ପୁଣି ଉବୁଟୁବୁ ଦୁବାଇ, ସ୍କୁଲ-କଲେଜ ବନ୍ଦ, ବିମାନ ଉଡାଣ ବାତିଲ
ଅଫିସ ଆସୁଥିବା କର୍ମଚାରୀଙ୍କ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଟରସିଟି ବସ୍ ସେବାକୁ ବନ୍ଦ କରିଦିଆଯାଇଛି।
ପୁଣି ଉବୁଟୁବୁ ହେଲା ଦୁବାଇ। ସଂଯୁକ୍ତ ଆରବ ଏମିରେଟ୍ରେ ପୁଣି ପ୍ରବଳ ବର୍ଷା ସାଙ୍ଗକୁ ହେଲା ଭୟଙ୍କର ଝଡ ତୋଫାନ୍। ବର୍ଷା ଯୋଗୁ ପୁଣି ଥରେ ରାସ୍ତାଘାଟ ପଣି ଜମିଛି। ପ୍ରବଳ ବର୍ଷା ଯୋଗୁ ୟୁଏଇରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିସହ ଅନେକ ବିମାନ ଉଡାଣ ବାତିଲ କରାଯାଇଛି।
ରିପୋର୍ଟ ମୁତାବକ, ଏପ୍ରିଲ ମାସରେ ବନ୍ୟା ପରେ ଆଜି ଭୋରୁ ସଂଯୁକ୍ତ ଆରବ ଏମିରେଟ୍ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଓ ପବନ ବହିଛି। ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୁରକ୍ଷାଦୃଷ୍ଟିରୁ ସ୍କୁଲ କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଅଫିସ ଆସୁଥିବା କର୍ମଚାରୀଙ୍କ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଟରସିଟି ବସ୍ ସେବାକୁ ବନ୍ଦ କରି ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁବାଇରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବା ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ପାର୍କ ଓ ସମୁଦ୍ରକୂଳକୁ ବନ୍ଦ କରିଦିଆଯାଇଛି। ଅନେକ ବିମାନ ଉଡାଣ ବାତିଲ କରାଯିବା ସହ କିଛି ବିମାନ ଗତିକୁ ବଦଳାଇ ଦିଆଯାଇଛି।
ସ୍ଥାନୀୟ ରିପୋର୍ଟର ସୂଚନା ମୁତାବକ, ଅବୁଧାବିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟରେ ପାଣି ଜମିଯାଇଛି। ସେହିପରି ଜେବେଲ ଅଲି, ଅଲ ମକତୁମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଦୁବାଇ ଇଣ୍ଡଷ୍ଟ୍ରିଆଲ୍ ସିଟି, ଦୁବାଇ ଇନ୍ଭେଷ୍ଟମେଣ୍ଟ ପାର୍କ ଓ ଜୁମେରା ଭିଲେଜ ଟ୍ରାଏଙ୍ଗଲରେ ଘଡଘଡି ସହ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଜାରି ରହିଛି। ତେଣୁ ଲୋତଙ୍କୁ ସତର୍କ ରହିବାକୁ ଚେତାବନୀ ଜାରି କରାଯାଇଛି।