ଏକ୍ସପାରୀ ଆଇରନ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଏକ୍ସପାରୀ ଆଇରନ ବଟିକା ଖାଇବା ପରେ ଛାତ୍ରଛାତ୍ରୀମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କି ହସ୍ପିଟାଲକୁ ନିଆଯାଇଥିଲା।

ଏକ୍ସପାରୀ ଆଇରନ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ଲକପଡ଼ା ୟୁପି ସ୍କୁଲରେ ପିଲାମାନଙ୍କୁ ଆଇରନ ବଟିକା ଦିଆଯାଇଥିଲା। ଏହି ଔଷଧ ଖାଇ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଏକ୍ସପାରୀ ଆଇରନ ବଟିକା ଖାଇବା ପରେ ଛାତ୍ରଛାତ୍ରୀମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଛାତ୍ରଛାତ୍ରୀମାନଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଆସନ୍ତୋଷ ଦେଖା ଦେଇଛି। 

ଜଣେ ଅସୁସ୍ଥ ଛାତ୍ରଙ୍କ ଅଭିଭାବକ କହିଛିନ୍ତି, ସେହି ଔଷଧ ଖାଇବା ପରେ ମୋ ପୁଅର ପେଟ କାଟିବା ସହ ବାନ୍ତି ହୋଇଥିଲା। ବଟିକାର ଏକ୍ସପାରୀ ଡେଟ୍ ୨୦୨୧ ମସିହା ରହିଛି। ସେହି ଔଷଧ ଖାଇ ଏଭଳି ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ଡାକ୍ତର ନିର୍ମାଲ୍ୟ ବିଶ୍ୱାଳ କହିଛନ୍ତି, ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ ମସିହାରୁ ଆଇରନ୍ ବଟିକାଗୁଡ଼ିକର ଏକ୍ସପାରୀ ଡେଟ୍ ଯାଇସାରିଛି। ସେହି ବଟିକା ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦିଆଯାଇଥିଲା। ସେହି ଔଷଧ ଖାଇ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ମେଡିକାଲକୁ ଆଣିବା ପରେ ଚିକିତ୍ସା ଚାଲିଛି। ତେବେ ସେମାନେ କେଉଁ ମେଡିସିନି ଖାଇଥିଲେ, ତାହା ମୁଁ ଦେଖିନାହିଁ।