ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ?

ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।

ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଘର ଗଲା, ଜମି ଗଲା । ପ୍ରତିବଦଳରେ ଟଙ୍କା ତ ମିଳିଲା, ହେଲେ ସବୁଦିନ ପାଇଁ ଶାନ୍ତି ଚାଲିଗଲା । ଏମିତିକି ଏପର୍ଯ୍ୟନ୍ତ ପ୍ରକଳ୍ଫ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ରଟିଏ ମିଳିଲାନି, କି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାକୁ ପରିଚୟ ପତ୍ର ବି ମିଳିଲାନି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ମଝିରେ ମାତ୍ର ୬ ଦିନ ଥିଲାବେଳେ ଆଜି ଏମିତି କ୍ଷୋଭ ବାଢ଼ିଛନ୍ତି ପରିକ୍ରମା ପ୍ରକଳ୍ପ ବିସ୍ଥାପିତ । ତେବେ ବଡ଼ କଥା ହେଉଛି ବିସ୍ଥାପିତଙ୍କ ଏ କ୍ଷୋଭକୁ ନେଇ ତୁଣ୍ଡ ଖୋଲିଲାନି ପ୍ରଶାସନ ।

ସିଂହଦ୍ୱାର ଗୁମୁଟରେ ରଙ୍ଗ ମରା ଚାଲିଛି... ଯଜ୍ଞ ଘର ବନା ହେଉଛି... ଆସିବାକୁ ଥିବା ଅତିଥିଙ୍କ ପାଇଁ ଟେଣ୍ଟ ଲାଗୁଛି... ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସଜେଇ ହେଉଛି, ପ୍ରସ୍ତୁତ ହେଉଛି, ଖୁସିରେ ଉଛୁଳି ଆସୁଛି ଶ୍ରୀକ୍ଷେତ୍ର... ହେଲେ ଏପଟେ କିନ୍ତୁ ଗୁମୁରି କାନ୍ଦୁଛି ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ି ଥିବା ବିସ୍ଥାପିତଙ୍କ ମନପ୍ରାଣ...