ପୁରୀ ଶରଧାବାଲିରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ; ବଦଳିଲେ ଜିଲ୍ଲାପାଳ ଓ ଏସ୍ପି
ପୁରୀ ଅଘଟଣ ନେଇ ଶୋକ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବହେଳା ଅକ୍ଷମଣୀୟ କହିଲେ ମୁଖ୍ୟମନ୍ତ୍ରୀ
ପୁରୀ ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟଣାରେ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ବିନିତ ଅଗ୍ରୱାଲଙ୍କୁ ବଦଳି କରିଦିଆଯାଇଛି। ସେମାନଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ପିନାକ ମିଶ୍ରଙ୍କୁ ଯଥାକ୍ରମେ ଜିଲ୍ଲାପାଳ ଏବଂ ଏସ୍ପି ଭାବେ ନିଯୁକ୍ତି କରାଯାଇଛି। ସେହିପରି ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ଏହା ସହିତ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।
ପୁରୀରେ ଏହି ବଡ଼ ଅଘଟଣ ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ ସହିତ ଆଇନ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରିବା ସହିତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ତଥା ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।
ବରିଷ୍ଠ ଆଇଏଏସ୍ ତଥା ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରାର ସୁପରଭିଜନ ଦାୟିତ୍ୱ ଦେଇଛନ୍ତି ସରକାର। ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥଯାତ୍ରା ସୁପରଭିଜନ ଦାୟିତ୍ୱ ସେ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ପୁରୀ ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଦାୟିତ୍ୱ ଦିଆଯାଇଛି।
ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ୬ ଜଣ ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କର ଚିକିତ୍ସା କରାଯାଉଛି। ମୃତକମାନେ ହେଉଛନ୍ତି, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ପ୍ରଭାତୀ ଦାସ (୫୨), ଖୋର୍ଦ୍ଧା ଜିଲ୍ଲା ଗୋଡ଼ଭଙ୍ଗାର ବାସନ୍ତୀ ସାହୁ (୪୨) ଓ ଭୁବନେଶ୍ୱର ନୟାପଲ୍ଲୀର ପ୍ରେମକାନ୍ତ ମହାନ୍ତି (୭୮)।
ପ୍ରତ୍ୟେକ୍ଷଦର୍ଶୀଙ୍କ ଅଭିଯୋଗ ମୁତାବକ, ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଭିଡ଼ ଥିଲା। ଏତିକିବେଳେ ଭିଡ଼ ଭିତରେ ପଶିଥିଲା ଚାରମାଳ ବୋଝେଇ ଟ୍ରକ। ଯାହାକୁ ନେଇ ଠେଲାପେଲା ଆରମ୍ଭ ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ କେହି ପୋଲିସ ନଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସେଠାରେ ପ୍ରଶାସନିକ ଅଧିକାରୀ ବି ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଶ୍ରଦ୍ଧାଳୁ ବସିବା ପାଇଁ ଯେଉଁ ପଲିଥିନ ବ୍ୟବହାର କରିଥିଲେ, ତାହା କାଳ ହେଲା ବୋଲି କହିଛନ୍ତି ଆଉ କିଛି ପ୍ରତ୍ୟକ୍ଷଦର୍ଶୀ। ଝିପି ଝିପି ବର୍ଷା ହେବାରୁ ପଲିଥିନରେ ଗୋଡ଼ ଖସିଗଲା। ଜଣଙ୍କ ପରେ ଜଣେ କଚାଡ଼ି ହୋଇ ପଡ଼ିବାରୁ ଅଘଟଣ ଘଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।
ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏହି ଘଟଣା ପାଇଁ ଶୋକ ପ୍ରକାଶ କରିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ମୁଁ ଏବଂ ମୋ ସରକାର ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ସେ ଆହୁରି କହିଥିଲେ, ଏହି ଅବହେଳା ଅକ୍ଷମଣୀୟ। ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ କୌଣସି ନା କୌଣସି ଠାରେ ଅବହେଳା ହୋଇଛି। ଅବହେଳା ଯିଏ କରିଛନ୍ତି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ।
ପ୍ରଶାସନ ସଂପୂର୍ଣ୍ଣ ଦାୟୀ
ମୃତ ୩ ଭକ୍ତଙ୍କ ପରିବାର ଲୋକଙ୍କୁ ‘ଏକ୍ସ’ ଜରିଆରେ ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆହତଙ୍କର ଆରୋଗ୍ୟ କାମନା କରିଛନ୍ତି। ତା’ ସହିତ ଏହି ଘଟଣା ପାଇଁ ସରକାର ସମାଲୋଚନା କରିଛନ୍ତି ନବୀନ। ସେ କହିଛନ୍ତି, ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିଲା। ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ। ବାହାନା କରିବା ଆଶ୍ଚର୍ଯ୍ୟଜନକ। ଏଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ। ଆଡ଼ପ ବିଜେ, ବାହୁଡା ଓ ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନିଅନ୍ତୁ।
ଉପଯୁକ୍ତ ପଦକ୍ଷେପ ନେବାକୁ ଗଜପତି ମହାରାଜାଙ୍କ ନିବେଦନ
ଏହି ଘଟଣାକୁ ନେଇ ପୁରୀ ଗଜପତି ମହାରାଜ ମର୍ମାହତ ହୋଇଛନ୍ତି। ସେ ସ୍ୱର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଓ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ଗଜପତି ମହାରାଜା ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ତୁରନ୍ତ ଏହାର ବ୍ୟାପକ ତଦନ୍ତ କରିବାକୁ ଏବଂ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
ପ୍ରିୟଦର୍ଶୀଙ୍କୁ ପୁଲିସ୍ ପରିଚାଳନା ଦାୟିତ୍ୱ
ରଥଯାତ୍ରା ପାଇଁ ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମୋଟାମୋଟି ପୁଲିସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଶରଧାବାଲି ଦଳାଚକଟା ଘଟଣା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ବି ଘଟିଥିଲା ଅଘଟଣ
କେବଳ ଆଜିର ଅଘଟଣ ନୁହେଁ, ପୁରୀରେ ରଥଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣୀରେ ପୂର୍ବରୁ ବି ଘଟିଛି ଅନେକ ବଡ଼ ଅଘଟଣ। ୨୦୦୬ କାର୍ତ୍ତିକ ପୂର୍ଣ୍ଣିମାରେ ୩ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ମହାପ୍ରଭୁଙ୍କର ଆଳତି ପାଇଁ ଦ୍ୱାର ଖୋଲିବା ପରେ ପ୍ରବଳ ଭିଡ଼ ଯୋଗୁ ଠେଲାପେଲା ହୋଇଥିଲା। ୨୦୦୮ ରଥଯାତ୍ରା ପହଣ୍ଡି ବେଳେ ସିଂହଦ୍ୱାର ନିକଟରେ ହୋଇଥିଲା ଭୟଙ୍କର ଦଳାଚକଟା। ଏଥିରେ ୬ ଜଣ ପ୍ରାଣ ହରାଇଥିଲେ। ୨୦୧୨ ବି ରଥଯାତ୍ରାରେ ବି ସୃଷ୍ଟି ହୋଇଥିଲା ଠେଲାପେଲା ସ୍ଥିତି । ବଡ଼ଦାଣ୍ଡରେ ରଥ ଟାଣିବା ବେଳେ ଜଣେ ମହିଳା ଭକ୍ତଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ ନବକଳେବର ରଥଯାତ୍ରା ବେଳେ ବି ପ୍ରାଣ ହରାଇଥିଲେ ୨ ଜଣ ଶ୍ରଦ୍ଧାଳୁ।