‘‘ନ୍ୟାୟ ଏବଂ ଚିକିତ୍ସା ବନ୍ଦ ହୋଇପାରିବ ନାହିଁ’’ ଡାକ୍ତରଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ଅପିଲ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ ବଙ୍ଗଳା ସରକାର ଏବଂ ପୁଲିସକୁ ତୀବ୍ର ପ୍ରଶ୍ନ କରିଥିଲେ। ଏହି ମାମଲାରେ ଗୁରୁତର ଅବହେଳା କରାଯାଇଛି ବୋଲି କୋର୍ଟ କହିଛନ୍ତି। ଆଉ ଏହି ଘଟଣାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆଜି ନିର୍ଦ୍ଦେଶ […]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ ବଙ୍ଗଳା ସରକାର ଏବଂ ପୁଲିସକୁ ତୀବ୍ର ପ୍ରଶ୍ନ କରିଥିଲେ। ଏହି ମାମଲାରେ ଗୁରୁତର ଅବହେଳା କରାଯାଇଛି ବୋଲି କୋର୍ଟ କହିଛନ୍ତି। ଆଉ ଏହି ଘଟଣାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆନ୍ଦୋଳନରୁ ଫେରି ଡିଟ୍ୟୁ କରିବାକୁ ଚାହୁଁଥିବା ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥି ସହିତ ସୁପ୍ରିମକୋର୍ଟ କୋଲକାତା ହରର ଶୁଣାଣି ବେଳେ କହିଛନ୍ତି ଯେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଆମେ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛୁ। ଡାକ୍ତରଖାନାରେ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ। ଗୃହ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଡାକ୍ତରଙ୍କ ବୈଠକ ଡାକନ୍ତୁ। ଗୋଟିଏ ସପ୍ତାହ ମଧ୍ୟରେ ବୈଠକ ଡାକି ସରକାରୀ ହସ୍ପିଟାଲରେ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ରେ ହେବ, ଏହା ପୂର୍ବରୁ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟଗୁଡ଼ିକ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଅନ୍ୟପଟେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ମାମଲାର ଶୁଣାଣି କରିବା ସମୟରେ ଡାକ୍ତରମାନଙ୍କୁ ନିବେଦନ କରି କହିଥିଲେ ଯେ ଆମେ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇବୁ, ତୁମେ କାମକୁ ଫେରିବା ଉଚିତ୍ । ସିଜେଆଇ କହିଛନ୍ତି, “ନ୍ୟାୟ ଏବଂ ଚିକିତ୍ସା ବନ୍ଦ ହୋଇପାରିବ ନାହିଁ। ଆମେ ମଧ୍ୟ କାର୍ଯ୍ୟ ଛାଡି ସୁପ୍ରିମକୋର୍ଟ ବାହାରେ ବସିପାରିବୁ କି? ଏମ୍ସ ଡାକ୍ତରମାନେ ୧୩ ଦିନ ହେଲା କାମକୁ ଆସୁନାହାନ୍ତି । ଏହା ଠିକ୍ ନୁହେଁ। କାରଣ ରୋଗୀମାନେ ଦୂରଦୂରାନ୍ତରରୁ ଆସୁଛନ୍ତି। ଏଣୁ ଡାକ୍ତରମାନେ କାମରେ ଯୋଗ ଦିଅନ୍ତୁ।
ସେପଟେ ହସ୍ପିଟାଲରେ ଡାକ୍ତରଙ୍କ ଦୀର୍ଘକାଳୀନ ଡ୍ୟୁଟି ସମ୍ପର୍କରେ ବି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି- ମୃତ୍ୟୁ ନେଇ ପରିବାରକୁ କାହିଁକି ଭୁଲ ତଥ୍ୟ ଦିଆଯାଇଥିଲା? ପୁଲିସର କାର୍ଯ୍ୟ ଧାରା ଠିକ୍ ନଥିଲା। ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେପଟେ ଷ୍ଟାଟସ ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି ସିବିଆଇ। କୁହାଯାଇଛି- ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାରକୁ ପ୍ରଥମେ ଭୁଲ ତଥ୍ୟ ଦିଆଯାଇଥିଲା।
ମାମଲାର ଶୁଣାଣି କରି ୩ଜଣିଆ ଖଣ୍ଡପୀଠ କହିଥିଲେ, ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଅତି ଦୁର୍ବଳ। ଘଟଣା ଘଟିବାର ଦୀର୍ଘ ସମୟ ପରେ କାହିଁକି ବିଳମ୍ବରେ ଏଫଆଇଆର ଦାୟର ହେଲା ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପୀଠ। ପ୍ରାଥମିକ ସ୍ତରରେ ପିଜି ଛାତ୍ରୀଙ୍କ ହତ୍ୟା ଘଟଣାକୁ କାହିଁକି ପ୍ରିନସିପାଲ ଆତ୍ମହତ୍ୟା ଘଟଣା ଦର୍ଶାଇଲେ । ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଘଟଣାର ତଦନ୍ତ ପରିସରକୁ ଅଧିକ ବ୍ୟାପ୍ତ କରିବା ସମ୍ଭାବନା ସୃଷ୍ଟି କରିଛି। କୋର୍ଟଙ୍କ ଉପରେ ଭରସା ରଖିବାକୁ ଡାକ୍ତରଙ୍କୁ ଅପିଲ କରିଥିଲେ ସୁପ୍ରିମକୋର୍ଟ ।