ପରିସ୍ଥିତି ଓ ମନୋସ୍ଥିତି

ସତୁରି ଦଶକରେ ଆମେରିକାର ଜେଲ୍‌ଗୁଡିକରେ କ୍ଷମତା ଓ ବ୍ୟକ୍ତିତ୍ୱକୁ ନେଇ ନୌସେନା/ତଟରକ୍ଷୀ ବିଭାଗ ଅନୁସନ୍ଧିତ୍ସୁ ହୋଇପଡ଼ିିଥିଲେ। ଜେଲର୍‌ ଓ କଏଦୀମାନଙ୍କ ମଧ୍ୟର ସମ୍ପର୍କ ଥିଲା ଗବେଷଣାର ବିଷୟବସ୍ତୁ। ୧୯୭୧ ଅଗଷ୍ଟ ମାସରେ କାଲିଫର୍ନିଆସ୍ଥିତ ଷ୍ଟାନ୍‌ଫୋର୍ଡ ରିସର୍ଚ୍ଚ ୟୁନିଭରସିଟିର ମନୋବୈଜ୍ଞାନିକ ପ୍ରଫେସର ଫିଲିପ୍‌ ଜିମ୍ବାର୍ଡୋ ଏହି ପରିପ୍ରେକ୍ଷୀରେ ଗବେଷଣା ଆରମ୍ଭ କଲେ। ଯୋଗ୍ୟତା ଭିତ୍ତିରେ ୭୦ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ଜଣ ମନସ୍ତତ୍ତ୍ୱ ବିଭାଗ ଛାତ୍ରଙ୍କୁ ମନୋନୀତ କରାଗଲା। ଦୁଇ ସପ୍ତାହ ଧରି ହେବାକୁ ଥିବା ଗବେଷଣାରେ ପ୍ରତ୍ୟେକ ଛାତ୍ରଙ୍କୁ […] The post ପରିସ୍ଥିତି ଓ ମନୋସ୍ଥିତି appeared first on Dharitri Odia News.

ପରିସ୍ଥିତି ଓ ମନୋସ୍ଥିତି

ସତୁରି ଦଶକରେ ଆମେରିକାର ଜେଲ୍‌ଗୁଡିକରେ କ୍ଷମତା ଓ ବ୍ୟକ୍ତିତ୍ୱକୁ ନେଇ ନୌସେନା/ତଟରକ୍ଷୀ ବିଭାଗ ଅନୁସନ୍ଧିତ୍ସୁ ହୋଇପଡ଼ିିଥିଲେ। ଜେଲର୍‌ ଓ କଏଦୀମାନଙ୍କ ମଧ୍ୟର ସମ୍ପର୍କ ଥିଲା ଗବେଷଣାର ବିଷୟବସ୍ତୁ। ୧୯୭୧ ଅଗଷ୍ଟ ମାସରେ କାଲିଫର୍ନିଆସ୍ଥିତ ଷ୍ଟାନ୍‌ଫୋର୍ଡ ରିସର୍ଚ୍ଚ ୟୁନିଭରସିଟିର ମନୋବୈଜ୍ଞାନିକ ପ୍ରଫେସର ଫିଲିପ୍‌ ଜିମ୍ବାର୍ଡୋ ଏହି ପରିପ୍ରେକ୍ଷୀରେ ଗବେଷଣା ଆରମ୍ଭ କଲେ। ଯୋଗ୍ୟତା ଭିତ୍ତିରେ ୭୦ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ଜଣ ମନସ୍ତତ୍ତ୍ୱ ବିଭାଗ ଛାତ୍ରଙ୍କୁ ମନୋନୀତ କରାଗଲା। ଦୁଇ ସପ୍ତାହ ଧରି ହେବାକୁ ଥିବା ଗବେଷଣାରେ ପ୍ରତ୍ୟେକ ଛାତ୍ରଙ୍କୁ ୧୫ଡଲାର୍‌ ଲେଖାଏ ଦେବାକୁ ନିଷ୍ପତ୍ତି ନିଆଗଲା। ୧୨ଜଣଙ୍କୁ ନେଇ ଦୁଇଟି ଟିମ୍‌ ଗଠନ ହେଲା। ଗୋଟେ ଜେଲର୍‌ମାନଙ୍କର ଓ ଅନ୍ୟଟି କଏଦୀମାନଙ୍କର। ସେମାନଙ୍କୁ ସେହି କ୍ରମରେ ଅଭିନୟ କରିବାର ଥିଲା। ଟସ୍‌ ଅନୁଯାୟୀ କଏଦୀ ଓ ଜେଲର୍‌ମାନଙ୍କ ଚୟନ ପରେ ଉଭୟ ଟିମ୍‌କୁ ସେମାନଙ୍କ ଅନୁଯାୟୀ ପୋଷାକ ପିନ୍ଧିବାକୁ ହେଲା। ଫିଲିଫ୍‌ ଜିମ୍ବାର୍ଡୋ ଜେଲ ସୁପରିଣ୍ଟେଣ୍ଡେଣ୍ଟ (ଅଧୀକ୍ଷକ) ଓ ଗବେଷକ ଡାଭିଡ୍‌ ଜାଫେନ୍‌ ୱାର୍ଡେନ୍‌ (ତତ୍ତ୍ୱାବଧାରକ) ଥିଲେ।
ନକଲି ଜେଲ ଠିକ୍‌ ଷ୍ଟାନ୍‌ଫୋର୍ଡ ଜୋର୍ଡାନ ହଲ୍‌ ତଳେ ନିର୍ମିତ ହୋଇଥିଲା। ୨୪ ଜଣଙ୍କ ଆଖିରେ ପଟି ବାନ୍ଧି ସେଠାକୁ ନିଆଯିବା ପରେ ଅଭିନୟ କରିବାକୁ କୁହାଗଲା। ୩ ଜଣ କଏଦୀଙ୍କ ପାଇଁ ଗୋଟିଏ କୋଠରି ଥିଲା। ସେମାନଙ୍କୁ ସେମାନଙ୍କ ନଁା ପରିବର୍ତ୍ତେ ଜେଲ ପକ୍ଷରୁ ଦିଆଯାଇଥିବା ନମ୍ବର ଅନୁସାରେ ଡକାଯାଉଥିଲା। ଫିଲିପ୍‌ ଜିମ୍ବାର୍ଡୋ ଜେଲର୍‌ ଭୂମିକାରେ ଥିବା ଛାତ୍ରମାନଙ୍କୁ ସୀମା ଭିତରେ ରହି କଏଦୀମାନଙ୍କ ଭୂମିକାରେ ଥିବା ଅନ୍ୟ ଛାତ୍ରମାନଙ୍କ ଭିତରେ ବିରକ୍ତି, କ୍ଳାନ୍ତି, ହତାଶା, ଅସନ୍ତୋଷ ଓ ଭୟ ଜନ୍ମାଇବାକୁ କହିଥିଲେ। ପ୍ରଥମ ଦିନ ରାତି ସାଢ଼େ ଦୁଇଟାରେ ଜେଲର୍‌ମାନେ ହ୍ବିସିଲ୍‌ ବଜାଇ ସେମାନଙ୍କୁ ନିଦରୁ ଉଠାଇ ବିରକ୍ତ କରିବାକୁ ଚେଷ୍ଟା କରି ସଫଳ ହେଲେ। କିଛି କଏଦୀ ମାନି ନ ଥିବାରୁ ସକାଳ ହେଉ ହେଉ ସେମାନଙ୍କୁ ଦଣ୍ଡ ମିଳିଲା।
ଦ୍ୱିତୀୟ ଦିନ ଆରମ୍ଭରେ ଅନ୍ୟାୟରେ ଦଣ୍ଡିତ ହୋଇଥିବା କଏଦୀମାନେ ଦଣ୍ଡକୁ ବିରୋଧ କରି ସେମାନଙ୍କୁ ଦିଆଯାଇଥିବା ପରିଚୟ ସଂଖ୍ୟା ଓ ଟୋପିଗୁଡିକୁ ଫିଙ୍ଗି ବେଡ୍‌ ସହ କବାଟକୁ ଭିଡି ବନ୍ଦକରି ରଖିବାରୁ ଜେଲର୍‌ମାନେ ବାଧ୍ୟ ହୋଇ ନିଆଁଲିଭା ଯନ୍ତ୍ର ସାହାଯ୍ୟରେ କବାଟ ଫିଟାଇ ପ୍ରତ୍ୟେକଙ୍କୁ ଅକଥନୀୟ ଯନ୍ତ୍ରଣା ଦେବାକୁ ଲାଗିଲେ। ସେମାନଙ୍କ ଦେହରୁ ପୋଷାକ କାଢି, ପାଦରେ ଶିକୁଳି ବାନ୍ଧି, ଭୋକ ଉପାସରେ ରଖି ମାନସିକ ନିର୍ଯାତନା ଦେଲେ। କେତେଜଣ କଏଦୀ ଭୟଭୀତ ହୋଇ ଜେଲର୍‌ମାନଙ୍କୁ ମାନିବାକୁ ଆରମ୍ଭ କଲେ। ଆଉ କେତେଜଣ ବିରୋଧ କଲେ।
ତୃତୀୟ ଦିନରେ ଭୋକଶୋଷରେ ଆଉଟୁପାଉଟୁ କଏଦୀମାନେ ନିଜ ବ୍ୟକ୍ତିତ୍ୱ, ଚରିତ୍ର ଓ ଜେଲର୍‌ମାନେ ନିଜ ବିଚାରବୋଧ ପାସୋରିଦେଲେ। ତା’ ପରଦିନ ସେମାନଙ୍କୁ ଗାଧୁଆ ଘର ମନାହେଲା। ମଳମୂତ୍ର ତ୍ୟାଗ ପାଇଁ ସେଇ ରୁମ୍‌ରେ ଛୋଟପାତ୍ର ରଖାଗଲା। କଏଦୀମାନେ ଅଖିଆ ଅପିଆ ରହି ଅସ୍ବାସ୍ଥ୍ୟକର ପରିବେଶରେ ବିଦ୍ରୋହୀ ହୋଇପଡିଲେ। ନମ୍ବର ଅନୁସାରେ ନାମିତ ହେଉଥିବାରୁ ନିଜ ବାସ୍ତବ ପରିଚୟ ଓ ଅଭିନୟର ଉଦ୍ଦେଶ୍ୟ ସବୁକୁ ଭୁଲି ବସିଲେ। ସେମାନଙ୍କୁ ଦୁଇଦଳ କରି ରଖାଗଲା। ଜେଲର୍‌ମାନଙ୍କୁ ମାନୁଥିବା କଏଦୀମାନେ ଜେଲ ଭିତରର ସବୁତକ ସୁବିଧା ଉପଭୋଗ କରୁଥିବାବେଳେ ବିରୋଧୀମାନେ ହତାଶା, କ୍ଳାନ୍ତି, ମାନସିକ ଅବସାଦରେ ବଞ୍ଚିଲେ। କେତେଜଣ ତ ସବୁ ପୁଞ୍ଜି ବିନିମୟରେ ପାରୋଲ୍‌ରେ ଘରକୁ ଫେରିବାକୁ ଚାହିଁଲେ। କିଛିଦିନ ଭିତରେ ନିଜେ ସୁପରିଣ୍ଟେଣ୍ଡେଣ୍ଟ ଜିମ୍ବାର୍ଡୋ ଅନୁଭବ କଲେ ଯେ ଅଭିନୟକୁ ସତ ମଣି କଏଦୀମାନେ ନିଜକୁ ଭୁଲିଯାଇଛନ୍ତି! ଏହାକୁ ଗବେଷଣାର ଅଂଶ ବୋଲି ସେମାନେ ଭାବୁନାହାନ୍ତି!
ଆଉଗୋଟେ କଥା ପରିଲକ୍ଷିତ ହୋଇଥିଲା ଯେ ଜେଲର୍‌ମାନଙ୍କ ମଧ୍ୟରେ ବି କେତେଜଣ ଜେଲର୍‌ କଏଦୀମାନଙ୍କୁ ବିଲ୍‌କୁଲ୍‌ ଦଣ୍ଡ ଦେଉ ନ ଥିଲେ। ସେମାନେ ସବୁପ୍ରକାରର ସୁବିଧା ଦେଇ ସେମାନଙ୍କୁ ସ୍ବାଭାବିକ ରଖିବାର ପ୍ରୟାସ କରୁଥିଲେ, ଆଉକିଛି ନିର୍ମମ ଅତ୍ୟାଚାର ଦ୍ୱାରା ନିଜ କ୍ଷମତାର ଅପବ୍ୟବହାର କରୁଥିଲେ, ଯାହା କଏଦୀମାନଙ୍କ ସ୍ବାଭାବିକତାକୁ ନଷ୍ଟ କରିଥିଲା। ସେତେବେଳକୁ ଗବେଷଣା ଷଷ୍ଠ ଦିନରେ ପହଞ୍ଚତ୍ ସାରିଥିଲା। ଅଭିନୟ କରୁଥିବା ଛାତ୍ରମାନଙ୍କ ସାକ୍ଷାତ୍‌କାର ନେବାକୁ ଆସିଥିବା ପିଏଚ୍‌.ଡି. ଛାତ୍ରୀ ତଥା ଗବେଷିକା କ୍ରିଷ୍ଟିନା ମାସଲକ୍‌ କଏଦୀମାନଙ୍କ ଭୟଙ୍କର ସ୍ଥିତି ଓ ମନୋଦ୍ଦଶା ଦେଖି ବିଚଳିତ ହୋଇ ବନ୍ଧୁ ଫିଲିପ୍‌ ଜିମ୍ବାର୍ଡୋଙ୍କୁ ଏତାଦୃଶ ନିଷ୍ଠୁରତା ବନ୍ଦ କରିବାକୁ କହିଥିଲେ। ଜିମ୍ବାର୍ଡୋ ଅନୁଭବ କରିଥିଲେ ସେ ବି ନିଜକୁ ଜଣେ ମନସ୍ତତ୍ତ୍ୱବିତ୍‌ ବୋଲି ଭୁଲିଯାଇ ଜେଲ ଅଧୀକ୍ଷକ ମନେକରୁଛନ୍ତି! ସେହିପରି ଜେଲର୍‌ମାନେ ଅତ୍ୟାଚାରୀ, ନିଷ୍ଠୁର ହୋଇପଡିଥିବାବେଳେ କଏଦୀମାନେ ଅବସାଦବୋଧ ଦ୍ୱାରା ନିଜ ପରିଚୟ ଭୁଲିଯାଇଛନ୍ତି!
ଅସୁସ୍ଥ ବାତାବରଣ ମନ ଉପରେ ଗଭୀର ପ୍ରଭାବ ପକାଏ। ବାସ୍ତବ ଅବାସ୍ତବ, ସତମିଛ ଯାହା ଦିଶେ ତା’ ଦ୍ୱାରା ମସ୍ତିଷ୍କ ଆକ୍ରାନ୍ତ ହୁଏ। ଯାହା ଦେଖାଇବାର ଚକ୍ରାନ୍ତ ରଚାଯାଏ ସେସବୁକୁ ମସ୍ତିଷ୍କ ଅଚିରେ ଗ୍ରହଣ କରିଯାଏ। ଅର୍ଥାତ୍‌ ମିଛ ବା ଛଳନା ଦ୍ୱାରା ମଣିଷ ବେଶି ପ୍ରଭାବିତ ହୁଏ। ଦ୍ୱିତୀୟ କଥାଟି ହେଲା କ୍ଷମତାର ଅପବ୍ୟବହାରକାରୀମାନେ ଯଦି କ୍ଷମତାଶାଳୀ ହେବେ ତେବେ ସେମାନଙ୍କ ଅଧୀନରେ ଥିବା ଲୋକଙ୍କ ଅବସ୍ଥା କଏଦୀଙ୍କ ପରି ହେବ। କିନ୍ତୁ କିଛି କ୍ଷମତାସୀନ ବ୍ୟକ୍ତି ଅଛନ୍ତି ଯେଉଁମାନେ ମାନବତାକୁ ଦୃଷ୍ଟିରେ ରଖି କ୍ଷମତାର ଉପଯୋଗ କରିଥାନ୍ତି। ସେଠାରେ ମଣିଷପଣିଆ ବଞ୍ଚରହେ। ଚତୁର୍ଥ କଥାଟି ହେଲା ବିପରୀତ ସ୍ଥିତିରେ ଯେଉଁମାନେ ଅବିଚଳିତ ରହି ବାସ୍ତବତା ଅନୁସାରେ ଚାଲିଥାନ୍ତି (ସଚେତନ କଏଦୀ) ସେମାନେ ଯେକୌଣସି ବିପରୀତ ସ୍ଥିତିକୁ ଧୈର୍ଯ୍ୟର ସହିତ ମୁକାବିଲା କରିଥାନ୍ତି।
ଚା, ଆଳୁ, କଫି, ଅଣ୍ଡା ଏ ଚାରୋଟି ଜିନିଷ ଚାରୋଟି ତତ୍ତ୍ୱର ପ୍ରତୀକ। ଚା’କୁ ଗରମ କଲେ ସେ ତା’ର ବାସ୍ନା ଓ ରଙ୍ଗ ଛାଡେ। ଚା’ପତି ଛଣା ହୋଇଗଲେ ବି ସେ ପାଣି ବା କ୍ଷୀରରେ ମିଶି ସାରିଥାଏ। ଆଳୁକୁ ଗରମ କଲେ ସେ ସ୍ବାଭାବିକତାଠୁ ନରମ ହୋଇଯାଏ। କଫି କିନ୍ତୁ ପୂରାପୂରି ପାଣି କିମ୍ବା କ୍ଷୀରରେ ମିଶିଯାଏ। ଅଣ୍ଡା ଗରମ ହେଲା ପରେ ତା ଭିତରର କୋମଳ ଅଂଶଟି କଠିନ ହୋଇଯାଏ। ତେଣୁ ଭାବିବାକୁ ହେବ ବିଷମ ପରିସ୍ଥିତିରେ ମଣିଷ କାହା ପରି ହେବା ଉଚିତ। ଚା’ ପରି ନିଜକୁ କ୍ଷୟ କରିବ ନା ଆଳୁ ପରି ନିଜ ଧର୍ମ ହରାଇବ! କଫି ପରି ନିଜକୁ ସ୍ଥିତି ଆଗରେ ସମର୍ପଣ କରିଦେବ ନା ଅଣ୍ଡାର ଭିତର-ଅଂଶ ପରି କଠିନ ହୋଇଯିବ! ବସ୍ତୁ ତା’ ଧର୍ମ ଅନୁସାରେ ବଦଳେ। ମଣିଷ ବି ସ୍ବଧର୍ମ ତ୍ୟାଗକରି ପାରେନା କିନ୍ତୁ ଚାହିଁଲେ ବଦଳାଇପାରେ। ଦସ୍ୟୁ ରନତ୍ାକର ବାଲ୍ମିକୀ ହୋଇପାରିଥିଲେ। ଏହା ସତ୍ୟ ଯେ ମଣିଷ ଭିତରର କ୍ଷମତା ଲିପ୍‌ସା ତାକୁ ଅମଣିଷ ବନାଇବାକୁ ମୁହୂର୍ତ୍ତଟିଏ ବି ଲଗାଏନି।
ଯଦିଓ ଷ୍ଟାନ୍‌ଫୋର୍ଡ ରିସର୍ଚ୍ଚ ୟୁନିଭର୍‌ସିଟିର ଏହି ଗବେଷଣା ବିବାଦୀୟ ହୋଇପଡିଥିଲା ତେବେ ବି ମଣିଷର ମନୋଦ୍ଦଶା ସମ୍ପର୍କରେ ଧାରଣା ସ୍ପଷ୍ଟ କରିଥିଲା ନିଶ୍ଚୟ। କହିବା ବାହୁଲ୍ୟ-ସ୍ଥିତି ହିଁ ମଣିଷର ବ୍ୟକ୍ତିତ୍ୱକୁ ଉନ୍ମୋଚିତ କରେ।
ମୋ: ୯୪୩୭୩୧୭୦୨୬

The post ପରିସ୍ଥିତି ଓ ମନୋସ୍ଥିତି appeared first on Dharitri Odia News.