ପାଗଳ ମାଙ୍କଡ଼ କାମୁଡ଼ାରେ ୧୨ ଗୁରୁତର, ଲୋକେ ଆତଙ୍କିତ

ଗୁରୁତର ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ଭଦ୍ରକ ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିବା ବେଳେ ଜଣେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। 

ପାଗଳ ମାଙ୍କଡ଼ କାମୁଡ଼ାରେ ୧୨ ଗୁରୁତର, ଲୋକେ ଆତଙ୍କିତ

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା ମାଙ୍କଡ଼ । ମାଙ୍କଡ଼ ଆତଙ୍କରେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଚରମ୍ପା ବରାଳପୋଖରୀ ଗାଁରେ ଏକ ମାଙ୍କଡ଼ ପାଗଳ ହୋଇ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଥିବାର ଦେଖିବାକୁ ମିଳିଛି ।

ଗୁରୁତର ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ଭଦ୍ରକ ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିବା ବେଳେ ଜଣେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। 

ସ୍ଥାନୀୟ ଅଞ୍ଚଳରେ ଏହି ମାଙ୍କଡ଼ ଆତଙ୍କରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି । ଯିଏ ବାହାରକୁ ବାହାରୁଛନ୍ତି ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି । ଭୟରେ ଗ୍ରାମବାସୀ ହାତରେ ବାଡି ଧରି ଵାହାରୁଛନ୍ତି।

ଖବର ପାଇ ବନ ବିଭାଗର ଗୋଟିଏ ଟିମ୍ ପହଞ୍ଚି ମାଙ୍କଡଟିକୁ କାବୁ କରିବାକୁ ଚେଷ୍ଟା କରିଥିଲା । ହେଲେ ସେଥିରେ ବିଫଳ ହୋଇଥିଲା । ପରେ ବନବିଭାଗର ଆଉ ଏକ ଟିମ୍‌କୁ ଡକାଯାଇଥିଲା । ହେଲେ ଧରା ଦେଉନି ମାଙ୍କଡ଼  ।

ବନ ବିଭାଗର ଟିମ୍‌ ୩ ଦିନ ଧରି ଗାଁରେ ଡେରା ପକାଇଥିବା ବେଳେ ବନ ବିଭାଗର ଅଧିକାରୀମାନେ ମଧ୍ୟ ଜଗି ରହିଛନ୍ତି।  ବନ ବିଭାଗ ପକ୍ଷରୁ ଗାଁରେ ଜନ୍ତା ବିଛାଯାଇଛି, ହେଲେ ତା’ ମଧ୍ୟରେ ମାଙ୍କଡ଼ ଧରା ଦେଉ ନାହିଁ । ତେବେ ପାଗଳ ମାଙ୍କଡଟିକୁ ବନ ବିଭାଗ କେବେ କାବୁ କରୁଛି ତାହା ଉପରେ ସମସ୍ତଙ୍କ ନଜର । ୩ ଦିନ ହେଲାଣି ମାଙ୍କଡିଟି ଜନ୍ତାରେ ପଡ଼ୁ ନ ଥିବାରୁ ଆଜି ଟ୍ରାଙ୍କୁଲାଇଜ କରିବାକୁ ଭୁବନେଶ୍ୱରରୁ ଏକ ଟିମ୍‌ ଆସୁଥିବା ଜଣାଯାଇଛି।

ଅନ୍ୟ ପକ୍ଷରେ ମାଙ୍କଡ ଭୟରେ ଗାଁରେ ଲୋକେ ଆଉ ଘରୁ ଵାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଯିଏ ବାହାରକୁ ବାହାରୁଛନ୍ତି ହାତରେ ବାଡ଼ି ଧରି ବାହାରୁଛନ୍ତି। 

(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ)