ପୁଲିସ୍‌ ଉପରକୁ ପଥର ମାଡ଼; ସିଟି ଡିଏସ୍‌ପି ଓ ଏସ୍‌ଆଇ ଆହତ

ପୁଲିସ୍‌ର କୌଣସି କଥା ଶୁଣିନଥିଲେ ଆନ୍ଦୋଳନ କରୁଥିବା ଲୋକମାନେ। ଏହାକୁ ନେଇ ଉଭୟ ପକ୍ଷରୁ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା। ଠେଲାପେଲାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ପଥର ମାଡ଼ରେ ସରିଥିଲା।

ପୁଲିସ୍‌ ଉପରକୁ ପଥର ମାଡ଼; ସିଟି ଡିଏସ୍‌ପି ଓ ଏସ୍‌ଆଇ ଆହତ

ସୋଶାଲ୍‌ ମିଡ଼ିଆ ପୋଷ୍ଟକୁ ନେଇ ଆଜି ଭଦ୍ରକ ଟାଉନ୍‌ରେ ତୁମୁଳକାଣ୍ଡ ଘଟିଛି। ପୁଲିସ୍‌ ଉପରକୁ ଉତ୍ତ୍ୟକ୍ତ ଲୋକମାନେ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୩ରୁ ଅଧିକ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ି ଭାଙ୍ଗିଛି। ଏହାକୁ ନେଇ ଭଦ୍ରକ ଟାଉନ୍‌ ସନ୍ଥିଆ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ୍‌ରୁ ଅଧିକା ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ସୋଶାଲ୍‌ ମିଡ଼ିଆରେ ହୋଇଥିବା ପୋଷ୍ଟକୁ କିଛି ବ୍ୟକ୍ତି ବିରୋଧ କରିଥିଲେ। ଏପରିକି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ହେଲେ ସେମାନଙ୍କୁ ଗିରଫ କରାଯାଇନଥିଲା। ଯାହାର ପ୍ରତିବାଦରେ ଆଜି ଅପରାହ୍ନରେ ଶୋଭାଯାତ୍ରା କରାଯାଇଥିଲା। ୫୦ରୁ ଅଧିକ ଲୋକ ଶୋଭାଯାତ୍ରାରେ ଯାଉଥିବା ବେଳେ ସନ୍ଥିଆ ନିକଟରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶୋଭାଯାତ୍ରା ନକରିବା ପାଇଁ କହିଥିଲା। ହେଲେ ସେମାନେ ରାଜି ହୋଇନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ।

ପୁଲିସ୍‌ର କୌଣସି କଥା ଶୁଣିନଥିଲେ ଆନ୍ଦୋଳନ କରୁଥିବା ଲୋକମାନେ। ଏହାକୁ ନେଇ ଉଭୟ ପକ୍ଷରୁ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା। ଠେଲାପେଲାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ପଥର ମାଡ଼ରେ ସରିଥିଲା। ଯେଉଁଥିରେ ଟାଉନ୍‌ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଓ ଏସ୍‌ଆଇ ରୋଜେନ ମୁର୍ମୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପଥର ମାଡ଼ରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ପଥର ବାଜିଛି। ଏପରିକି ତହସିଲଦାରଙ୍କ ଗାଡ଼ି ଭାଙ୍ଗିଥିବା ଦେଖିବାକୁ ମିଳିଛି।

ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ମୃଦ୍ୟୁ ଲାଠି ଚାର୍ଜ କରିଥିଲା। ଯେଉଁଥିପାଇଁ ଉତ୍ତ୍ୟକ୍ତ ଲୋକମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତନୟ କରାଯାଇଛି।

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ