ପୁଣି ବ୍ରୋଞ୍ଜ ପାଇଁ ଖେଳିବେ ମନୁ ଭାକର, ସାଙ୍ଗରେ ଅଛନ୍ତି ସରବଜୋତ

ଆସନ୍ତାକାଲି ଦିନ ୧ଟାରେ ଦକ୍ଷିଣ କୋରିଆର ଓ ୟେ ଜିନ ଓ ଲି ୱନହୋଙ୍କ ସହ ଭାରତର ମନୁ-ସରବଜୋତ ସିଂହ ବ୍ରୋଞ୍ଜ ପାଇଁ ଲଢ଼େଇ କରିବେ।

ପୁଣି ବ୍ରୋଞ୍ଜ ପାଇଁ ଖେଳିବେ ମନୁ ଭାକର, ସାଙ୍ଗରେ ଅଛନ୍ତି ସରବଜୋତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ଯୁବ ଶୁଟର ମନୁ ଭାକର ପୁଣିଥରେ ଆଉ ଏକ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ। ରବିବାର ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲେ।

ଏହାପରେ ଆଜି ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାଗ ନେଇଥିଲେ। ତାଙ୍କ ସହ ଏହି ଇଭେଣ୍ଟରେ ଭାରତର ସରବଜୋତ ସିଂହ ମଧ୍ୟ ରହିଛନ୍ତି। ମନୁ ଓ ସରବଜୋତଙ୍କ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଲଢ଼େଇରେ ତୃତୀୟ ସ୍ଥାନରେ ରହିଛନ୍ତି।

ଉଭୟ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ଯଦି ସେମାନେ ଦ୍ୱିତୀୟ ସ୍ଥାନରେ ରହିଥାଆନ୍ତେ, ତା’ହେଲେ ସିଧାସଳଖ ସ୍ୱର୍ଣ୍ଣ ପଦକ ପାଇଁ ଖେଳି ଥାଆନ୍ତେ। କିନ୍ତୁ ଉଭୟ ତୃତୀୟ ସ୍ଥାନରେ ରହିବାରୁ ଏବେ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ବାଦ ପଡ଼ିଛନ୍ତି।

ଆସନ୍ତାକାଲି ଦିନ ୧ଟାରେ ଦକ୍ଷିଣ କୋରିଆର ଓ ୟେ ଜିନ ଓ ଲି ୱନହୋଙ୍କ ସହ ଭାରତର ମନୁ-ସରବଜୋତ ସିଂହ ବ୍ରୋଞ୍ଜ ପାଇଁ ଲଢ଼େଇ କରିବେ।

ଅନ୍ୟପକ୍ଷରେ ମିକ୍ସଡ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଭାରତର ଅର୍ଜୁନ ସିଂହ ଚୀମା ଓ ରିଦମ ସାଙ୍ଗୱାନ ରହିଥିଲେ। କିନ୍ତୁ ଉଭୟ ୫୭୬ ପଏଣ୍ଟ ସହ ୧୦ମ ସ୍ଥାନରେ ରହିବାରୁ ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି।