ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର
ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା। ନିର୍ବାଚନ ଦୌଡ଼ରେ ପରିବାର ସଦସ୍ୟଙ୍କୁ ଥଇଥାନ ଲାଗି ଚାଲିଛି ଛକାପଞ୍ଝା। ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏବେ ବଡ଼ ପୁଅ ସିଦ୍ଧାର୍ଥ ଓ ସାନପୁଅ ମନ୍ମଥଙ୍କୁ ବିଧାୟକ କରାଇବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି। ବୟସାଧିକ କାରଣରୁ ବିଧାନସଭାକୁ ବିଦାୟ କହିଥିବା […] The post ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର appeared first on Dharitri Odia News.
ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା। ନିର୍ବାଚନ ଦୌଡ଼ରେ ପରିବାର ସଦସ୍ୟଙ୍କୁ ଥଇଥାନ ଲାଗି ଚାଲିଛି ଛକାପଞ୍ଝା।
ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏବେ ବଡ଼ ପୁଅ ସିଦ୍ଧାର୍ଥ ଓ ସାନପୁଅ ମନ୍ମଥଙ୍କୁ ବିଧାୟକ କରାଇବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି। ବୟସାଧିକ କାରଣରୁ ବିଧାନସଭାକୁ ବିଦାୟ କହିଥିବା ସୁରେଶ ସମ୍ପ୍ରତି ଦୁଇ ପୁଅଙ୍କ ପାଇଁ ସାରଥି ସାଜିଛନ୍ତି। ସାନପୁଅ ମନ୍ମଥ କଂଗ୍ରେସରୁ ଲଢିବେ ବୋଲି ପୂର୍ବରୁ କହି ବୁଲୁଥିବା ସୁରେଶ ଏବେ ୟୁ ଟର୍ନ ନେଇଛନ୍ତି। ‘ମୁଁ କଂଗ୍ରେସରେ ରହିବି, ପୁଅ ଯେଉଁ ଦଳରୁ ଠିଆହେବ ତାଙ୍କୁ ସମର୍ଥନ ଦେବି’ ବୋଲି ସୁରେଶ କହିଛନ୍ତି।
ଜଟଣୀ ନାଗରିକ କମିଟି ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପକ୍ଷରୁ ଗଙ୍ଗପଡ଼ା ପଞ୍ଚାୟତର ମା’ ଭୁଆସୁଣୀ ପୀଠରେ ସୁରେଶ କୁମାର ରାଉତରାୟଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସୁରେଶ ତାଙ୍କ ଉତ୍ତରାଧିକାରୀ ଭାବେ ସାନ ପୁଅ ମନ୍ମଥ ରାଉତରାୟଙ୍କ ନାମ ଘୋଷଣା କରିଥିବା ବେଳେ ଆଜିଠାରୁ ସେ ମୋ’ ସ୍ଥାନରେ କାମ କରିବେ ଓ ସେ ଯେଉଁ ଦଳରୁ ଟିକେଟ ପାଇ ଲଢିବେ ମୁଁ ତାଙ୍କୁ ସମର୍ଥନ କରିବି ବୋଲି କହିଛନ୍ତି। ମୁଁ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ବୋଲି ସୁର ପ୍ରକାଶ କରିଛନ୍ତି। ଏହି ସମାବେଶରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତେବେ ନିର୍ବାଚନ ପୂର୍ବରୁ ଅନେକ ହଜାର କର୍ମୀଙ୍କୁ ଏକାଠି କରି ସେ ତାଙ୍କ ପୁଅ ପାଇଁ ନୂଆ ରଣନୀତି ଆରମ୍ଭ କରିଛନ୍ତି। ତାଙ୍କ ପୁଅକୁ ସମସ୍ତେ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ମନ୍ମଥ କେଉଁ ଦଳରୁ ଲଢ଼ିବେ ସେ ତାହା ପ୍ରକାଶ କରି ନ ଥିଲେ ମଧ୍ୟ ମୁଁ ଲୋକଙ୍କ ସହ ଅଛି ଏବଂ ସମୟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ସୁରେଶ କହିଛନ୍ତି। ତେବେ ସମାବେଶରେ ସବୁଜ ରଙ୍ଗର ଟେଣ୍ଟ ବନ୍ଧାଯାଇଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମାବେଶ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମ ପରି ମନେ ହେଉଥିଲା। ବିଜେଡି ସଭାକୁ ଯେମିତି ସବୁଜ ରଙ୍ଗର କପଡ଼ାରେ ସଜାଯାଏ ଠିକ୍ ସେହିପରି ସଭାସ୍ଥଳକୁ ସଜାଯାଇଥିଲା। ତେବେ ମନ୍ମଥ କହିଛନ୍ତି, ରଙ୍ଗ କୌଣସି ବ୍ୟକ୍ତି ବିଶେଷ ଅଥବା ଦଳର ନ ଥାଏ। ବିଜେଡି ଅଥବା ଅନ୍ୟ କେଉଁ ଦଳରୁ ସେ ଛିଡ଼ା ହେବେ ତାହା ସମୟ ଆସିଲେ କହିବେ କହି ସେ ଏ ସଂକ୍ରାନ୍ତ ପ୍ରଶ୍ନକୁ ଏଡାଇ ଯାଇଥିଲେ। ‘ଦୀର୍ଘବର୍ଷ ଧରି ମୋ’ ବାପା ରାଜନୀତିରେ ସକ୍ରିୟ ରହିଛନ୍ତି। ସମାଜ ପ୍ରତି ରହିଥିବା ତାଙ୍କ ସେବା ଓ ସମର୍ପଣ ସ୍ବରୂପ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ବୋଲି ମନ୍ମଥ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ପରେ ସୁରେଶ ସମ୍ବର୍ଦ୍ଧନା ଆଳରେ ପୁଅ ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
The post ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର appeared first on Dharitri Odia News.