥିଲେ। ତେବେ ଇନଡୋର ଓପିଡିକୁ ଆସିଥିବା ୪ଜଣ ରୋଗୀଙ୍କ ଭିତରୁ ୨ଜଣଙ୍କ ପ୍ରତିରୋପଣ କରାଯିବ ବୋଲି ସବୁଜ ସଙ୍କେତ ମିଳିଛି। ଉକ୍ତ ଦୁଇ ରୋଗୀଙ୍କୁ ଯିଏ ଯକୃତ ଦାନ କରିବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଖୁବଶୀଘ୍ର ଆରମ୍ଭ କରାଯିବ। ଏସ୍‌ସିବି ମେଡିକାଲର ଡାକ୍ତର ପ୍ରତିରୋପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। ଏପରିସ୍ଥଳେ ଯାହା ସହଯୋଗ ଆବଶ୍ୟକ ହେବ, ତାହା ଏଆଇଜି ପକ୍ଷରୁ ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ ପ୍ରଥମ ଯକୃତ ପ୍ରତିରୋପିତ ହୋଇଥିବା ତିଗିରିଆ ଅଞ୍ଚଳର ମାନସ କୁମାର ବାରିକ ଗୁରୁବାର ବଡ ମେଡିକାଲ ଆସିଥିଲେ। ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇଛନ୍ତି ବୋଲି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ପଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ପ୍ରତିରୋପଣର ଗୋଟିଏ ମାସ ପରେ ମାନସଙ୍କୁ ଡିସଚାର୍ଜ କରାଯାଇଥିଲା। ହେଲେ ସେ କଟକରେ ରହୁଥିଲେ। ପ୍ରତି ସପ୍ତାହରେ ଆସି ଡାକ୍ତରଙ୍କୁ ଭେଟୁଥିଲେ। ତାଙ୍କ ପ୍ରତି ସଂକ୍ରମଣର ଭୟ ଥିଲା। ହେଲେ ଗୁରୁବାର ଶେଷଥର ନିମନ୍ତେ ସ୍ୱାସ୍ଥ୍ୟପରୀକ୍ଷା କରାଯିବା ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାପଡ଼ିଛି। ଆଜି ମାନସ ତିଗିରିଆ ଫେରିଥିଲେ।

ପ୍ରକାଶଯୋଗ୍ୟ, ଦୀର୍ଘ ୧୧ ବର୍ଷ ଧରି ଯକୃତ ପ୍ରତିରୋପଣ ନେଇ ଲାଗି ରହିଥିବା ଦ୍ୱନ୍ଦରେ ପୂର୍ଣ୍ଣଚ୍ଛେଦ ପଡିଥିଲା ଗତ ଏପ୍ରିଲ ୩ ତାରିଖରେ। ବଡ ମେଡିକାଲରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଯାହା ରାଜ୍ୟର ସର୍ବବୃହତ ସରକାରୀ ହସ୍ପିଟାଲ ତଥା ଏସ୍‌ସିବି ମେଡିକାଲ ସମେତ ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଥିଲା। ମାନସଙ୍କ ପତ୍ନୀ ରଶ୍ମିତା ବାରିକ ଯକୃତ ଦାନ କରିଥିଲେ। ପ୍ରଥମ ପ୍ରତିରୋପଣର ସଫଳତା ପରେ ଦ୍ୱିତୀୟ ପ୍ରତିରୋପଣ ନିମନ୍ତେ ଏସ୍‌ସିବି କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି।