ପିପିଲିରେ ମାଟି ତଳେ ନିଆଁ ଥିବା ଆଶଙ୍କା, ଜବାହର ବିଦ୍ୟାପୀଠର ଚଟାଣ ତାତୁଛି, ବିନା ନିଆଁରେ ଗରମ ହେଉଛି ପାଣି

ପିପିଲି :ପୁରୀ ଜିଲା ଅନ୍ତର୍ଗତ ପିପିଲି ପୌରାଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଜବାହର ବିଦ୍ୟାପୀଠ ଠାରେ ଥିବା ଏକ ଘରର ଚଟାଣ ତାତୁଛି। ଗତ ୧୦ ତାରିଖ ଠାରୁ ଚଟାଣ ଗରମ ହେଉଥିବା ବେଳେ ଦିନକୁ ଦିନ ସେହିସ୍ଥାନରେ ଉତ୍ତାପ ବଢିବାରେ ଲାଗିଛି। ଚଟାଣ ଉପରେ ଯେ କୌଣସି ପାତ୍ରରେ ପାଣି ରଖିବାର କିଛି ମିନିଟ୍‌‌ ମଧ୍ୟରେ ପାଣି ଗରମ ହୋଇ ବାମ୍ଫ ବାହାରୁଛି। ଏହାକୁ ନେଇ ବିଦ୍ୟାଳୟ କତ୍ତୃପକ୍ଷ ଚିନ୍ତାରେ ପଡ଼ିଥିବା ବେଳେ ଏହି ସମସ୍ୟାର ସ୍ଥାୟୀ […]

ପିପିଲିରେ ମାଟି ତଳେ ନିଆଁ ଥିବା ଆଶଙ୍କା, ଜବାହର ବିଦ୍ୟାପୀଠର ଚଟାଣ ତାତୁଛି, ବିନା ନିଆଁରେ ଗରମ ହେଉଛି ପାଣି

ପିପିଲି :ପୁରୀ ଜିଲା ଅନ୍ତର୍ଗତ ପିପିଲି ପୌରାଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଜବାହର ବିଦ୍ୟାପୀଠ ଠାରେ ଥିବା ଏକ ଘରର ଚଟାଣ ତାତୁଛି। ଗତ ୧୦ ତାରିଖ ଠାରୁ ଚଟାଣ ଗରମ ହେଉଥିବା ବେଳେ ଦିନକୁ ଦିନ ସେହିସ୍ଥାନରେ ଉତ୍ତାପ ବଢିବାରେ ଲାଗିଛି। ଚଟାଣ ଉପରେ ଯେ କୌଣସି ପାତ୍ରରେ ପାଣି ରଖିବାର କିଛି ମିନିଟ୍‌‌ ମଧ୍ୟରେ ପାଣି ଗରମ ହୋଇ ବାମ୍ଫ ବାହାରୁଛି। ଏହାକୁ ନେଇ ବିଦ୍ୟାଳୟ କତ୍ତୃପକ୍ଷ ଚିନ୍ତାରେ ପଡ଼ିଥିବା ବେଳେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଧାନଶିକ୍ଷକ ପତ୍ରଲେଖି ଅନୁରୋଧ କରିଛନ୍ତି।

ମଙ୍ଗଳବାର ଅପରାହ୍ନରେ ଖଣି ବିଭାଗର କେତେକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଘଟଣାର କୌଣସି ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ଜଣାପଡ଼ିନଥିଲା। ଏହି ଘଟଣାର ସମାଧାନ ପାଇଁ ପିପିଲି ତହସିଲଦାର ଦିଲିପ କୁମାର ମାଝୀ ମଙ୍ଗଳବାର ସଂନ୍ଧ୍ୟାରେ ଭୂବିଜ୍ଞାନ ବିଭାଗକୁ ଅବଗତ କରିଛନ୍ତି। ଭୂବିଜ୍ଞାନ ବିଭାଗର ବିଶେଷଜ୍ଞମାନେ ଘଟଣାର ଅନୁସନ୍ଧାନ କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

ସୂଚନା ଅନୁଯାଇ, ଜବାହର ବିଦ୍ୟାପୀଠର ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ରୋଷେଇ ଘର ଓ ଭୋଜନ କକ୍ଷକୁ ଲାଗି ରହିଥିବା ଷ୍ଟୋର ରୁମ୍‌‌ର ଚଟାଣ ଗରମ ହେଉଛି। ୨୦୨୦ ମସିହାରେ ଉକ୍ତ ଷ୍ଟୋର୍‌‌ ରୁମ୍‌‌ରେ ସେରାମିକ୍‌‌ ଟାଇଲ ବିଛାଯାଇଥିଲା। ଗତ ୧୦ ତାରିଖରେ ଉକ୍ତ ଘରକୁ ପରିଷ୍କାର କରାଯିବା ସମୟରେ ଚଟାଣ ଗରମ ହେଉଥିବା ଜଣାପଡ଼ିଥିଲା। ଉକ୍ତ ପ୍ରକୋଷ୍ଠର ପ୍ରବେଶପଥ ନିକଟରେ ଚଟାଣର ସେରାମିକ୍‌‌ ଟାଇଲର ପ୍ରାୟ ୧ବର୍ଗଫୁଟ୍‌‌ ଅଞ୍ଚଳ ଆପେ ଆପେ ଗରମ ହେଉଥିବା ଅନୁଭୂତ ହୋଇଥିଲା। ଖାଲି ପାଦରେ ସେହି ସ୍ଥାନରେ ଠିଆ ହେବା ଆଦୌ ସମ୍ଭବପର ହେଉନାହିଁ। ସେହି ସ୍ଥାନରେ ଯେକୌଣସି ପାତ୍ରରେ ପାଣି ରଖିଲେ ତାହା ମାତ୍ର କିଛି ମିନିଟ୍‌‌ ମଧ୍ୟରେ ଆପେ ଆପେ ଗରମ ହୋଇଯାଉଛି। ତାତିର ପରିମାଣ ୬୦ଡିଗ୍ରି ସେଲସିୟସରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଏହାକୁ ନେଇ ଉଭୟ ବିଦ୍ୟାଳୟ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଚିନ୍ତିତ ଅଛନ୍ତି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପୀତବାସ ସେଠୀ ଏସଂପର୍କରେ ବିଭିନ୍ନ ଦିଗରୁ ଅନୁସନ୍ଧାନ କରିବା ପରେ ମଧ୍ୟ ଚଟାଣ ଗରମ ହେଉଥିବାର କୌଣସି ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ଜାଣିପାରିନଥିଲେ। ପରେ ସେ ଗତ ୧୨ ତାରିଖ ଦିନ ଏ ସଂପର୍କରେ ଜିଲା ଶିକ୍ଷାଧିକାରୀ, ପିପିଲି ତହସିଲଦାର, ବ୍ଲକ ଶିକ୍ଷାଧିକାରୀ ଓ ଖଣି ବିଭାଗ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରିବା ସହ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଉକ୍ତ ବିଦ୍ୟାଳୟରେ ଥିବା ୪୯୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୭ ଜଣ ଛାତ୍ରଛାତ୍ରୀ ଉକ୍ତ ଷ୍ଟୋର୍‌‌ ରୁମ୍‌‌ ସଂଲଗ୍ନ ଭୋଜନ କକ୍ଷରେ ପ୍ରତ୍ୟହ ମଧ୍ୟାହ୍ନ ଭୋଜନ କରିଥାନ୍ତି। ଚଟାଣ ଗରମ ହେଉଥିବାରୁ କୌଣସି ଅଘଟଣ ଆଶଙ୍କାରେ ଉକ୍ତ ଷ୍ଟୋର ରୁମ୍‌‌ରେ ଲାଇଟ୍‌‌ ଓ ଫ୍ୟାନ୍‌‌ ବ୍ୟବହାର ବନ୍ଦ ରଖାଯିବା ସହ ସେହି ସ୍ଥାନକୁ ପିଲାଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ପିପିଲି ତହସିଲଦାର ଦିଲିପ କୁମାର ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଜିଲା ପ୍ରଶାସନକୁ ଏସଂପର୍କରେ ଅବଗତ କରାଇବା ପରେ ମଙ୍ଗଳବାର ଅପରାହ୍ନରେ ଖଣି ବିଭାଗର ବିଶେଷଜ୍ଞମାନେ ଘଟଣାସ୍ଥଳ ପରିଦର୍ଶନ କରି କୌଣସି ସିନ୍ଧାନ୍ତରେ ପହଞ୍ôଚପାରିନଥିବା ସୂଚନା ମିଳିଛି। ଏହାପରେ ତହସିଲଦାର ଶ୍ରୀମାଝୀ ଏ ସଂପର୍କରେ ଭୂବିଜ୍ଞାନ ବିଭାଗକୁ ପତ୍ରଲେଖି ଅବଗତ କରିଛନ୍ତି। ଭୂବିଜ୍ଞାନ ବିଭାଗର ବିଶେଷଜ୍ଞଙ୍କ ପରିଦର୍ଶନ ପରେ ତାଙ୍କ ପରାମର୍ଶ ଅନୁଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।