ପାକିସ୍ତାନ ଉପରେ ଭାରତର ନଜର : ମହାକାଶରୁ ଶାଗୁଣା ପରି ନଜର ରଖିଛି ଇସ୍ରୋର ଉପଗ୍ରହ ନେଟୱର୍କ…..

ନୂଆଦିଲ୍ଲୀ : ଗୁଇନ୍ଦା ସୂଚନା କୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହା ହିଁ ଯୁଦ୍ଧର ପରିଣତି ଧାର୍ଯ୍ୟ କରିଥାଏ। ଗୁଇନ୍ଦା ଯେତେ ମଝବୁତ ହୋଇଥାଏ ଦେଶ ସେତେ ଶକ୍ତିଶାଳୀ ହୋଇଥାଏ। ଏହି କ୍ଷେତ୍ରରେ ଭାରତୀୟ ଗୁଇନ୍ଦା ନେଟୱର୍କ ଆଗରେ ରହିଛି। ଆଗୁଆ ସୂଚନା ହାସଲ କରି ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରି ଦେଇଛି। ଅପରେସନ ସିନ୍ଦୂରରେ ପାକିସ୍ତାନୀ ଆତଙ୍କବାଦୀ ଠିକଣାରେ ଆକ୍ରମଣ ହେଉ କି ଏହି ଦେଶର କୁଟୀଳ ଚକ୍ରାନ୍ତକୁ ଜବାବ ଦେବାକୁ […]

ପାକିସ୍ତାନ ଉପରେ ଭାରତର ନଜର : ମହାକାଶରୁ ଶାଗୁଣା ପରି ନଜର ରଖିଛି ଇସ୍ରୋର ଉପଗ୍ରହ ନେଟୱର୍କ…..
ISRO's satellite network is watching like a vulture from space

ନୂଆଦିଲ୍ଲୀ : ଗୁଇନ୍ଦା ସୂଚନା କୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହା ହିଁ ଯୁଦ୍ଧର ପରିଣତି ଧାର୍ଯ୍ୟ କରିଥାଏ। ଗୁଇନ୍ଦା ଯେତେ ମଝବୁତ ହୋଇଥାଏ ଦେଶ ସେତେ ଶକ୍ତିଶାଳୀ ହୋଇଥାଏ। ଏହି କ୍ଷେତ୍ରରେ ଭାରତୀୟ ଗୁଇନ୍ଦା ନେଟୱର୍କ ଆଗରେ ରହିଛି। ଆଗୁଆ ସୂଚନା ହାସଲ କରି ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରି ଦେଇଛି। ଅପରେସନ ସିନ୍ଦୂରରେ ପାକିସ୍ତାନୀ ଆତଙ୍କବାଦୀ ଠିକଣାରେ ଆକ୍ରମଣ ହେଉ କି ଏହି ଦେଶର କୁଟୀଳ ଚକ୍ରାନ୍ତକୁ ଜବାବ ଦେବାକୁ ଯାଇ ସେନା ଘାଟୀ ଉପରେ ଭାରତ କରିଥିବା ଆକ୍ରମଣ ସବୁଥିରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ନେପଥ୍ୟ ନାୟକ ପରି ଚର୍ଚ୍ଚାର ଆଡୁଆଳରେ ରହି ଏହା ଠିକ୍‌ ଶାଗୁଣା ପରି ଭାରତୀୟ ସେନାର ଶିକାର ଉପରେ ମହାକାଶରୁ ତୀକ୍ଷଣ ନଜର ରଖିଛି।

ଇସ୍ରୋର ଉପଗ୍ରହ ନେଟୱର୍କ ଦେଉଥିବା ତଥ୍ୟ ଆଧାରରେ ଭାରତୀୟ ସେନା ପାକିସ୍ତାନର ରାଡାର ସିଷ୍ଟମ ଏବଂ ପାକିସ୍ତାନୀ ଡ୍ରୋନ ତଥା ମିସାଇଲକୁ ସହଜରେ ଧ୍ବଂସ କରିଦେଉଛି। ଆତଙ୍କବାଦୀ ଆଡ୍ଡା ଚିହ୍ନଟ, ଆକ୍ରମଣର ଲକ୍ଷ୍ୟ ଧାର୍ଯ୍ୟ, ପାକିସ୍ତାନ ସେନାର ଠିକଣା, ଅସ୍ତ୍ରଶସ୍ତ୍ର ଏବଂ ସେନାର କାର୍ଯ୍ୟକଳାପ, ରାଡାର ଷ୍ଟେସନ ଆଦିର ସୂଚନା ଇସ୍ରୋ ସେନାକୁ ଦେଇଛି। ଏହା ସହିତ ଇସ୍ରୋ ଇଲେକ୍‌ଟ୍ରୋନିକ କାର୍ଯ୍ୟକଳାପକୁ ଟ୍ରାକ କରି ସମ୍ବେଦନଶୀଳ ସୂଚନା ଧରିବା ଏବଂ ଗୁଇନ୍ଦା ସୂଚନା ହାସଲ କରିବାରେ ସଫଳ ହୋଇଛି।

ଏବେ ଅତିକମ୍‌ରେ ଇସ୍ରୋର ୭ଟି ଉପଗ୍ରହ ସମ୍ବେଦନଶୀଳ ଏବଂ ଗୁଇନ୍ଦା ସୂଚନା ପ୍ରଦାନ କରୁଛି। ଏଗୁଡିକ ହେଲା ଆରଆଇସ୍ୟାଟ-୨ବି, ଆରଆଇସ୍ୟାଟ-୨ବିଆର୍‌୧, କାର୍ଟୋସାଟ-୩, ଇମିସାଟ ସାଟେଲାଇଟ, ହାୟସିସ ସାଟେଲାଇଟ, ଜିସାଟ-୭, ଜିସାଟ-୭ଏ ରହିଛି। କାର୍ଟୋସାଟ ଉପଗ୍ରହ ୦.୬ ମିଟରରୁ ୦.୩୫ ମିଟର ପର୍ଯ୍ୟନ୍ତ ହାଇ ରିଜୋଲ୍ୟୁସନ ଫଟୋ ପଠାଇ ପାରିବ। ଏହା ମାଧ୍ୟମରେ ପାକିସ୍ତାନର ଆତଙ୍କବାଦୀ ଲଞ୍ଚପ୍ୟାଡ, ସାମରିକ ଠିକଣାର ସଠିକ୍‌ ଲୋକେସନ ଏବଂ କାର୍ଯ୍ୟକଳାପର ସ୍ପଷ୍ଟ ଫଟୋ ମିଳିପାରିବ। ଏହା ଦିନବେଳେ ସୀମାନ୍ତ ଅଞ୍ଚଳର ରିଅଲ ଟାଇମ ଫଟୋ ଏବଂ ଭିଡିଓ କ୍ଲିପ୍ସ ମଧ୍ୟ ମିଳିପାରିବ।

ଆର୍‌ଆଇସାଟ୍‌-୨ବି

ଏହି ଉପଗ୍ରହ ଯେକୌଣସି ପାଣିପାଗରେ ଶତ୍ରୁ ଉପରେ ନଜର ରଖିପାରିବ। ଅନ୍ଧାରରେ,ମେଘାଚ୍ଛନ, ଧୂଳିମୟ ପରିବେଶରେ ବି ଏଥିରେ ଲାଗିଥିବା ସିନ୍ଥେଟିକ ଆପର୍ଚର ରାଡାର ଶତ୍ରୁର ସବୁ କାର୍ଯ୍ୟକଳାପକୁ ରେକର୍ଡିଂ କରିପାରିବ। ଭାରତୀୟ ଉପକୂଳରେ ଅନୁପ୍ରବେଶ କରୁଥିବା ଯେକୌଣସି ଜାହାଜକୁ ଟ୍ରାକ କରି ନୌସେନାକୁ ତଥ୍ୟ ଦେଇପାରିବ।

ଆରାଇସାଟ୍‌- ୨ବିଆର୍‌୧

ଏହି ଗୁଇନ୍ଦା ଉପଗ୍ରହରେ ଲାଗିଥିବା ସିନ୍ଥଟିକ ଆପାର୍ଚର ରାଡାର ଅତ୍ୟନ୍ତ ଶକ୍ତିଶାଳୀ।  ଏହା ପାକିସ୍ତାନ ସେନାର ଗୁପ୍ତ କାର୍ଯ୍ୟକଳାପ ଏବଂ ଲକ୍ଷ୍ୟଭେଦ କରିବାରେ ସଫଳ।

କାର୍ଟୋସାଟ୍‌-୩

ଏହା ଭାରତର ରିମୋଟ ସେନ୍‌ସିଂ କାର୍ଯ୍ୟକ୍ରମର ଅଂଶବିଶେଷ। ଏହା ଥର୍ମାଲ ଫଟୋ ଉତ୍ତୋଳନ କରିବାରେ ସକ୍ଷମ। ୨୫ ସେମି ବସ୍ତୁର ହାଇ ରିଜୋଲ୍ୟୁସନ ଫଟୋ ଉଠାଇ ପାରୁଥିବା ପାନକ୍ରୋମାଟିକ କ୍ୟାମେରା କାର୍ଟୋସାଟ-୩ରେ ଲାଗିଛି।

ଇମିସାଟ୍‌

ଡିଆରଡିଓର କୌଟିଲ୍ୟ ପ୍ରକଳ୍ପ ଅଧିନରେ ଏହାକୁ ୮ ବର୍ଷ ମଧ୍ୟରେ ବିକଶିତ କରାଯାଇଛି। ଏହା ସୀମା ଆରପଟେ ଥିବା ଶତ୍ରୁର ଇଲେକ୍‌ଟ୍ରୋନିକ ରାଡାରକୁ ଧରିବାରେ ସିଦ୍ଧହସ୍ତ। ଏହା ପୃଥିବୀକୁ ଥରେ ପରିକ୍ରମା କରିବା ପାଇଁ ମାତ୍ର ୯୦ ମିନିଟ ସମୟ ନେଉଛି। ଏହା ମାଧ୍ୟମରେ ରାଡାର ଷ୍ଟେସନ, ଦୂରସଞ୍ଚାର ସିଗ୍‌ନାଲ ଆଦି ଇଲେକ୍‌ଟ୍ରୋନିକ ଇଣ୍ଟେଲିଜେନ୍ସର ସୂଚନା ମିଳିପାରିବ। ଏହା ଦ୍ବାରା କେଉଁଠି ସେନା ଉପକରଣ ସକ୍ରିୟ ଅଛି ତାହାର ସୂଚନା ମିଳିପାରିବ।

ହାୟସିସ୍‌

ଏହି ଉପଗ୍ରହ ହାଇସ୍ପେକଟ୍ରଲ ଇମେଜ ପ୍ରଦାନ କରୁଛି। ପାକିସ୍ତାନ ଯଦି କୌଣସି ଭିତ୍ତିଭୂମି ଠିକଣା ପରିବର୍ତ୍ତନ କରେ କିମ୍ବା ସୈନ୍ୟ ଠୁଳକରେ ତାହା ଚିହ୍ନଟ କରିବାରେ ଏହି ଫଟୋ ସହାୟକ ହେଉଛି। ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଏବଂ କେଉଁ ଗାଡ଼ିରେ କେଉଁ ସାମଗ୍ରୀ ଯାଉଛି ତାହାର ମଧ୍ୟ ସୂଚନା ଦେଇପାରିବ।

ଜିସାଟ୍‌-୭

ଦୂରସଞ୍ଚାର ପାଇଁ ନୌସେନା ଏବଂ ତଟରକ୍ଷୀ ବାହିନୀକୁ ରିୟଲ ଟାଇମ କ୍ୟମୁନିକେସନ ସୁବିଧା ପ୍ରଦାନ କରିବାରେ ଏହା ସହାୟକ ହେଉଛି। ଏହି ଉପଗ୍ରହ ଏକାଥରକେ ୬୦ ଜାହାଜ ଏବଂ ୭୫ ବିମାନର ପରିଚାଳନା କରିବାରେ ସକ୍ଷମ। ଏହା ନୌସେନାର ସବୁ ସମ୍ପତ୍ତିକୁ ଏକାଠି ଯୋଡିପାରିବ। ସେନାର କମାଣ୍ଡ ଏବଂ ୟୁନିଟ ମଧ୍ୟରେ ସୁରକ୍ଷିତ ଯୋଗାଯୋଗ ପାଇଁ ଏହାକୁ ବ୍ୟବହାର କରାଯାଉଛି। ବାୟୁସେନା ଏବଂ ସ୍ଥଳସେନାର ୟୁଏଭି ତଥା ଡ୍ରୋନ ପରିଚାଳନା, ଏୟାରବର୍ଣ୍ଣ ଆର୍ଲି ୱାର୍ଣ୍ଣି ଆଣ୍ଡ କମାଣ୍ଡ ସିଷ୍ଟମରେ ଏହି ଉପଗ୍ରହକୁ ବ୍ୟବହାର କରାଯାଉଛି।

ଜିସାଟ୍‌-୭ଏ

ଏହି ଉପଗ୍ରହର ୩୦ ପ୍ରତିଶତ କ୍ଷମତାକୁ ଭାରତୀୟ ସ୍ଥଳସେନା ଏବଂ ବାୟୁସେନା ପାଇଁ ଉପଲବ୍ଧ। ଏହି ଉପଗ୍ରହ ବାୟୁସେନାର ସବୁ ସମ୍ପତ୍ତି ଅର୍ଥାତର ଲଢୁଆ ବିମାନ, ଏୟାରବର୍ଣ୍ଣ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ଏବଂ ଡ୍ରୋନକୁ ପରସ୍ପର ସହ ଏବଂ ଭୂପୃଷ୍ଠରେ ଥିବା ଷ୍ଟେସନ ସହ ଯୋଡିବା କ୍ଷମତା ପ୍ରଦାନ କରିଛି। ଏହା ଦ୍ବାରା ବାୟୁସେନାକୁ ନେଟୱର୍କ-କେନ୍ଦ୍ରୀତ ଯୁଦ୍ଧ କ୍ଷମତା ମିଳିଛି।