ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ
କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ ଶିକ୍ଷକ ନିଯୁକ୍ତି ହରାଇବାକୁ ଯାଉଥିବାବେଳେ ସେମାନଙ୍କୁ ୧୨ ପ୍ରତିଶତ ସୁଧ ସହ ବେତନ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରାୟ ମମତା ବାନାର୍ଜୀ ସରକାରଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ବେଆଇନ କହିବା ସହ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଭାଜପା […] The post ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ appeared first on Dharitri Odia News.
କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ ଶିକ୍ଷକ ନିଯୁକ୍ତି ହରାଇବାକୁ ଯାଉଥିବାବେଳେ ସେମାନଙ୍କୁ ୧୨ ପ୍ରତିଶତ ସୁଧ ସହ ବେତନ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରାୟ ମମତା ବାନାର୍ଜୀ ସରକାରଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ବେଆଇନ କହିବା ସହ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଭାଜପା ନେତାମାନେ କେତେକ ନ୍ୟାୟିକ ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ମମତା ଅଭିଯୋଗ କରିଛନ୍ତି। ଯେଉଁମାନେ ନିଯୁକ୍ତି ହରାଇବାକୁ ଯାଉଛନ୍ତି, ଆମେ ସେମାନଙ୍କ ସହ ରହିଛୁ ଏବଂ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ଅବସରରେ ମମତା ପ୍ରତିଶ୍ରୁତି ଦେଇଛନ୍ତି।
୨୦୧୬ରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷାର ନିଯୁକ୍ତି ପ୍ରକ୍ରିୟା ବେଆଇନ ହୋଇଥିବାରୁ ସମସ୍ତ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ଜଷ୍ଟିସ ଦେବାଂଶୁ ବାସକ ଏବଂ ମହମ୍ମଦ ଶାବ୍ବରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ଶିକ୍ଷକମାନଙ୍କୁ ୪ ସପ୍ତାହ ମଧ୍ୟରେ ବେତନ ଅର୍ଥ ଫେରାଇବାକୁ ହେବ। ଅର୍ଥ ଫେରାଇ ଆଣିବା ଦାୟିତ୍ୱ ହାଇକୋର୍ଟ ଜିଲାପାଳମାନଙ୍କୁ ଦେଇଛନ୍ତି। ତେବେ କ୍ୟାନ୍ସରରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିବା ସୋମା ଦାସ ନାମ୍ନୀ ଶିକ୍ଷକଙ୍କ ନିଯୁକ୍ତିକୁ ମାନବିକତା ଦୃଷ୍ଟିକୋଣରୁ କାଏମ ରଖିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଖଣ୍ଡପୀଠ ନିଯୁକ୍ତି ପ୍ରକ୍ରିୟାର ଅଧିକ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ସହ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କହିଛନ୍ତି। ସାନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ପଶ୍ଚିମବଙ୍ଗ ସ୍କୁଲ୍ ସେବା ଆୟୋଗ (ଡବ୍ଲ୍ୟୁବିଏସ୍ଏସ୍ସି)କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଡବ୍ଲ୍ୟୁବିଏସ୍ଏସ୍ସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର କହିଛନ୍ତି।
ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୃକ୍ତ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ କେତେଜଣ ତୃଣମୂଳ କଂଗ୍ରେସ ନେତା, ପୂର୍ବତନ ଅଧିକାରୀ ଜେଲରେ ଅଛନ୍ତି। ଏକ ରାଲିକୁ ଉଦ୍ବୋଧନ ଦେବା ଅବସରରେ ମମତା କହିଛନ୍ତି, ଅଦାଲତ ରାୟକୁ ଭାଜପା ନେତାମାନେ ପ୍ରଭାବିତ କରୁଛନ୍ତି। ଏକ ରାଜନୈତିକ ବିସ୍ଫୋରଣ ହେବ ବୋଲି ଗତ ସପ୍ତାହରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପୂର୍ବାନୁମାନ କରିଥିଲେ ବୋଲି ମମତା କହିଛନ୍ତି। ତେବେ ୨୫ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ନିଯୁକ୍ତି ଛଡ଼ାଇନେଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା କ’ଣ ରାଜନୈତିକ ବିସ୍ଫୋରଣ କି ବୋଲି ଟିଏମ୍ସି ଅଧ୍ୟକ୍ଷା ପ୍ରଶ୍ନ କରିଛନ୍ତି। ଯଦି ସେମାନେ ପ୍ରଭାବ ପକାଇନାହାନ୍ତି, ତେବେ କୋର୍ଟ କ’ଣ ରାୟ ଦେବେ ତାହା ସେମାନେ ଜାଣିଲେ କିପରି ବୋଲି ମମତା ପ୍ରଶ୍ନ କରିଛନ୍ତି।
୨୦୧୬ରେ ରାଜ୍ୟସ୍ତରୀୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ୨୪,୬୪୦ ଖାଲି ପଦବୀ ପାଇଁ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଆଶାୟୀ ପରୀକ୍ଷା ଦେଇଥିଲେ। ୨୫,୭୫୩ ଜଣଙ୍କ ପାଖକୁ ନିଯୁକ୍ତିପତ୍ର ପଠାଯାଇଥିଲା। ଗତବର୍ଷ କାଲ୍କାଟା ହାଇକୋର୍ଟ ଡବ୍ଲ୍ୟୁବିଏସ୍ଏସ୍ସି ଦ୍ୱାରା ଗଠିତ ପ୍ୟାନେଲଗୁଡ଼ିକ ବାତିଲ କରିବା ସହ ୩୬,୦୦୦ ଅଣତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରିଥିଲେ। ପରେ ଏହି ସଂଖ୍ୟାକୁ ସଂଶୋଧନ କରାଯାଇ ୩୨,୦୦୦ କରାଯାଇଥିଲା। ଶିକ୍ଷକ ନିଯୁକ୍ତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ନିଜ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।
The post ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ appeared first on Dharitri Odia News.