ନୂତନ ସମ୍ପର୍କର ଆରମ୍ଭ; ଆଫଗାନବାସୀଙ୍କୁ ଭିସା ସେବା ଆରମ୍ଭ କଲା ଭାରତ, 2021ରୁ ଥିଲା ବନ୍ଦ

ନୂଆଦିଲ୍ଲୀ: ତାଲିବାନ କାବୁଲ ଦଖଲ କରିବା ପରେ ବନ୍ଦ ହୋଇଥିଲା ଭାରତୀୟ ଭିସା ସେବା । ଦୀର୍ଘ 4 ବର୍ଷ ପରେ ପୁଣି ଏହି ସେବା ଆରମ୍ଭ ହୋଇଛି । ଆଫଗାନ ନାଗରିକଙ୍କ ପାଇଁ 6ଟି ବର୍ଗରେ ଭିସା ପ୍ରଦାନ କରିବା ଆରମ୍ଭ କରିଛନ୍ତି ଭାରତ ସରକାର । ବ୍ୟବସାୟ, ଶିକ୍ଷା ଓ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ଆଫଗାନ ନାଗରିକମାନେ ଏବେ ଅନଲାଇନରେ ଆବେଦନ କରିପାରିବେ। 2021 ଅଗଷ୍ଟରେ ତାଲିବାନ କ୍ଷମତା ହାସଲ କରିବା […]

ନୂତନ ସମ୍ପର୍କର ଆରମ୍ଭ; ଆଫଗାନବାସୀଙ୍କୁ ଭିସା ସେବା ଆରମ୍ଭ କଲା ଭାରତ, 2021ରୁ ଥିଲା ବନ୍ଦ

ନୂଆଦିଲ୍ଲୀ: ତାଲିବାନ କାବୁଲ ଦଖଲ କରିବା ପରେ ବନ୍ଦ ହୋଇଥିଲା ଭାରତୀୟ ଭିସା ସେବା । ଦୀର୍ଘ 4 ବର୍ଷ ପରେ ପୁଣି ଏହି ସେବା ଆରମ୍ଭ ହୋଇଛି । ଆଫଗାନ ନାଗରିକଙ୍କ ପାଇଁ 6ଟି ବର୍ଗରେ ଭିସା ପ୍ରଦାନ କରିବା ଆରମ୍ଭ କରିଛନ୍ତି ଭାରତ ସରକାର ।

ବ୍ୟବସାୟ, ଶିକ୍ଷା ଓ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ଆଫଗାନ ନାଗରିକମାନେ ଏବେ ଅନଲାଇନରେ ଆବେଦନ କରିପାରିବେ। 2021 ଅଗଷ୍ଟରେ ତାଲିବାନ କ୍ଷମତା ହାସଲ କରିବା ପରେ, ଭାରତ କାବୁଲରେ ଥିବା ତା’ର ଦୂତାବାସରୁ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରି ଭିସା ସେବା ବନ୍ଦ କରିଦେଇଥିଲା। ଏବେ ଭାରତ ସରକାରଙ୍କ ଅଫିସିଆଲ ଭିସା ପୋର୍ଟାଲରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବ୍ୟବସାୟ, ଶିକ୍ଷା ଓ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଆଫଗାନ ନାଗରିକଙ୍କୁ ଭିସା ମିଳିବ ।

କୂଟନୈତିକ ଦୃଷ୍ଟିକୋଣରୁ ଏହାକୁ ଭାରତ-ଆଫଗାନିସ୍ତାନ ସମ୍ପର୍କ ପୁନରୁଦ୍ଧାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ଏପ୍ରିଲ ମାସ ଶେଷ ସପ୍ତହରେ ନିଆଯାଇଥିଲା ଏବଂ ସରକାରୀ ଭିସା ପୋର୍ଟାଲ୍ indianvisaonline.gov.in ରେ ‘ନୂତନ ଆଫଗାନ ଭିସା ମଡ୍ୟୁଲ୍’ ଆରମ୍ଭ କରି ଏହାକୁ କାର୍ଯ୍ୟକାରୀ କରିଥିଲେ। ଏହି ବିଜ୍ଞପ୍ତି ମାଧ୍ୟମରେ, ଭାରତ ସୂଚିତ କରିଛି ଯେ, ସେ ତାଲିବାନ ଶାସନ ସତ୍ତ୍ୱେ ଆଫଗାନ ସହ ମାନବିକ ଏବଂ ସାଂସ୍କୃତିକ ସମ୍ପର୍କ ବଜାୟ ରଖିବାକୁ ଚାହେଁ।

15 ଅଗଷ୍ଟ 2021ରେ ତାଲିବାନ କାବୁଲ ଦଖଲ କରିବା ପରେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ତୁରନ୍ତ ସମସ୍ତ ଭିସା ସେବା ସ୍ଥଗିତ କରିଦେଇଥିଲେ। ଏହା ପରେ, ହଜାର ହଜାର ଆଫଗାନ ନାଗରିକ, ବିଶେଷକରି ଛାତ୍ର, ବ୍ୟବସାୟୀ ଏବଂ ଚିକିତ୍ସା ଚାହୁଁଥିବା ଲୋକଙ୍କ ପାଇଁ ଭାରତ ଆସିବା ସମ୍ଭବ ହୋଇନଥିଲା।

ଏବେ ଭାରତ ଏହି ଭିସା ସେବାର ପୁନାଃରମ୍ଭ କରିଛି । ଏହା କେବଳ ମାନବିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଏହା ଭରତର ‘ପିପୁଲ ଟୁ ପିପୁଲ କନେକ୍ସନ’ନୀତିର ମଧ୍ୟ ପ୍ରତୀକ ଅଟେ । ଯାହା ସର୍ବଦା ଆଫଗାନବାସୀଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ରହିଆସିଛି ।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ସାଂସ୍କୃତିକ, ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ଗଭୀର ତଥା ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ରଖିଆସିଛି। ଆଉ ଏବେ ନୂତନ ଭିସା ସୁବିଧା ହଜାର ହଜାର ଆଫଗାନ ଛାତ୍ରଙ୍କୁ ଭାରତରେ ଉଚ୍ଚଶିକ୍ଷା ପୁନଃଆରମ୍ଭ କରିବାର ସୁଯୋଗ ଦେବ, ଏବଂ ଅସୁସ୍ଥ ନାଗରିକଙ୍କ ପାଇଁ ଉତ୍ତମ ଚିକିତ୍ସା ପାଇବାର ପଥ ମଧ୍ୟ ଖୋଲିବ।