ପରିତ୍ୟକ୍ତ ଘର, କଙ୍କାଳ ଓ ନୋକିଆ ଫୋନ

ଘର ଭିତରୁ ଗୋଟିଏ ପୁରୁଣା ନୋକିଆ ଫୋନ ଓ ବିମୁଦ୍ରାକରଣ ପୂର୍ବରୁ ପ୍ରଚଳିତ ଥିବା କିଛି ୫୦୦/୧୦୦୦ ଟଙ୍କିଆ ନୋଟ ଜବତ କରାଯାଇଛି।

ପରିତ୍ୟକ୍ତ ଘର, କଙ୍କାଳ ଓ ନୋକିଆ ଫୋନ

ହାଇଦ୍ରାବାଦର ଗୋଟିଏ ପରିତ୍ୟକ୍ତ ଘର ଭିତରୁ ମିଳିଥିବା କଙ୍କାଳ କାହାର? ଏହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଗୋଟିଏ ପୁରୁଣା ନୋକିଆ ଫୋନ ଏହାକୁ ଚିହ୍ନଟ କରିବାରେ ସହାୟକ ହୋଇଛି। ପରିତ୍ୟକ୍ତ ଘରୁ ମିଳିଥିବା କଙ୍କାଳଟି ସମ୍ଭବତଃ ଆମୀର ଖାନଙ୍କର ଓ ତାଙ୍କର ମୃତ୍ୟୁ ୧୦ ବର୍ଷ ତଳେ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘର ଭିତରୁ ଗୋଟିଏ ପୁରୁଣା ନୋକିଆ ଫୋନ ଓ ବିମୁଦ୍ରାକରଣ ପୂର୍ବରୁ ପ୍ରଚଳିତ ଥିବା କିଛି ୫୦୦/୧୦୦୦ ଟଙ୍କିଆ ନୋଟ ଜବତ କରାଯାଇଛି। ହାଇଦ୍ରାବାଦର ନାମପାଲ୍ଲୀରେ ଥିବା ଯେଉଁ ଘରୁ କଙ୍କାଳର ଅଂଶବିଶେଷ ମିଳିଛି, ତା’ହା ମୁନୀର ଖାନ ନାମକ ଜଣେ ବ୍ୟକ୍ତିଙ୍କର। ପୁଲିସ୍‌ର କହିବା କଥା ଯେ ମୁନୀର ଖାନଙ୍କର ୧୦ ଜଣ ପିଲା ରହିଥିଲେ। ତାଙ୍କର ତୃତୀୟ ପୁଅର ନାଁ ଆମୀର। ସେ ଏଠାରେ ଏକାକୀ ରହୁଥିବା ବେଳେ ପରିବାରର ଅନ୍ୟମାନେ ବହୁ ବର୍ଷ ତଳୁ ଅନ୍ୟତ୍ର ଚାଲି ଯାଇଥିଲେ।

ସୋମବାର ଘର ନିକଟ ପଡ଼ିଆରେ କିଛି ଯୁବକ କ୍ରିକେଟ ଖେଳୁଥିଲେ। ଏହି ସମୟରେ ସେମାନଙ୍କ ବଲ ଘର ଭିତରେ ପଡ଼ି ଯାଇଥିଲା। ଏହାକୁ ଆଣିବା ପାଇଁ ଜଣେ ଯୁବକ ଭିତରକୁ ଯାଇଥିବା ବେଳେ ତାଙ୍କ ନଜରକୁ କଙ୍କାଳର ଅଂଶବିଶେଷ ଆସିଥିଲା। ସେ ଏହାର ଭିଡିଓ ମଧ୍ୟ ଶୁଟିଂ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ କଙ୍କାଳଟି ମୁହଁ ମାଡ଼ି ହୋଇ ଚଟାଣରେ ପଡ଼ି ରହିଛି। ସମ୍ଭବତ‍ଃ ଘରର ରୋଷେଇ ଘରେ କଙ୍କାଳଟି ପଡ଼ିଛି। କାରଣ କଙ୍କାଳରୀ ଆଖପାଖରେ ରୋଷେଇ ବ୍ୟବହୃତ ହେଉଥିବା କିଛି ବାସନ ରହିଛି।

ଏସିପି କିଶନ କୁମାର କହିଛନ୍ତି, ଘର ଭିତରୁ ଗୋଟିଏ ପୁରୁଣା ନୋକିଆ ଫୋନ ମିଳିଥିଲେ ହେଁ ତା’ର ବ୍ୟାଟେରୀ ପୂରେ ଡେଡ ହୋଇ ଯାଇଥିଲା। ଫୋନକୁ ତିଆରି କରାଯିବା ପରେ ସେଥିରୁ ୮୪ଟି ମିସକଲ ମିଳିଛି। ୨୦୧୫ରେ ଏହି ସବୁ କଲ ଆସିଥିଲା। ଏହାପରେ ମୋବାଇଲ ବନ୍ଦ ହୋଇ ଯାଇଥିଲା। କଙ୍କାଳଟି ଆମୀର ଖାନଙ୍କର ବୋଲି ମିଳିଥିବା ମୋବାଇଲରୁ ସଙ୍କେତ ମିଳିଛି।

ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ। ସେ ଏକାକୀ ଏଠି ରହୁଥିଲେ ଓ ତାଙ୍କ ମାନସିକ ଅବସ୍ଥା ଆଦୌ ଭଲ ନଥିଲା। ସମ୍ଭବତଃ ୧୦ ବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ହାଡ଼ ପୂରା ଦୁର୍ବଳ ହୋଇଯାଇଛି। ଆମେ କୌଣସି ରକ୍ତ ଛିଟା କିମ୍ବା ସଂଘର୍ଷର ଚିହ୍ନବର୍ଣ୍ଣ ପାଇନୁ। ସମ୍ଭବତଃ ଏହା ଏକ ସ୍ୱାଭାବିକ ମୃତ୍ୟୁ। ସେ ଏଠାରେ ଏକାକୀ ରହୁଥିଲେ ହେଁ ତାଙ୍କ ବିଷୟରେ କେହି ଖବର ନେବାକୁ ଚେଷ୍ଟା କରି ନଥିଲେ ବୋଲି ଏସିପି କିଶନ କୁମାର କହିଛନ୍ତି।

ଫୋନ ବ୍ୟତୀତ ତକିଆ ତଳୁ କିଛି ଅଚଳ ନୋଟ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉକ୍ତ ଅଞ୍ଚଳରେ ଥିବା କିଛି ଦୋକାନରୁ ଆମୀରଙ୍କ ସାନ ଭାଇ ଶାଦାବ ଭଡ଼ା ସଂଗ୍ରହ କରନ୍ତି। କଙ୍କାଳରେ ଥିବା ମୁଦିକୁ ସେ ତାଙ୍କ ଭାଇଙ୍କର ବୋଲି କହିଛନ୍ତି। ତଥାପି ପୁଲିସ୍‌ ଓ ଫରେନ୍ସିକ ଟିମ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।