ପଥ ସମ୍ମୋହନ ପାଇଁ ବଢୁଛି ଦୁର୍ଘଟଣା : ବର୍ଷକରେ ଗାଡି ପଛକୁ ଗାଡି ଧକ୍କାରେ ୧୧୯୮ ଜଣଙ୍କ ମୃତ୍ୟୁ
କଟକ : ରୋଡ ହିପ୍ନୋସିସ ବା ପଥ ସମ୍ମୋହନ ଜନିତ ଦୁର୍ଘଟଣା ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦୀର୍ଘ ସମୟ ଧରି ଗାଡି ଚଳାଇବା ପରେ ଚାଳକ ନିଜର ମସ୍ତିଷ୍କ ଉପରୁ ନିଯନ୍ତ୍ରଣ ହରାଇବା ହେଉଛି ପଥ ସମ୍ମୋହନର ସ୍ଥିତି । ଏଭଳି ସ୍ଥିତି ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଏହାକୁ ଏଡାଇବାକୁ ଲଗାତାର ଭାବେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ କିଛି ମିନିଟର ବିଶ୍ରାମ […]

କଟକ : ରୋଡ ହିପ୍ନୋସିସ ବା ପଥ ସମ୍ମୋହନ ଜନିତ ଦୁର୍ଘଟଣା ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦୀର୍ଘ ସମୟ ଧରି ଗାଡି ଚଳାଇବା ପରେ ଚାଳକ ନିଜର ମସ୍ତିଷ୍କ ଉପରୁ ନିଯନ୍ତ୍ରଣ ହରାଇବା ହେଉଛି ପଥ ସମ୍ମୋହନର ସ୍ଥିତି । ଏଭଳି ସ୍ଥିତି ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଏହାକୁ ଏଡାଇବାକୁ ଲଗାତାର ଭାବେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ କିଛି ମିନିଟର ବିଶ୍ରାମ ନେବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ । ଭଲ ଭାବେ ମୁହଁ ଧୋଇବା ସହ ଚା’, କଫି ଆଦି ପିଇବାକୁ ଏହି ଚାଳକ ମାନଙ୍କୁ ପରିବହନ କମିସନର ପରାମର୍ଶ ଦେଇ ସଚେତନ କରିଛନ୍ତି ।
ରାଜପଥଗୁଡ଼ିକରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟେ । ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ। ଏହି ଅବସ୍ଥାରେ ଆଖି ତ ଖୋଲା ଥାଏ ହେଲେ ମସ୍ତିଷ୍କ କିଛି ମନେରଖିପାରେନାହିଁ ଓ ବୁଝିପାରେନାହିଁ । ଚାଳକ ଦୁର୍ଘଟଣାର ପୂର୍ବ ୧୫ମିନିଟ୍ କିଛି ଜାଣିପାରେନାହିଁ । ଏପରିକି କେତେ ବେଗରେ ସେ ଗାଡ଼ି ଚଳାଉଛନ୍ତି କିମ୍ବା ତାଙ୍କ ସାମ୍ନାରେ ଥିବା ଗାଡ଼ି କେତେ ବେଗରେ ଯାଉଛି ତାହା ଜାଣିପାରନ୍ତି ନାହିଁ ।ଦୁର୍ଘଟଣା ପଛର ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ମଧ୍ୟ ଅନ୍ୟତମ । ୨୦୨୩ରେ ରାଜ୍ୟର ଦୁର୍ଘଟଣାର ତଥ୍ୟ ଅନୁସାରେ ଗାଡ଼ିକୁ ପଛରୁ ଧକ୍କା ଦେଇ ୨୪୯୬ଟି ଘଟିଥିବା ଦୁର୍ଘଟଣାରେ ୧୧୯୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨୭୨ ଜଣ ଆହତ ହୋଇଛନ୍ତି ।ଗୋଟିଏ ପାଖରୁ ଗାଡ଼ିକୁ ଧକ୍କା ଦେଇ ଘଟିଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୪ ଜଣ ଗୁରୁତର ହୋଇଛନ୍ତି ।
ସେହିଭଳି ରାସ୍ତାକଡ଼ ଗଛ, ଖୁଣ୍ଟ ଆଦିକୁ ଧକ୍କା ଦେଇ ୭୬୩ଦୁର୍ଘଟଣା ଘଟିଥିବାବେଳେ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୨୨ ଜଣ ଆହତ ହୋଇଛନ୍ତି। ଏହିସବୁ ମର୍ମନ୍ତୁଦ ଦୁର୍ଘଟଣା ପଛରେ ଥିବା ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ଅନ୍ୟତମ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଶୀତ ଋତୁରେ ପଥ ସମ୍ମୋହନରୁ ଚାଳକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାସ୍ତା କଡରେ ଚା’ ବଣ୍ଟନ କରାଯାଇଥିଲା। ତେଣୁ ସମସ୍ତ ଚାଳକ ଓ ଯାତ୍ରୀ ଏ ଦିଗରେ ସଚେତନ ରହି ଦୁର୍ଘଟଣା ରୋକିବା ସହ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି ।