ପୁଣି ଏଡାଗଲା ବଡ଼ ଟ୍ରେନ ଅଘଟଣ; ରେଳ ଧାରଣାରୁ ମିଳିଲା ଗ୍ୟାସ ସିଲିଣ୍ଡର
ଉତ୍ତରପ୍ରଦେଶର ପ୍ରେମପୁର ରେଳଷ୍ଟସନ ନିକଟ ଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ। ଏହା ଦେଖିବା ପରେ ଟ୍ରେନ ଅଟକାଇଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍।
ଉତ୍ତରପ୍ରଦେଶରେ ପୁଣି ଏଡାଗଲା ଟ୍ରେନ ଅଘଟଣ। ପ୍ରେମପୁର ରେଳଷ୍ଟସନ ନିକଟ ଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ। ଏହା ଦେଖିବା ପରେ ଟ୍ରେନ ଅଟକାଇଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍। ଟ୍ରେନଟି ଷ୍ଟେସନରୁ ଛାଡ଼ିବା ବେଳେ ଲୋକୋ ପାଇଲଟ୍ ଟ୍ରାକରେ ଏଲପିଜି ଗ୍ୟାସ ସିଲିଣ୍ଡର ଦେଖି ଏମରଜେନ୍ସି ବ୍ରେକ୍ ଲଗାଇଥିଲେ।
ସୁରକ୍ଷାକର୍ମୀ ଖବର ପାଇବା ପରେ ଟ୍ରାକ୍ ଉପରୁ ଗ୍ୟାସ ସିଲିଣ୍ଡରକୁ ହଟାଇବା ସହ ଟ୍ରାକର ଅନ୍ୟ ସ୍ଥାନରେ ଯାଞ୍ଚ କରିଛନ୍ତି। ଟ୍ରେନଟି କାନପୁରରୁ ପ୍ରୟାଗରାଜ ଅଭିମୂଖେ ଯାଉଥିଲା। ଭୋର ୫ଟା ୫୦ ସମୟରେ ଏହି ଘଟଣା ଘଟିଛି।
ଗ୍ୟାସ ସିଲିଣ୍ଡର ବ୍ୟତୀତ ସେହି ଟ୍ରାକ ସାଇଡରୁ କିଛି ବିୟର କେନ ଓ ୱାୟର ଜବତ କରି ଖୋଳତାଡ କରୁଛି ଜିଆରପି। ଘଟଣାକୁ ଗୁରୁତର ସହ ନେଇଛି ଉତ୍ତର ମଧ୍ୟ ରେଳବାଇ ଡିଭିଜନ। ଘଟଣାର ତନ୍ନ ତନ୍ନ କରି ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦେଇଛି ରେଳ ବିଭାଗ।
ଏହା ପୂର୍ବରୁ ଗତ ଅଗଷ୍ଟ ୧୭ ତାରିଖରେ କାନପୁର ନିକଟରେ ବାରଣାସୀ-ସାବରମତି ଏକ୍ସପ୍ରେସ ଟ୍ରେନର ଇଞ୍ଜିନ କୌଣସି ବସ୍ତୁ ସହ ଧକ୍କା ହେବାରୁ ଏହାର ୨୨ କୋଚ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ ଯାତ୍ରୀଙ୍କ କିଛି କ୍ଷତି ହୋଇନଥିଲା । କାନପୁର ଅଞ୍ଚଳରେ ବାରମ୍ବାର ଏବଲି ଟ୍ରେନ ଅଘଟଣ ଏଡାଯାଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।