ପତ୍ନୀଙ୍କ ସହ ଝଗଡ଼ା ପରେ ଘରୁ ବାହାରି ନଦୀକୁ ଡେଇଁ ପଡ଼ିଲେ

ଡ୍ରାଏ ସ୍ନାକ୍ସ ବ୍ୟବସାୟୀ କରୁଥିବା ଶ୍ରୀକାନ୍ତ ଭି ଦେଶମୁଖ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଧାନକାୱାଡି ଘରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ପତ୍ନୀଙ୍କ ସହ ଝଗଡ଼ା ପରେ ଘରୁ ବାହାରି ନଦୀକୁ ଡେଇଁ ପଡ଼ିଲେ

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରୁ ଘଟିଛି ଭୟଙ୍କର ଘଟଣା। ଝଗଡ଼ା ପରେ ରାଗରେ ଗାଡ଼ି ଧରି ସ୍ୱାମୀ ଘରୁ ବାହାରି ଯାଇଥିଲେ। ଏହାପରେ ପତ୍ନୀଙ୍କୁ ନିଜ ଶେଷ ଠକଣାର ସୂଚନା ଦେଇଥିଲେ। ଶେଷରେ ସ୍ୱାମୀ ଜଣଙ୍କ ନଦୀକୁ ଡେଇଁ ଆତ୍ମ ହତ୍ୟା କରିଛନ୍ତି। ପୁଣେରେ ଏପରି ଏକ ଦୁଃଖଦ ଘଟଣା ଘଟିଛି।

ପୂରା ଘଟଣା ରବିବାର ସକାଳେ ଘଟିଥିଲା। ଡ୍ରାଏ ସ୍ନାକ୍ସ ବ୍ୟବସାୟୀ କରୁଥିବା ଶ୍ରୀକାନ୍ତ ଭି ଦେଶମୁଖ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଧାନକାୱାଡି ଘରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ରାଗରେ ଦେଶମୁଖ ନିଜ କାର ଚାବି ଧରି ଘରୁ ତରବରିଆ ଭାବେ ବାହାରି ଯାଇଥିଲେ। ସେ ସିଧା ଗାଡ଼ି ଧରି ଘର ଠାରୁ ପ୍ରାୟ ୭୫ କିମି ଦୂର ରାଇଗଡ଼ ଜିଲ୍ଲାର ବର୍ନଧା ଘାଟରେ ପହଞ୍ଚିଥିଲେ। ସେଠାରେ ପ୍ରବଳ ବର୍ଷା ହେଉଥିବାରୁ ନଦୀ ପୂରା ଫୁଲି ରହିଥିଲା।

ଘାଟ ପାଖରେ ଛିଡ଼ା ହୋଇ ସେ ନିଜ ପତ୍ନୀଙ୍କୁ ମୋବାଇଲରେ ଲୋକେସନ ପଠାଇଥିଲେ। ଏଥିସହ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ମେସେଜ କରିଥିଲେ । ମେସେଜ ପଠାଇ ସେ ନଦୀକୁ ଡେଇଁ ପଡ଼ିଥିଲେ। ସେପଟେ ମେସେଜ ପାଇ ପୂରା ବଚଳିତ ହୋଇପଡ଼ିଥିବା ଦେଶମୁଖଙ୍କ ପତ୍ନୀ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ।

ସ୍ଥାନୀୟ ପୁଲିସ୍‌ ତୁରନ୍ତ ଭୋର ପୁଲିସ୍‌ ଷ୍ଟେସନକୁ ଦେଶମୁଖକୁ ଲୋକେସନ ପଠାଇଥିଲା। ଉକ୍ତ ଲୋକେସନକୁ ପିଛା କରି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେଠାରେ ଦେଶମୁଖ କିମ୍ବା ତାଙ୍କ କାର ନଥିଲା। ସେଠାରରୁ ପ୍ରାୟ ୫ କିମି ବାଟ ଆଗକୁ ଯିବା ପରେ ପୁଲିସ୍‌ ଦେଶମୁଖଙ୍କ ପରିତ୍ୟକ୍ତ କାର ଠାବ କରିଥିଲା।

ଏହାପରେ କାର ରହିଥିବା ବ୍ରିଜ ପାଖ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ବେଶ କିଛି ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନଦୀ ଭିତରୁ ଦେଶମୁଖଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।