ପୁରୁଷସିଂହ ଏମ୍‌‌ କେ ଗାନ୍ଧୀ

୧୯୧୬ ମସିହା। ପରାଧୀନ ଭାରତରେ ଏକ ନୂଆ ଜାତୀୟ ନବଜାଗରଣର ସୂତ୍ରପାତ ହୋଇସାରିଥିଲା। ଭାରତୀୟମାନେ ଶୃଙ୍ଖଳ-ରହିତ ଏକ ସ୍ୱାଧୀନ ଜୀବନ ଏବଂ ସ୍ୱାଧୀନ ଦେଶର ମହନୀୟ ସୁଗନ୍ଧକୁ ଆଘ୍ରାଣ କରିବା ଆରମ୍ଭ କରିସାରିଥିଲେ। ସେହି ନୂଆ ଜାତୀୟ ନବଜାଗରଣର ପୃଷ୍ଠଭୂମିର ଏକମାତ୍ର କେନ୍ଦ୍ରବିନ୍ଦୁ ଥିଲେ ଦକ୍ଷିଣ ଆଫ୍ରିକାରୁ ସଦ୍ୟ ଭାରତ ଫେରିଥିବା ବାରିଷ୍ଟର ଗାନ୍ଧୀ। ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ ୧୮୯୭ ମସିହାରେ ଜଣେ ଯୁବ ବାରିଷ୍ଟର ମୋହନଦାସ କରମଚାନ୍ଦ ଗାନ୍ଧୀ ଭାବରେ ଏବଂ ସେଠାରୁ ଫେରିଥିଲେ ୧୯୧୫ […]

ପୁରୁଷସିଂହ ଏମ୍‌‌ କେ ଗାନ୍ଧୀ
sakala article

୧୯୧୬ ମସିହା। ପରାଧୀନ ଭାରତରେ ଏକ ନୂଆ ଜାତୀୟ ନବଜାଗରଣର ସୂତ୍ରପାତ ହୋଇସାରିଥିଲା। ଭାରତୀୟମାନେ ଶୃଙ୍ଖଳ-ରହିତ ଏକ ସ୍ୱାଧୀନ ଜୀବନ ଏବଂ ସ୍ୱାଧୀନ ଦେଶର ମହନୀୟ ସୁଗନ୍ଧକୁ ଆଘ୍ରାଣ କରିବା ଆରମ୍ଭ କରିସାରିଥିଲେ। ସେହି ନୂଆ ଜାତୀୟ ନବଜାଗରଣର ପୃଷ୍ଠଭୂମିର ଏକମାତ୍ର କେନ୍ଦ୍ରବିନ୍ଦୁ ଥିଲେ ଦକ୍ଷିଣ ଆଫ୍ରିକାରୁ ସଦ୍ୟ ଭାରତ ଫେରିଥିବା ବାରିଷ୍ଟର ଗାନ୍ଧୀ। ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ ୧୮୯୭ ମସିହାରେ ଜଣେ ଯୁବ ବାରିଷ୍ଟର ମୋହନଦାସ କରମଚାନ୍ଦ ଗାନ୍ଧୀ ଭାବରେ ଏବଂ ସେଠାରୁ ଫେରିଥିଲେ ୧୯୧୫ ଜାନୁଆରୀ ମାସରେ ମହାତ୍ମା ଗାନ୍ଧୀ ଭାବରେ। ଭାରତୀୟ ଜନଜୀବନରେ ଗାନ୍ଧିଜୀ ହୋଇସାରିଥିଲେ ମହାତ୍ମା ଓ ତ୍ରାଣକର୍ତ୍ତା। ପ୍ରସିଦ୍ଧ ଲେଖକ ତଥା ଚିନ୍ତାଶୀଳ ବୁଦ୍ଧିଜୀବୀ ରାମଚନ୍ଦ୍ର ଗୁହା ‘ଗାନ୍ଧୀ ବିଫୋର ଇଣ୍ଡିଆ’ରେ ଲେଖିଛନ୍ତି- ୧୯୦୯ରେ ପ୍ରାଣଜୀବନ ମେହଟା ଗୋପାଳ କୃଷ୍ଣ ଗୋଖଲେଙ୍କୁ ଏକ ଚିଠି ଲେଖିଥିଲେ, ଯହିଁରେ ସେ ଗାନ୍ଧୀଙ୍କୁ ‘ମହାତ୍ମା’ ଶବ୍ଦରେ ଭୂଷିତ କରିଥିଲେ।

ଗାନ୍ଧିଜୀ ଭାରତ ଫେରିବା ପରେ ଯେଉଁ ଏକ ନୂଆ ଜାତୀୟ ନବଜାଗରଣ ଦେଖାଦେଇଥିଲା, ତା’ର ପୃଷ୍ଠଭୂମିରେ ଥିଲେ କିଛି କୃତବିଦ୍ୟ ସମ୍ପାଦକ ଏବଂ ସେମାନଙ୍କ ସମ୍ବାଦପତ୍ର ଅଥବା ପତ୍ରିକା। ସେ ମଧ୍ୟରୁ ଅନ୍ୟତମ ଥିଲା ତତ୍କାଳୀନ କଟକ ସହରରେ ସ୍ଥାପିତ ‘ଉତ୍କଳ ସାହିତ୍ୟ ପ୍ରେସ୍‌‌’ରୁ ଆତ୍ମପ୍ରକାଶ କରୁଥିବା ‘ଉତ୍କଳ ସାହିତ୍ୟ’ ପତ୍ରିକା। ‘ଉତ୍କଳ-ସାହିତ୍ୟ’କୁ ନିଜର ନିଖୁଣ ସମ୍ପାଦନା ଦ୍ୱାରା ସର୍ବାଙ୍ଗ ସୁନ୍ଦର କରି ପ୍ରକାଶନ କରୁଥିଲେ ବାଗ୍ମୀ ବିଶ୍ୱନାଥ କର। ଜାତୀୟତାବୋଧ ଓ ଦେଶପ୍ରୀତି ଜାଗ୍ରତ କରିବାରେ ମଧ୍ୟ ‘ଉତ୍କଳ-ସାହିତ୍ୟ’ ଅଗ୍ରଣୀ ଭୂମିକା ନିର୍ବାହ କରୁଥିଲା।

୧୯୧୬ ମସିହାର ୧୯ଶ ୧ମ ସଂଖ୍ୟାରେ ‘ଉତ୍କଳ-ସାହିତ୍ୟ’ ପ୍ରକାଶିତ କରିଥିଲା ଗୋଟିଏ ସମ୍ପୂର୍ଣ୍ଣ ପୃଷ୍ଠାରେ ମହାତ୍ମା ଗାନ୍ଧୀଙ୍କ ଏକ ଫଟୋ ସମ୍ବଳିତ ଲେଖା। କଳା-ଧଳା ରଙ୍ଗର ସେହି ଆଲୋକଚିତ୍ର ତଳେ ଲେଖାହୋଇଥିଲା ‘ପୁରୁଷସିଂହ ମୋହନଚାନ୍ଦ କରମଚାନ୍ଦ ଗାନ୍ଧୀ’। ଆଲେଖ୍ୟର ଶୀର୍ଷକ ଥିଲା ‘ପୁରୁଷ ସିଂହ ଗାନ୍ଧୀ’। ସେହି ଆଲେଖ୍ୟରେ ଲେଖା ଥିଲା – ‘ମହାତ୍ମା ମୋହନଚାନ୍ଦ କରମଚାନ୍ଦ ଗାନ୍ଧୀ ଏହି ଶ୍ରେଣୀର ମାନବ ବା ନର ଦେବତା। ତ୍ୟାଗର ମହୋଜ୍ଜ୍ୱଳ ମହିମାରେ ସ୍ୱୟଂ ଗୌରବମୟ ଆସନରେ ଅଧିଷ୍ଠିତ ହୋଇ ସେ ଆଜି ସ୍ୱଦେଶକୁ ସ୍ୱଜାତିକୁ ଗୌରବାନ୍ୱିତ କରିଅଛନ୍ତି’। ସେହି ଫଟୋରେ ଗାନ୍ଧିଜୀ ଗୋଟିଏ ‘ଗଳାବନ୍ଦ’ କୋଟ ପିନ୍ଧିଥିବାର ଦେଖାଯା’ନ୍ତି। କୋଟ ତଳେ ଧଳାରଙ୍ଗର ସାର୍ଟ ଏବଂ ଏକ ଟାଏ ଏବଂ ମୁଣ୍ଡରେ ଟୋପି। ପତଳା ଶରୀର ଧାରୀ ଗାନ୍ଧିଜୀଙ୍କ ଆଖି ଦୁଇଟି ଅନେକ ଭାବକୁ କହୁଥିଲା, ପୁଣି ତୀକ୍ଷ୍ଣ ନାକ ତଳେ ହଳେ ନିଶ। ୧୯୧୬ ବେଳକୁ ପରାଧୀନ ଭାରତରେ ଇଂରେଜ ଶାସନର ଭୟ ଖୁବ୍‌‌ ବେଶୀ ଥିଲା। ତଥାପି ସେହି ଭୟର ବିଷାକ୍ତ ବଳୟକୁ ଭ୍ରୂକ୍ଷେପ ନ କରି ‘ଉତ୍କଳ-ସାହିତ୍ୟ’ ଏବଂ ତା’ର ସୁଯୋଗ୍ୟ ସମ୍ପାଦକ ବାଗ୍ମୀ ବିଶ୍ୱନାଥ କର ଅବଦମିତ ସାହସର ଏକ ବଳିଷ୍ଠ ପରିଚୟ ଦେଇଥିଲେ। ପୁଣି ଇତିହାସ ଦୃଷ୍ଟିରୁ ଗାନ୍ଧିଜୀଙ୍କୁ ଓଡ଼ିଶା ସହ ପରିଚିତ କରେଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ‘ଉତ୍କଳ-ସାହିତ୍ୟ’।

‘ଉତ୍କଳ-ସାହିତ୍ୟ’ର ଚମତ୍କାର ଭାଷାରେ, ‘ଆଫ୍ରିକା ପ୍ରବାସୀ ଭାରତୀୟ ଶ୍ରମଜୀବୀମାନଙ୍କ ଦୁରବସ୍ଥା କଥା, ଲାଞ୍ଛନା କଥା, ସେମାନଙ୍କ ଅନୁଷ୍ଠିତ ନିଷ୍କ୍ରିୟ ପ୍ରତିରୋଧ (ପେସିଭ୍‌‌ ରେଜିଷ୍ଟେନସ) କଥା ପାଠକସାଧାରଣଙ୍କୁ ଅବିଦିତ ନ ଥିବ। ସହସ୍ର ସହସ୍ର ଲାଞ୍ଛିତ ଭାରତୀୟ ନରନାରୀ ଦକ୍ଷିଣ ଆଫ୍ରିକାରେ ଆତ୍ମପ୍ରତିଷ୍ଠା ପାଇଁ ଯେଉଁ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଅଛନ୍ତି, ତହିଁରେ ଜଗତ ସ୍ତମ୍ଭିତ ହୋଇଅଛି। ତାହାର ମୂଳରେ ମହାତ୍ମା ଗାନ୍ଧୀଙ୍କ ଅପୂର୍ବ ଆତ୍ମତ୍ୟାଗ ଓ ଦୃଢ଼ତା ମହାପ୍ରେରଣା ରୂପେ ବିଦ୍ୟମାନ…।’ … ‘ଧନୀ ଗୃହରେ ଜନ୍ମ ଲଭି ଧନ, ମାନ, ଭୋଗ, ବିଳାସ ସମସ୍ତର ସର୍ବପ୍ରକାର ସୁଯୋଗ ପାଇ ସେ ଅକାତରେ ସ୍ୱଚ୍ଛନ୍ଦମନରେ ଉପେକ୍ଷିତ, ଲାଞ୍ଛିତ। ଉତ୍ପୀଡ଼ିତ ଦେଶବାସୀଙ୍କ ଉଦ୍ଧାର ପାଇଁ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ସର୍ବସ୍ୱ ଉତ୍ସର୍ଗ କରି ଦେଲେ, ସର୍ବପ୍ରକାର ଅପମାନ ଓ ନିର୍ଯାତନାକୁ ଜୀବନର ଭୂଷଣ ରୂପେ ବରଣ କରିନେଲେ…।’…‘ଦୀନ ଦୁଃଖିମାନଙ୍କ ସହିତ ସମସ୍ତେ ଏକା ଡଙ୍ଗାରେ ବସିଅଛନ୍ତି- ସମସ୍ତଙ୍କୁ ଏକା ଛାଞ୍ଚରେ ଗଢ଼ୁଅଛନ୍ତି। ଧନ୍ୟ ଗାନ୍ଧୀ-ଧନ୍ୟ ତୁମ୍ଭ ଜନ୍ମ ଏବଂ କର୍ମ’…। …‘ଆଜି ଆମ୍ଭେମାନେ ଏହି ପୁଣ୍ୟଶ୍ଳୋକ ପୁରୁଷରତ୍ନଙ୍କ ପ୍ରତିକୃତି ଖଣ୍ଡିଏ ପାଠକ ସାଧାରଣଙ୍କୁ ଉପହାର ଦେଇ ଆପଣାକୁ ଧନ୍ୟ ମଣୁଅଛୁ। ସମୟକ୍ରମେ ତାଙ୍କ ଜୀବନର ପୁଣ୍ୟ କାହାଣୀ ସଂଗ୍ରହ କରି ଦେବାର ବାସନା ରହିଲା…।’

ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଦାଦା ଅବଦୁଲ୍ଲାଙ୍କ ଅନୁରୋଧରେ ଚୁକ୍ତିବଦ୍ଧ ହୋଇ ଦକ୍ଷିଣ ଆଫ୍ରିକାରେ ମାମଲା ଲଢ଼ିବା ପାଇଁ ଗାନ୍ଧିଜୀ ମାତ୍ର ୨୪ ବର୍ଷ ବୟସରେ ପହଞ୍ଚିଥିଲେ ଦକ୍ଷିଣ ଆଫ୍ରିକାରେ ୧୮୯୩ ମସିହାରେ। ହେଲେ ନିୟତିର ନିର୍ଦ୍ଦେଶ ଥିଲା ଅଲଗା। ପହଞ୍ଚିଲା କ୍ଷଣି ହିଁ ବର୍ଣ୍ଣବୈଷମ୍ୟ ଏବଂ ତଦ୍‌‌ଜନିତ ଉତ୍ପୀଡ଼ନର ଶିକାର ହୋଇଥିଲେ। ସେଦିନ ଦକ୍ଷିଣଆଫ୍ରିକାର ଛୋଟ ରେଳ ଷ୍ଟେସନ ସେଣ୍ଟ ପିଟରମରିଜ୍‌‌ବର୍ଗରେ ଅନ୍ଧାର ରାତି ଏବଂ ହାଡ଼ଭଙ୍ଗା ଶୀତର ବହଳ ପରସ୍ତ ଭିତରେ ଗାନ୍ଧିଜୀ ଦୃଢ଼ନିର୍ଣ୍ଣୟ ନେଇଥିଲେ ଯେ ସେ ଅନ୍ୟାୟପୂର୍ଣ୍ଣ ବ୍ୟବହାର ଏବଂ ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ିବେ। ଦକ୍ଷିଣ ଆଫ୍ରିକାର ଭୂଇଁରେ ମୋହନଦାସ କରମଚାନ୍ଦ ଗାନ୍ଧୀ ରୂପାନ୍ତରିତ ହୋଇଯାଇଥିଲେ ‘ମହାତ୍ମା ଗାନ୍ଧୀ’ ରୂପେ।

୧୯୦୯ ବେଳକୁ ଦକ୍ଷିଣ ଆଫ୍ରିକାର ଜଣେ ପାଦ୍ରୀ ଯୋସେଫ ଜେ. ଡୋକ୍‌‌ ଗାନ୍ଧିଜୀଙ୍କ ଉପରେ ସର୍ବପ୍ରଥମ ବହି ଲେଖିଥିଲେ। ସେ ବହିର ମୁଖବନ୍ଧ ଲେଖିଥିଲେ ଲର୍ଡ ଆମ୍ପଥିଲ୍‌‌। ୧୯୦୯, ଅଗଷ୍ଟରେ ପ୍ରକାଶିତ ଉକ୍ତ ପୁସ୍ତକର ଶୀର୍ଷକ ଥିଲା ‘ଏମ୍‌‌. କେ ଗାନ୍ଧୀ; ଆନ୍‌‌ ଇଣ୍ଡିଆନ୍‌‌ ପାଟ୍ରିଅଟ୍‌‌ ଇନ୍‌‌ ସାଉଥ ଆଫ୍ରିକା’। ତା’ର ସର୍ବପ୍ରଥମ ପ୍ରକାଶକ ଥିଲେ ‘ଦି ଲଣ୍ଡନ ଇଣ୍ଡିଆନ୍‌‌ କ୍ରୋନିକଲ’। ଗାନ୍ଧିଜୀଙ୍କ ଜୀବନୀ, ତାଙ୍କ ଶାନ୍ତିପୂର୍ଣ୍ଣ ଏବଂ ଅହିଂସ ଉପାୟ ତଥା ରଚନାତ୍ମକ ଚିନ୍ତନକୁ ଆଧାର କରି ଲେଖା ହୋଇଥିବା ଏହି ପୁସ୍ତକ ଗାନ୍ଧିଜୀଙ୍କୁ ସମଗ୍ର ବିଶ୍ୱରେ ଉପସ୍ଥାପିତ କରିଥିଲା। ତେଣୁ ୧୯୧୬ ମସିହାରେ ‘ଉତ୍କଳ-ସାହିତ୍ୟ’ରେ ‘ପୁରୁଷସିଂହ ଗାନ୍ଧୀ’ ପ୍ରକାଶିତ ହେଲା ବେଳକୁ ଗାନ୍ଧିଜୀଙ୍କ ସମ୍ପର୍କରେ ସେହି ବହିଟି ଥିଲା ତଥ୍ୟର ଆଧାର। ଏହାଛଡ଼ା କିଛି ଇଂରାଜୀ ଖବରକାଗଜ, ପତ୍ରପତ୍ରିକା ଏବଂ ଭାରତୀୟ ଭାଷାରେ ପ୍ରକାଶିତ ଲେଖାସବୁକୁ ଆଧାର କରି ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏବଂ ଅହିଂସ ଲଢ଼େଇ ଉପରେ ଆଲୋଚନାମାନ ପ୍ରକାଶିତ ହୋଇଥିଲା।

ଡ. ସୁଜିତ କୁମାର ପୃଷେଠ

ଏହି ଆଲେଖ୍ୟଟି ଓଡ଼ିଆ ଜାତିର ଏକ ଅନନ୍ୟ ଓ ଅମୂଲ୍ୟ ସମ୍ପତ୍ତି।

ସମ୍ବଲପୁର, ମୋ: ୯୮୬୮୭୬୬୭୦୫