ପାନୀୟ ଜଳ ଓ NHM ପ୍ରକଳ୍ପର ସମୀକ୍ଷା କଲେ ସାଂସଦ ଓ ବିଧାୟକ

ଜଳ ଜୀବନ ମିଶନରେ ୩୯୬ଟି ଗାଁରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାମ ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ପାନୀୟ ଜଳ ଓ NHM ପ୍ରକଳ୍ପର ସମୀକ୍ଷା କଲେ ସାଂସଦ ଓ ବିଧାୟକ

କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ଓ NHM ପ୍ରକଳ୍ପର ଅଗ୍ରଗତି ନେଇ ଆଜି ବସିଥିବା ‘ଦିଶା’ ବୈଠକରେ ଆଲୋଚନା ହୋଇଛି। ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ ଜନପ୍ରତିନିଧିମାନେ ବିଭାଗୀୟ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାପରିଷଦଙ୍କ ସମ୍ମିଳନୀ କକ୍ଷରେ ଆଜି ବସିଥିଲା ‘ଦିଶା’ ବୈଠକ। ଏଥିରେ ସାଂସଦ ବୈଜୟନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଅନ୍ୟ ଜନପ୍ରତିନିଧି, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଜଳ ଜୀବନ ମିଶନ୍‌ ଓ ନ୍ୟାଶନାଲ୍‌ ହେଲ୍‌ଥ ମିଶନ୍(NHM) ଉପରେ ଆଲୋଚନା ହୋଇଥିଲା। ଜଳ ଜୀବନ ମିଶନରେ ୩୯୬ଟି ଗାଁରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାମ ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ପ୍ରକଳ୍ପ ସମ୍ପର୍କରେ ସାଂସଦ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

ବୈଠକ ପରେ ସାଂସଦ ବୈଜୟନ୍ତ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା ପାଇଁ ସାଂସଦଙ୍କ ଅଧ୍ୟକ୍ଷତାରେ ପ୍ରତି ଜିଲ୍ଲାରେ ଦିଶା କମିଟି ଗଠନ ହୋଇଛି। ଯେଉଁଥିରେ ବିଧାୟକ, ଅନ୍ୟ ଜନପ୍ରତିନିଧି ଓ ସବୁ ପ୍ରଶାସନିକ ଅଧିକାରୀମାନେ ଅଛନ୍ତି। ମୁଁ ଶୁଣିଲି ବହୁଦିନ ହେଲା ଏଠି ବୈଠକ ହୋଇନଥିଲା। ନୂଆ ଟର୍ମରେ ଆଜି ପ୍ରଥମ ବୈଠକ ବସିଥିଲା। ପ୍ରତି ୩ ମାସରେ ଥରେ ବୈଠକ ହେବା କଥା। ଆଗକୁ ନିଶ୍ଚିତ ଭାବେ ଦିଶା ବୈଠକ ବସିବ ବୋଲି ସାଂସଦ କହିଛନ୍ତି।

ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଘରକୁ ପାନୀୟ ଜଳ ଯୋଗାଇବା ପାଇଁ କେଉଁ ସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି ଓ କେତେ କାମ ବାକି, ତାହା ଉପରେ ସମୀକ୍ଷା କରାଯାଇଛି। ଠିକ୍‌ ସେମିତି NHM ରେ ନିର୍ମାଣ ଚାଲିଥିବା ବିଭିନ୍ନ ସବ୍‌ସେଣ୍ଟର ନିର୍ମାଣ କାର୍ଯ୍ୟ କେବେ ସରିବ? କେବେ ହସ୍ତାନ୍ତର ହେବ? ସବୁସ୍ଥାନକୁ ଆମ୍ୱୁଲାନ୍ସ ପହଞ୍ଚୁଛି କି ନାହିଁ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ପରବର୍ତ୍ତୀ ବୈଠକରେ ଜିଲ୍ଲାରେ ଥିବା ଅନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ପାନୀୟ ଜଳ ପ୍ରକଳ୍ପକୁ ନେଇ ସାଂସଦ କହିଛନ୍ତି, ମୋଦି ସରକାରଙ୍କ ହର୍‌ ଘର ଜଳ ମିଶନ୍‌ରେ ଓଡ଼ିଶା ବହୁ ପଛରେ ରହିଛି। ଯେଉଁସବୁ କାର୍ଯ୍ୟ ବର୍ଷେ ତଳେ ସରିବା କଥା, ତାହା ଆଜି ପର୍ଯ୍ୟନ୍ତ ସରିନି। ସରିବା ପାଇଁ ଆହୁରି ବର୍ଷେରୁ ଦୁଇ ବର୍ଷ ଲାଗିବ। ଠିକ୍‌ ଭାବେ ତଦାରଖ ହେଉନଥିବାରୁ ଏପରି ସମସ୍ୟା ଉପୁଜିଛି। ସାଂସଦ, ବିଧାୟକ ଓ ଅନ୍ୟ ଜନ ପ୍ରତିନିଧିମାନେ ଏବେ ନିୟମିତ ଭାବେ ତଦାରଖ କରିବେ। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ