ନୈତିକତାର ନତମସ୍ତକ ନ ହେଉ
ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି, ଯେଉଁଠି ଥାଏ ଏକ ଗୁଣାତ୍ମକ ଚରିତ୍ର ଓ ଆଦର୍ଶଗତ ବିଚାରଧାରା। ଯଦି ସମାଜ ଉକ୍ତ ବିଚାରଧାରାର ଜୀବନଶୈଳୀକୁ ସାଦରେ ଗ୍ରହଣ କରିଥାଏ, ତେବେ ଏହି ଜୀବନଶୈଳୀ ପରବର୍ତ୍ତୀ ସମୟରେ ସମାଜରେ ହୋଇଯାଏ ଆଦର୍ଶର କିମ୍ବଦନ୍ତୀ। ଇତିହାସକୁ ଅବଲୋକନ କଲେ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ, ଅତୀତର ଗୁଣାତ୍ମକ ଆଦର୍ଶ ପରବର୍ତ୍ତୀ […] The post ନୈତିକତାର ନତମସ୍ତକ ନ ହେଉ appeared first on Dharitri Odia News.
ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି, ଯେଉଁଠି ଥାଏ ଏକ ଗୁଣାତ୍ମକ ଚରିତ୍ର ଓ ଆଦର୍ଶଗତ ବିଚାରଧାରା। ଯଦି ସମାଜ ଉକ୍ତ ବିଚାରଧାରାର ଜୀବନଶୈଳୀକୁ ସାଦରେ ଗ୍ରହଣ କରିଥାଏ, ତେବେ ଏହି ଜୀବନଶୈଳୀ ପରବର୍ତ୍ତୀ ସମୟରେ ସମାଜରେ ହୋଇଯାଏ ଆଦର୍ଶର କିମ୍ବଦନ୍ତୀ। ଇତିହାସକୁ ଅବଲୋକନ କଲେ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ, ଅତୀତର ଗୁଣାତ୍ମକ ଆଦର୍ଶ ପରବର୍ତ୍ତୀ ସମୟରେ ତାହା ଅନ୍ୟମାନଙ୍କୁ ଦେଇଥାଏ ପ୍ରେରଣା। ମଣିଷକୁ ସେଥିପାଇଁ କୁହାଯାଏ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। କାରଣ ମଣିଷ ନିକଟରେ ବିଚାର, ବୁଦ୍ଧି, ବିବେକ ଓ ନୈତିକତା ରହିଛି, ଯାହାଦ୍ୱାରା ମଣିଷ ନିଜେ ନିର୍ଣ୍ଣୟ କରିଥାଏ କେଉଁଟା ଠିକ୍ ଓ କେଉଁଟା ଭୁଲ୍। ମାତ୍ର ମଣିଷ ଯେତେବେଳେ ସ୍ବାର୍ଥ ଦ୍ୱାରା ଆକ୍ରାନ୍ତ ହୋଇଥାଏ, ସେତେବେଳେ ଭୁଲ୍ ଠିକ୍ର ବିଚାର ନ କରି ଆଦର୍ଶକୁ ଜଳାଞ୍ଜଳି ଦେଇ କେବଳ ସ୍ବାର୍ଥର ପରିଧି ମଧ୍ୟରେ ଧାବମାନ କରିଥାଏ। କିନ୍ତୁ ମଣିଷକୁ ସୂଚିତ କରେ ଯେ, ସ୍ବାର୍ଥ ସଦାବେଳେ ନିଜ ସପକ୍ଷରେ ନ ଥାଏ ଓ ସ୍ବାର୍ଥ କେବେ ନିଜର ହୋଇ ନ ଥାଏ। ଅତଏବ ସ୍ବାର୍ଥକୁ ସିଦ୍ଧ କରିବା ପାଇଁ ମଣିଷ ଏତେ ହୀନ ଓ ନୀତିହୀନ କାର୍ଯ୍ୟ କରେ ଯେଉଁଥିରେ ବ୍ୟକ୍ତି ସମାଜ ଦ୍ୱାରା, ବ୍ୟକ୍ତି ଦ୍ୱାରା ପରୋକ୍ଷରେ ଓ ପ୍ରତ୍ୟକ୍ଷରେ ଅନେକ ସମାଲୋଚିତ ହୋଇଥାଏ। କିନ୍ତୁ ସ୍ବାର୍ଥର ଅନ୍ଧକାରରେ ମଣିଷ ଯେତେବେଳେ ନିମଜ୍ଜିତ ହୁଏ ସେତେବେଳେ ସେ କେବଳ ଦେଖିଥାଏ ଅନେକ କିଛି ପାଇବାର ଆଶା ଓ ଇଚ୍ଛା। ମଣିଷ କେଉଁ ସମାଜଗୁଡିକ ଠିକ୍ ଓ ଗ୍ରହଣୀୟ ଭାବରେ ଅନୁମୋଦନ କରେ ତାହା ନୈତିକତା ଦର୍ଶାଇ ଦେଇଥାଏ। ସମାଜରେ ଅଧିକାଂଶ ବ୍ୟକ୍ତି ନୈତିକ ଭାବରେ କାର୍ଯ୍ୟ କରନ୍ତି ଓ ସାମାଜିକ ନିର୍ଦ୍ଦେଶାବଳୀ ଅନୁସରଣ କରି ଜୀବନ ନିର୍ବାହ କରିଥାନ୍ତି। ସେଥିରେ ଯେତେ ବାଧାବିଘ୍ନ ହେଲେ ମଧ୍ୟ ସେମାନେ ମୂଲ୍ୟବୋଧକୁ ଧରାଶାୟୀ ହେବାକୁ ଦିଅନ୍ତି ନାହିଁ। ନୈତିକତା ପ୍ରାୟତଃ ଆବଶ୍ୟକ କରେ ଯେ ବ୍ୟକ୍ତି ସମାଜର ସ୍ବାର୍ଥ ପାଇଁ ନିଜର ସ୍ବଳ୍ପ ମିଆଦୀ ସ୍ବାର୍ଥକୁ ବଳିଦାନ କରୁ। ସମାଜ ପାଇଁ ନୈତିକ ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। କାରଣ ତାହା ସମାଜରେ କିପରି ପରସ୍ପର ସହ ଉତ୍ତମ ଜୀବନଯାପନ କରିବାକୁ ଶିକ୍ଷା ଦେଇଥାଏ ଓ ଜୀବନର ମାନ ଓ ମହତ୍ତକୁ ଉପଯୁକ୍ତ ମାର୍ଗରେ ପ୍ରତିପାଦିତ କରିଥାଏ। ଏହା ଶିକ୍ଷା ଦେଇଥାଏ ଯେ ସମସ୍ତ ମଣିଷ ସମାନ ଅଧିକାର ପାଇବାକୁ ଯୋଗ୍ୟ, ଯେଉଁଥିପାଇଁ ଜାତି କିମ୍ବା ଜାତି ଉପରେ ଆଧାର କରି କାହାକୁ ଭେଦ କରିବା ଠିକ ନୁହେଁ। ନୀତି ହେଉଛି ଏକ ବୃତ୍ତି ଯାହା ସମାଜରେ ସବୁଠାରୁ ଶକ୍ତିଶାଳୀ ପ୍ରତିକ୍ରିୟା ସୃଷ୍ଟି କରିପାରିବ ବୋଲି ବିଶ୍ୱାସ ଥାଏ। ଅନ୍ୟପକ୍ଷରେ ରାଜନୀତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଯାହା ଅନେକ ପ୍ରସଙ୍ଗ ସହିତ ଜଡିତ ହୋଇଥାଏ। ରାଜନୀତିକୁ ଶ୍ରେଷ୍ଠ ନୀତି ବୋଲି ବିବେଚନା କରାଯାଏ, କାରଣ ସେଥିରେ ନୀତିର ଶ୍ରେଷ୍ଠତ୍ୱ ନିହିତ ଥାଏ ବୋଲି ବିଚାର କରାଯାଏ।
ଜୀବନକୁ ଜୀବନଶୈଳୀରେ ରୂପାନ୍ତରୀକରଣ କରିବାକୁ ହେଲେ ନୈତିକତାର ନୀତିକୁ ଆଲିଙ୍ଗନ କରିବାକୁ ପଡ଼ିଥାଏ। ମାତ୍ର ନିର୍ବାଚନ ସମୟରେ ଯେଉଁ ବ୍ୟକ୍ତିବିଶେଷ ଗୋଟିଏ ରାଜନୈତିକ ଦଳରୁ ଅନ୍ୟ ଏକ ରାଜନୈତିକ ଦଳକୁ ଲମ୍ଫ ପ୍ରଦାନ କରନ୍ତି ତାହା ସମାଜର ଅନ୍ୟମାନଙ୍କୁ ବିଶେଷତଃ ଗଣତନ୍ତ୍ରର ମତଦାତାମାନେ ଚକିତ ହେଉଛନ୍ତି ଯେ ନୈତିକ ନୈତିକତାର ଏ ନତମସ୍ତକ କେଉଁ କାରଣ ପାଇଁ ନିହିତ ହେଉଛି। ଗଣତନ୍ତ୍ରରେ ନିଜର ଇଚ୍ଛା ଅନୁଯାୟୀ ବଞ୍ଚିବା ବା ବାକ୍ ସାଧୀନତା ତଥା ସ୍ବଇଚ୍ଛାକୁ ସମ୍ମାନ ଦେବା ବ୍ୟକ୍ତିର ଅଧିକାର ଓ ସେଥିରେ କୌଣସି ବ୍ୟକ୍ତି ହସ୍ତକ୍ଷେପ କରିବା ଉଚିତ ନୁହେଁ। କିନ୍ତୁ ନୈତିକତାର ବିଚାରଧାରା ମାତ୍ର କେଇ ଘଣ୍ଟାରେ ବିପରୀତ ଧର୍ମୀ କିପରି ହୋଇଥାଏ ତାହା ନତମସ୍ତକର ଉପସଂହାର ସୂଚନା ଦେଇଥାଏ। ଅତୀତର ଏଇ ସମାଜରେ ଆମର ମଧ୍ୟ ଏପରି ରାଜନେତା ଥିଲେ ଯେଉଁମାନେ ଦୁର୍ନୀତି, ନିଷ୍ଠା, ନୈତିକତା ଆଦିରେ ଜୀବନ ଉତ୍ସର୍ଗ କରି ଉଦାହରଣ ହୋଇଯାଇଛନ୍ତି। ମାତ୍ର ବର୍ତ୍ତମାନର ବିଚାରଧାରାକୁ ଦେଖିଲେ ତାହାର କେତେ ଅନ୍ତର ସହଜରେ ଅନୁମାନ କରାଯାଏ। ଆଦର୍ଶ ରାଜନୀତି ସତ୍ୟତା, ଲୋକଙ୍କ କଲ୍ୟାଣ, ବିଶ୍ୱସ୍ତତା ଆଦିକୁ ସମ୍ମାନ ଦେଇଥାଏ ,କିନ୍ତୁ ଆଜିକାଲି କ୍ଷମତା ହାସଲ କରିବାକୁ, ରାଜନୈତିକ ଦଳ ତଥା ରାଜନୈତିକ ନେତାମାନେ ମୂଲ୍ୟଭିତ୍ତିକ ରାଜନୀତିକୁ ଗ୍ରହଣ କରିବାକୁ ଚେଷ୍ଟା କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି। ସାମ୍ପ୍ରତିକ ରାଜନୈତିକ ମୂଲ୍ୟବୋଧରେ ସହନଶୀଳତା ଯେପରି ହଜିଯାଉଛି ତାହା ନୈତିକତାକୁ ନତମସ୍ତକ କରିବାକୁ ପ୍ରୋତ୍ସାହନ ଦେଉଅଛି। ସମ୍ବିଧାନ ହେଉଛି ଆଇନ ଶାସନର ମୂଳଦୁଆ। ଭାରତର ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଆମେ ରାଜନୈତିକ ବ୍ୟବସ୍ଥା ବୁଝିବାରେ ଏ ସମାଜ ବିଫଳ ହୋଇଛି ବୋଲି ସ୍ବୀକାର କରିବାକୁ ହୋଇଥାଏ। କାରଣ ବର୍ଷା ଯୁଆଡେ ଛତା ସିଆଡେ ନୀତିରେ ଆଦର୍ଶ ନଥାଏ କେବଳ ଥାଏ ସାର୍ଥର ଛତା।
ଅତଏବ ନୈତିକତାର ଛତା ତଳେ ନିଜକୁ ସିକ୍ତ କରିବା ବରଂ ଭଲ, ମାତ୍ର ନୈତିକତାକୁ ନତମସ୍ତକ କରି ନିଜେ ଆମୋଦିତ ହେବା ଉଚିତ ନୁହେଁ ବୋଲି ଇତିହାସ ଶିକ୍ଷା ଦେଇଥାଏ। ଆମେ ସବୁ ଭୁଲ କରିବା ପାଇଁ ରାଜନେତାମାନଙ୍କୁ ଦୋଷ ଆରୋପ ଦେଇଥାଉ ଯଥା ଦୁର୍ନୀତି, ଅନୈତିକତା, ନକଲି ପ୍ରତିବଦ୍ଧତା, ଭାଷା ଧର୍ମ, ଜାତି ନାମରେ ଲୋକଙ୍କୁ ବିଭାଜନ କରିବା ଇତ୍ୟାଦି ଇତ୍ୟାଦି, କିନ୍ତୁ ଆମେ କେବେ ଭାବି ନାହୁଁ ସେମାନଙ୍କୁ ଉକ୍ତ ଅଧିକାର ଦେବାର କର୍ତ୍ତା କିଏ ? ତେଣୁ ବ୍ୟକ୍ତି ଓ ସମାଜ ତଥା ରାଜନୀତିର ନୀତି ଆତ୍ମ ସଂଶୋଧନ କରି ସଂଶୋଧନ ପଦକ୍ଷେପ ଆରମ୍ଭ କରାଯିବା ଆବଶ୍ୟକ, ଯେଉଁଥିରେ ଏକ ସୁସ୍ଥ ସମାଜର ଆଦର୍ଶ ନୈତିକ ମୂଲ୍ୟବୋଧର ମେରୁଦଣ୍ଡ ସୃଷ୍ଟି ହେବ। ଆମେ ସମସ୍ତେ ଏହି ମହାନ ଦେଶର ନାଗରିକ ଓ ଆମକୁ ଏହି ରାଷ୍ଟ୍ରର ସେବା କରିବାକୁ ପଡ଼ିବ ଏହା ହେଉଛି ବିବେକର ବିଚାର ଓ ନୈତିକ ଦାୟିତ୍ୱ। ମାତ୍ର ନୈତିକତାକୁ ନତମସ୍ତକ କରି ଜୀବନ ନିର୍ବାହ କରିବାର ଅର୍ଥ ଜୀବନକୁ ଅନ୍ୟ ନିକଟରେ ନିଲାମ ଦେବା ସହ ସମାନ ବୋଲି ସ୍ବୀକାର କରିବାକୁ ହୋଇଥାଏ। ସେଥିପାଇଁ ଗାନ୍ଧିଜୀ ଏକଦା କହିଥିଲେ, ମୁଷ୍ଟିମେୟ କେତେଜଣ ସଙ୍କଳ୍ପବଦ୍ଧ ସାଧକ ଯଦି ସେମାନଙ୍କର ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖନ୍ତି, ତାହାହେଲେ ସେମାନେ ଇତିହାସର ମୋଡ ବଦଳାଇ ଦେଇପାରିବେ। ତେଣୁ ନୈତିକତାକୁ ନତମସ୍ତକ ନକରି ନୈତିକ ନିକିତିରେ ଜୀବନ ନିର୍ଦ୍ଧାରଣ କରିବା ଏକାନ୍ତ ବାଞ୍ଛନୀୟ।
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର
– ଡ. ସତ୍ୟନାରାୟଣ ମିଶ୍ର
ଭୁବନେଶର
ମୋ: ୯୯୩୭୩୪୫୯୦୦
The post ନୈତିକତାର ନତମସ୍ତକ ନ ହେଉ appeared first on Dharitri Odia News.