ପୁଣି ଦିଲ୍ଲୀ ଅଭିମୁଖେ କୃଷକ, ଏକାଧିକ ସ୍ଥାନରେ ଲାଗିଲା ଧାରା ୧୪୪

କିଛି ଦିନର ବିରତି ପରେ ପୁଣି 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି କୃଷକ।

ପୁଣି ଦିଲ୍ଲୀ ଅଭିମୁଖେ କୃଷକ, ଏକାଧିକ ସ୍ଥାନରେ ଲାଗିଲା ଧାରା ୧୪୪

କିଛି ଦିନର ବିରତି ପରେ ପୁଣି 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି କୃଷକ। ଆଜି ହଜାର ହଜାର କୃଷକ ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟିକ୍ରି, ସିଂଘୁ ଏବଂ ଗାଜିପୁର ସୀମା, ରେଲୱେ ଏବଂ ମେଟ୍ରୋ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି।

ମାର୍ଚ୍ଚ ୩ରେ, କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ - କିସାନ ମଜଦୁର ମୋର୍ଚ୍ଚା ଏବଂ ୟୁନାଇଟେଡ କିସାନ ମୋର୍ଚ୍ଚା 6ରେ ଦେଶର ବିଭିନ୍ନ କୃଷକଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ଆହ୍ୱାନ କରିଥିଲେ। ଆନ୍ଦୋଳନକାରୀମାନେ ବସ୍, ଟ୍ରେନ୍ ଏବଂ ମେଟ୍ରୋ ଯୋଗେ ଦିଲ୍ଲୀରେ ପହଞ୍ଚିବାକୁ ଯୋଜନା କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ସିଂଘୁ ଏବଂ ଟିକ୍ରି ସୀମାରେ ପୁଲିସ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ ଜାରି ରହିଛି। ଦିଲ୍ଲୀର ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ରେଲୱେ, ମେଟ୍ରୋ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରେ ଅତିରିକ୍ତ ପୁଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ ରହିଛନ୍ତି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ରାଜଧାନୀ ମଧ୍ୟରେ କୌଣସି ସଂଗଠନକୁ ସଭା କିମ୍ବା ବିକ୍ଷୋଭ ପାଇଁ ଅନୁମତି ଦିଆଯାଇ ନାହିଁ, ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

କୃଷକମାନେ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫେବୃଆରୀ ୧୩ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ନିକଟରେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ପରେ କିଛି ଦିନ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ଆଜିର ଦିଲ୍ଲୀ ଚଲୋ ଡାକରା ସମେତ କୃଷକମାନେ ଆସନ୍ତା ୧୦ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ପାଇଁ ଆହ୍ୱାନ କରିଛନ୍ତି।