ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା: ପାଇନ୍‌ ବଣ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଚଲାପଥ

ଦାରିଙ୍ଗବାଡ଼ି,୨୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂତନ ଚଲାପଥ ତଥା ‘ପାଇନ୍‌ ବଣ ଓ୍ବାକିଂ ଟ୍ରେଲ୍‌’ ଯାହାକି ପର୍ଯ୍ୟଟକଙ୍କ ପାଇଁ ସକାଳ ଓ ସନ୍ଧ୍ୟା ଭ୍ରମଣରେ ଦେବ ଅନେକ ଫାଇଦା। ପ୍ରକାଶ ଯେ, ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ କଫି ବଗିଚାକୁ ନେଇ ଦାରିଙ୍ଗବାଡ଼ି ପରିଚିତ ରହିଥିବା ବେଳେ ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ଚାହିଦାକୁ ନଜରରେ ରଖି ହିଲ୍‌ଭିୟୁ ପାର୍କ, ନେଚର ପାର୍କ, ଡୁଲୁରୀ ପାଇନ ବଣ, ମିଡିୟୁବାନ୍ଦା , ପାଟାବାନ୍ଧା, ରେନ ବୋ’ […] The post ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା: ପାଇନ୍‌ ବଣ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଚଲାପଥ appeared first on Dharitri Odia News.

ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା: ପାଇନ୍‌ ବଣ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଚଲାପଥ

ଦାରିଙ୍ଗବାଡ଼ି,୨୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂତନ ଚଲାପଥ ତଥା ‘ପାଇନ୍‌ ବଣ ଓ୍ବାକିଂ ଟ୍ରେଲ୍‌’ ଯାହାକି ପର୍ଯ୍ୟଟକଙ୍କ ପାଇଁ ସକାଳ ଓ ସନ୍ଧ୍ୟା ଭ୍ରମଣରେ ଦେବ ଅନେକ ଫାଇଦା।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ କଫି ବଗିଚାକୁ ନେଇ ଦାରିଙ୍ଗବାଡ଼ି ପରିଚିତ ରହିଥିବା ବେଳେ ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ଚାହିଦାକୁ ନଜରରେ ରଖି ହିଲ୍‌ଭିୟୁ ପାର୍କ, ନେଚର ପାର୍କ, ଡୁଲୁରୀ ପାଇନ ବଣ, ମିଡିୟୁବାନ୍ଦା , ପାଟାବାନ୍ଧା, ରେନ ବୋ’ ଜଳପ୍ରପାତ, ସୁଲେଇସରୁ ପାହାଡ଼, ଶାନ୍ତି ଉପତ୍ୟକା ସମେତ ଲଭର୍ସ ପଏଣ୍ଟ, ପାଙ୍ଗାଲି ଘାଟି ଭିୟୁ ଆଦିକୁ ପର୍ଯ୍ୟଟନକ୍ଷେତ୍ର ଭାବେ ଲୋକାର୍ପିତ ହୋଇଛି ଯାହାକି ପର୍ଯ୍ୟଟକ ପସନ୍ଦ କରିଆସିଛନ୍ତି। ତେବେ କଫି ବଗିଚା ଓ ଡୁଲୁରୀ ପାଇନ୍‌ବଣ ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ଲଟାବୁଦା ଭର୍ତ୍ତି ପାଇନ ଜଙ୍ଗଲ ଦୀର୍ଘବର୍ଷ ଧରି ପଡ଼ିରହିଥିଲା। ତା’ର ପୁନରୁଦ୍ଧାର ପାଇଁ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ହାତକୁ ନେଇଛନ୍ତି। ଏବେ ଉକ୍ତ ପାଇନ ବଣର ଲଟାବୁଦା ସଫା କରାଯିବା ସହ ଭ୍ରମଣ ପାଇଁ ପାଦଚଲା ରାସ୍ତା ସମ୍ପ୍ରସାରଣ କରାଯାଉଛି। ଯାହାକି ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ସହ ପର୍ଯ୍ୟଟକ ଏହାକୁ ବ୍ୟାପକ ବ୍ୟବହାର କରିପାରିବେ ବୋଲି ବିଡିଓ ପାତ୍ର କହିଛନ୍ତି। ସକାଳ ଓ ସନ୍ଧ୍ୟା ଭ୍ରମଣ ସହ ବଣ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସେ ଉକ୍ତ ପୁନରୁଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରିବା ସହ ବିଡିଓ ପାତ୍ରଙ୍କୁ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ ପ୍ରମୁଖ ସହଯୋଗ କରୁଛନ୍ତି। ଆସନ୍ତା ମାସଠାରୁ ଉକ୍ତ ‘ପାଇନ ବଣ ଓ୍ବାକିଂ ଟ୍ରେଲ୍‌’ ଲୋକାର୍ପଣ ହେବ ବୋଲି ବିଡିଓ କହିଛନ୍ତି।

The post ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା: ପାଇନ୍‌ ବଣ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଚଲାପଥ appeared first on Dharitri Odia News.