ପିପିଲିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ପିପିଲି:ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଶନିବାର ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପିପିଲି ପୌରାଞ୍ଚଳର ବିଭିନ୍ନ ସାହି, ବସ୍ତି ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା। ଅତିଥି ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ଆଦର୍ଶ ଉଦ୍ୟାନ ପରିସରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା। […]

ପିପିଲି:ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଶନିବାର ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପିପିଲି ପୌରାଞ୍ଚଳର ବିଭିନ୍ନ ସାହି, ବସ୍ତି ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା। ଅତିଥି ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ଆଦର୍ଶ ଉଦ୍ୟାନ ପରିସରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା।
ଏହି ଅବସରରେ ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁଙ୍କ ଅଧ୍ୟକ୍ଷତାରେ ପୌର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା ପ୍ରମୁଖ ଯୋଗଦେଇ ସ୍ୱାୟତ୍ତ ଶାସନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ। ପିପିଲି ଏନ୍ଏସିରେ ହୋଇଥିବା ବିକାଶ ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ପୌରାଧ୍ୟକ୍ଷ ସେକ୍ ବାବୁ ସୂଚନା ଦେବା ସହ ପୌରାଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ବିବରଣୀ ପାଠ କରିବା ଅବସରରେ ପୌରାଞ୍ଚଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପିପିଲି ମହାବିଦ୍ୟାଳୟର ସଂଗୀତ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସମେତ ପୌର କର୍ମଚାରୀ ଓ ଅଞ୍ଚଳର କେତେକ ବରିଷ୍ଠ ସାମ୍ବାଦିକଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡ ସଭ୍ୟ, ସଭ୍ୟା, ପୂର୍ବତନ କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଯୋଗଦେଇଥିଲେ। ପରେ ୬୦.୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ଶ୍ମଶାନକୁ ଅତିଥିମାନେ ଲୋକାର୍ପିତ କରିଥିଲେ।