ପୁରୀ ରଥଟଣା ବେଳେ ଅଘଟଣ; ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ

ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି।

ପୁରୀ ରଥଟଣା ବେଳେ ଅଘଟଣ; ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ

ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଯେଉଁ ଭିଡ଼ରେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସୂଚନା ମୁତାବାକ ରଥଟଣା ବେଳେ ବଡ଼ଦାଣ୍ଡରେ ଠେଲାପେଲା ସ୍ଥିତି ଉପୁଜିଥିଲା। ୮ରୁ ୧୦ ଶ୍ରଦ୍ଧାଳୁ ଏହି ଠେଲାପେଲାରେ ଆହତ ହୋଇଥିଲେ। ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା। ଆହତ ଶ୍ରଦ୍ଧାଳୁ ନିକଟସ୍ଥ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଜଣେ ପୁରୁଷ ଶ୍ରଦ୍ଧାଳୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି। ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି। ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି।

ତାଳଧ୍ବଜ ଗଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଆଗକୁ ଗଡ଼ିଛି। ଶେଷରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ରଥ ‘ନନ୍ଦିଘୋଷ’କୁ ଶରଧାବାଲି ଅଭିମୁଖେ ଟଣାଯିବ। ଆବେଗ ଭରା ଭକ୍ତପ୍ରାଣ। ଲୁହ ଛଳ ଛଳ ଆଖି। ଭାବର ଠାକୁର ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ। ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ। ତେବେ ପ୍ରବଳ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସେହିପରି ଗତ ରାତିରୁ ଲାଗୁ ହୋଇଛି ଟ୍ରାଫିକ୍ କଟକଣା। ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ। AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି।