ପୁଣି ଆସିଲାଣି ରଥାଯାତ୍ରା : ବଡ଼ଠାକୁର ପଡ଼ିଯିବା ଘଟଣାକୁ ଭୁଲିଗଲେ, କେବେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ

ପୁରୀ : ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର। ଚାରମାଳ ଉପରୁ ଖସି ଆସି ତଳ ଭାଗରେ ପଡ଼ିଯାଇଥିଲେ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବା ଏହି ସମ୍ବେଦନଶୀଳ ଘଟଣାକୁ କିନ୍ତୁ ହାଲକା ଭାବେ ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। କେଉଁ ପରିସ୍ଥିତିରେ ଏହା ଘଟିଲା, ଏଥିପାଇଁ ଦାୟୀ କିଏ; ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଏହାର ତଦନ୍ତ ଆଳରେ ସମୟ ଗଡ଼ାଯାଉଛି। ପରିଚାଳନା କମିଟି ବୈଠକରେ ତିନିଜଣିଆ କମିଟି […]

ପୁଣି ଆସିଲାଣି ରଥାଯାତ୍ରା : ବଡ଼ଠାକୁର ପଡ଼ିଯିବା ଘଟଣାକୁ ଭୁଲିଗଲେ, କେବେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ
Lord Balabhadra's Idol Falls On People During Puri Rath Yatra incident

ପୁରୀ : ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର। ଚାରମାଳ ଉପରୁ ଖସି ଆସି ତଳ ଭାଗରେ ପଡ଼ିଯାଇଥିଲେ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବା ଏହି ସମ୍ବେଦନଶୀଳ ଘଟଣାକୁ କିନ୍ତୁ ହାଲକା ଭାବେ ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। କେଉଁ ପରିସ୍ଥିତିରେ ଏହା ଘଟିଲା, ଏଥିପାଇଁ ଦାୟୀ କିଏ; ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଏହାର ତଦନ୍ତ ଆଳରେ ସମୟ ଗଡ଼ାଯାଉଛି। ପରିଚାଳନା କମିଟି ବୈଠକରେ ତିନିଜଣିଆ କମିଟି ଦାଖଲ କରିଥିବା ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କୁହାଗଲା। ପୁଣିଥରେ ସେହି କମିଟି ତଦନ୍ତ କରି ରିପୋର୍ଟ ଦେବାକୁ ସ୍ଥିର ହୋଇଥିଲା।

କିନ୍ତୁ ଇତିମଧ୍ୟରେ ୪ ମାସରୁ ଊର୍ଦ୍ଧ୍ବ ବିତିଗଲାଣି। ହେଲେ କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ କେବେ ଦେବ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ; ତାହା ଏବେ ପ୍ରଶ୍ନଘେରରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୪ ମାସରୁ ଊର୍ଦ୍ଧ୍ବ ହେଲାଣି, ପରିଚାଳନା କମିଟି ନାହିଁ। ନୂଆ କମିଟି କେବେ ଗଢ଼ାଯିବ ଏବଂ ବଡ଼ଠାକୁର ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ କମିଟି ବୈଠକରେ ଆଉ ଉପସ୍ଥାପନ ହେବ ନା ନାହିଁ; ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ବଡ଼ଠାକୁର ପଡ଼ିଯିବା ଘଟଣାର ତଦନ୍ତ ୩ ଜଣିଆ କମିଟିକୁ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆରମ୍ଭରୁ ଢିଲା ମାରିଥିଲା। ନୀଳାଦ୍ରିବିଜେର ୧୦ଦିନ ମଧ୍ୟରେ ତିନିଜଣିଆ କମିଟି ତଦନ୍ତ କରି ଏହାର ରିପୋର୍ଟ ଦେବେ ବୋଲି ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। କିନ୍ତୁ ଅବଧି ସରିଥିଲା ସିନା ତଦନ୍ତ ଆରମ୍ଭ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଥିଲା କମିଟି। ତରବରିଆ ଭାବେ ତଦନ୍ତ କରି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିଥିଲା। ଗତବର୍ଷ ଅଗଷ୍ଟ ୩୦ ତାରିଖରେ ଏହି ରିପୋର୍ଟ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନ ଥିଲା କମିଟି।

ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଥିଲେ, ପହଣ୍ଡି ଅଘଟଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହାର ଯେପରି ପୁନରାବୃତ୍ତି ନ ହୁଏ, କମିଟି ବିଶେଷ ଭାବେ ଗୁରୁତ୍ୱାରୋପ କରିଛି। ୩ଜଣିଆ କମିଟି ତାଙ୍କ ରିପୋର୍ଟରେ ନିର୍ଦ୍ଦିଷ୍ଟ ଭାବେ କେତେକ କାରଣ ଉଲ୍ଲେଖ କରିଛନ୍ତି। ହେଲେ ପରିଚାଳନା କମିଟି ଏହି ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିବା ସହ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲା ନାହିଁ। ନିର୍ଦ୍ଦିଷ୍ଟ ଭାବେ କାହାର ଏଥିରେ ଭୁଲ୍ ରହିଛି ଏବଂ କେଉଁମାନେ ଦାୟୀ, ଆଉଥରେ ଏହାର ତର୍ଜମା କରି ପଏଣ୍ଟ ୱାଇଜ୍ ଦେବା ପାଇଁ ପରାମର୍ଶ ଦିଆଯାଇଛି।

ଇତିମଧ୍ୟରେ ୪ ମାସରୁ ଅଧିକ ସମୟ ବିତିଲାଣି। ତିନି କମିଟି ପ୍ରସ୍ତୁତ କରିଥିବା ଅସମ୍ପୂର୍ଣ୍ଣ ରିପୋର୍ଟ ଏବେ ସମ୍ପୂର୍ଣ୍ଣ ହେଲାଣି ନା ନାହିଁ, ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ। ପୂର୍ବ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂୂଚନା ଦିଆଯାଇଥିଲା। ଯେଉଁ ରିପୋର୍ଟ ମାତ୍ର ୧୫ଦିନ ଭିତରେ ତଦନ୍ତ କରାଯାଇ ପ୍ରସ୍ତୁତ ହୋଇଥିଲା। ତେଣୁ ସମ୍ପୃକ୍ତ କମିଟିକୁ ଆଉଥରେ ତଦନ୍ତ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବାକୁ ଇତିମଧ୍ୟରେ ୪ ମାସରୁ ଅଧିକ ବିତିଗଲାଣି। ହେଲେ କ’ଣ ତଦନ୍ତ ହେଲା, ରିପୋର୍ଟ କାହାକୁ ଦିଆଗଲା, କେବେ ପରିଚାଳନା କମିଟି ଗଠନ ହୋଇ ଏଥିରେ ରିପୋର୍ଟ ଉପସ୍ଥାପନ କରାଯିବ; ଏସବୁକୁ ନେଇ ଏବେ ଦ୍ୱନ୍ଦ୍ୱରେ ଭକ୍ତ।

ସୂଚନାଥାଉ କି, ନବଦିନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ ଚତୁର୍ଦ୍ଧା ବିଗ୍ରହ। ଗତ ଜୁଲାଇ ୯ତାରିଖ ସନ୍ଧ୍ୟାରେ ଥିଲା ଆଡ଼ପମଣ୍ଡପ ବିଜେ। ଏଥିପାଇଁ ଚାଲିଥିଲା ପହଣ୍ଡି। ମଦନମୋହନ, ରାମକୃଷ୍ଣଙ୍କ ପରେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ସରିଥିଲା। ଏହାପରେ ଆରମ୍ଭ ହୋଇଥିଲା ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି। ବନ୍ଦାପନା ଏବଂ ଟାହିଆ ଲାଗି ପରେ ପହଣ୍ଡି ପ୍ରସ୍ତୁତି ଚାଲିଥିଲା। ହେଲେ ହଠାତ୍ ଚାରମାଳ ଉପରୁ ଖସି ଯାଇଥିଲେ ବଡ଼ଠାକୁର। ସିଧା ଚାରମାଳ ତଳ ଭାଗରେ ହାମୁଡେଇ ପଡ଼ିଥିଲେ।