ପାରାସିଟାମଲ୍ ଯୋଗୁଁ ହୋଇପାରେ ହୃତ୍ପିଣ୍ଡ, କିଡ୍ନୀ ରୋଗ
ନୂଆଦିଲ୍ଲୀ : ସାଧାରଣ ଥଣ୍ଡା ଜ୍ବର ଟିକେ ହୋଇଗଲେ ଲୋକେ ଆଶ୍ବସ୍ତି ପାଇଁ ପାରାସିଟାମଲ୍ ଟାବ୍ଲେଟ ଖାଇ ଦେଇଥାନ୍ତି। ଅଷ୍ଟ୍ରିଓଆର୍ଥାରାଇଟ୍ସର ଚିକିତ୍ସାରେ ମଧ୍ୟ ଏହି ଟାବ୍ଲେଟ ଦିଆଯାଇଥାଏ। ମାତ୍ର ଏହି ଔଷଧ ବିପଦ ଆଣି ଦେଉଛି। ରୋଗ ଭଲ କରିବା ପରିବର୍ତ୍ତେ ମାରାତ୍ମକ ରୋଗ ସୃଷ୍ଟିର କାରଣ ପାଲଟି ଯାଉଛି। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏଥିରେ ପାରାସିଟାମଲକୁ ନେଇ ବିଚଳିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କଲେ […]

ନୂଆଦିଲ୍ଲୀ : ସାଧାରଣ ଥଣ୍ଡା ଜ୍ବର ଟିକେ ହୋଇଗଲେ ଲୋକେ ଆଶ୍ବସ୍ତି ପାଇଁ ପାରାସିଟାମଲ୍ ଟାବ୍ଲେଟ ଖାଇ ଦେଇଥାନ୍ତି। ଅଷ୍ଟ୍ରିଓଆର୍ଥାରାଇଟ୍ସର ଚିକିତ୍ସାରେ ମଧ୍ୟ ଏହି ଟାବ୍ଲେଟ ଦିଆଯାଇଥାଏ। ମାତ୍ର ଏହି ଔଷଧ ବିପଦ ଆଣି ଦେଉଛି। ରୋଗ ଭଲ କରିବା ପରିବର୍ତ୍ତେ ମାରାତ୍ମକ ରୋଗ ସୃଷ୍ଟିର କାରଣ ପାଲଟି ଯାଉଛି। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏଥିରେ ପାରାସିଟାମଲକୁ ନେଇ ବିଚଳିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କଲେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍, ହୃତ୍ପିଣ୍ଡ, ଉଚ୍ଚ ରକ୍ତଚାପ, ପେପ୍ଟିକ୍ ଅଲ୍ସର ଏବଂ କିଡ୍ନୀ ସମ୍ବନ୍ଧିତ ବହୁ ଜଟିଳ ରୋଗ ହୋଇପାରେ। ବ୍ରିଟେନର ନଟିଂହାମ୍ ୟୁନିଭର୍ସିଟିର ଗବେଷକମାନେ କରିଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।
ଏହି ଗବେଷଣାର ନେତୃତ୍ବ ନେଇଥିବା ଏନ୍ଆଇଏଚ୍ଆର ବାୟୋମେଡିକାଲ ରିସର୍ଚ୍ଚ ସେଣ୍ଟରର ପ୍ରଫେସର ୱି ଝାଙ୍ଗ କହିଛନ୍ତି ଯେ ସାଧାରଣତଃ ଦୀର୍ଘ ଦିନର ଆଣ୍ଟୁଗଣ୍ଠି ବାତର ଚିକିତ୍ସାରେ ପାରାସିଟାମଲ ଦିଆଯାଇଥାଏ। ବିଶେଷ କରି ବୟସ୍କଙ୍କ ପାଇଁ ଏହାକୁ ଭଲ ବୋଲି ଧରା ଯାଉଥିଲା। ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଏହାକୁ ଖାଇଲେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ପୂର୍ବରୁ ମଧ୍ୟ ଅନେକ ଅଧ୍ୟୟନରେ ପାରାସିଟାମଲ୍କୁ ବିପଜ୍ଜନକ କୁହାଯାଇଥିଲା। ଏହାର ପ୍ରୟୋଗ ଦ୍ବାରା ଅଲ୍ସର, ରକ୍ତସ୍ରାବ ଜନିତ ସମସ୍ୟା ହୋଇପାରେ ବୋଲି କୁହାଯାଇଥିଲା। ନୂଆ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ପାରାସିଟାମଲ୍ ଦ୍ବାରା ପେପ୍ଟିକ୍ ଅଲ୍ସର ରକ୍ତସ୍ରାବ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ରକ୍ତସ୍ରାବ ଜନିତ ବିପଦ ୨୪ରୁ ୩୬ ପ୍ରତିଶତକୁ ବୃଦ୍ଧି ପାଇଥାଏ। ସେହିପରି କ୍ରୋନିକ କିଡ୍ନୀ ରୋଗର ବିପଦ ୧୯ ପ୍ରତିଶତ, ହୃତ୍ପିଣ୍ଡ ଫେଲ୍ହେବାର ୯ ପ୍ରତିଶତ ଏବଂ ଉଚ୍ଚ ରକ୍ତଚାପ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ‘ଆର୍ଥରାଇଟ୍ସ କେୟାର ଆଣ୍ଡ ରିସର୍ଚ୍ଚ ଜର୍ଣ୍ଣାଲ’ରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ କହିଛନ୍ତି ଯେ ଏହା ବୟସ୍କଙ୍କ କିଡ୍ନୀ, ହୃତ୍ପିଣ୍ଡ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଦର୍ଶାଉଛି।
ଗବେଷକମାନେ ୧, ୮୦, ୪୮୩ ଲୋକଙ୍କ ଉପରେ ଏହି ଗବେଷଣା କରିଥିଲେ। ସମସ୍ତଙ୍କୁ ଛଅ ମାସ ଭିତରେ ଦୁଇ ଥରରୁ ଅଧିକ ପାରାସିଟାମଲ ଦିଆଯାଇଥିଲା। କେବେ ବି ପାରାସିଟାମଲ ନେଇ ନ ଥିବା କମ୍ ବୟସର ୪, ୦୨, ୪୭୮ ଲୋକଙ୍କ ସହ ଏମାନଙ୍କ ତୁଳନା କରାଯାଇଥିଲା। ଅଧ୍ୟୟନ ପାଇଁ କ୍ଲିନିକାଲ ପ୍ରାକ୍ଟିସ୍ ରିସର୍ଚ୍ଚ ଡାଟାଲିଙ୍କ-ଗୋଲ୍ଡର ଡାଟା ବିଶ୍ଳେଷଣ କରାଯାଇଥିଲା। ଗବେଷକମାନେ ପାରାସିଟାମଲ୍ର ବହୁତ କମ୍ ବ୍ୟବହାର କରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। ଦୀର୍ଘ ଦିନ ପର୍ଯ୍ୟନ୍ତ ଔଷଧ ନ ଲେଖିବାକୁ କହିଛନ୍ତି। ପୂର୍ବରୁ ହୃତ୍ପିଣ୍ଡ କିମ୍ବା କିଡ୍ନୀ ରୋଗ ଥିଲେ ପାରାସିଟାମଲ୍ ନ ଖାଇବାକୁ କୁହାଯାଇଛି। ସେହିପରି ଜ୍ବର ଏବଂ ଦରଜ ଚିକିତ୍ସା ପାଇଁ ଅନ୍ୟ ବିକଳ୍ପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଜୀବନଶୈଳୀରେ ପରିବର୍ତ୍ତନ ଏବଂ ପ୍ରାକୃତିକ ଚିକିତ୍ସା ସହିତ ବ୍ୟାୟାମ ଏବଂ ସନ୍ତୁଳିତ ଆହାରକୁ ପ୍ରାଥମିକତା ଦେବା ମନ୍ଦ ଭଲ।