ପୁଲିସ୍‌ ନା ଚୋର? ଦୁଇ ଏସ୍‌ଆଇ, ୨ କୋଟି, ସୁନ୍ଦର ସ୍ଥାନ ଓ ରୋମାନ୍ସ

ଠକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇବାକୁ ପୁଲିସ୍‌ ଯୋଜନା କରିଥିଲା। କିନ୍ତୁ ଟଙ୍କା ଜବତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏସଆଇ ଜଣଙ୍କ ଖେଳଥିଲେ ସାଂଘାତିକ ଖେଳ। 

ପୁଲିସ୍‌ ନା ଚୋର? ଦୁଇ ଏସ୍‌ଆଇ, ୨ କୋଟି, ସୁନ୍ଦର ସ୍ଥାନ ଓ ରୋମାନ୍ସ

ଦିଲ୍ଲୀ ପୁଲିସ୍‌ର ଜଣେ ସବ ଇନ୍ସପେକ୍ଟର ଏକାଧିକ ସାଇବର ଠକେଇ ମାମଲାର ସାମାଧନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ କାମକୁ ସମସ୍ତେ ପ୍ରଶଂସା କରିଥିଲେ।ମାମଲାର ସମାଧାନ କରି କୋଟି କୋଟି ଟଙ୍କା ଜବତ ବି କରାଯାଇଥିଲା। ଠକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇବାକୁ ପୁଲିସ୍‌ ଯୋଜନା କରିଥିଲା। କିନ୍ତୁ ଟଙ୍କା ଜବତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏସଆଇ ଜଣଙ୍କ ଖେଳଥିଲେ ସାଂଘାତିକ ଖେଳ। 

ସେ ବେଶ ଚତୁରତାର ସହ ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରୁ ୨ କୋଟି ଟଙ୍କା ଚୋରି କରି ନେଇଥିଲେ। ଏହାପରେ ନିଜର ଗର୍ଲଫ୍ରେଣ୍ଡଙ୍କ ସହ ମଉଜ କରିବା ପାଇଁ ସୁନ୍ଦର ସୁନ୍ଦର ସ୍ଥାନକୁ ବାହାରି ଯାଇଥିଲେ। ଏସ୍‌ଆଇଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଦିଲ୍ଲୀ ପୁଲିସ୍‌ରେ କାମ କରନ୍ତି। ସେ ବି ଜଣେ ସବ ଇନ୍ସପେକ୍ଟର।

ଚୋରି ଟଙ୍କାରେ ଦିଲ୍ଲୀ ପୁଲିସ୍‌ର ଏହି ବଣ୍ଟି-ବବଲୀ ଗୋଆ, ମନାଲି ଓ କଶ୍ମୀର ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନଗୁଡ଼ିକରେ ମଉଜ କରିଥିଲେ। ବେଶ କିଛି ଦିନ ମଉଜ କରିବା ପରେ ଦୁଇ ପୁଲିସ୍‌ ଏସଆଇ ଇନ୍ଦୋର ଚାଲି ଯାଇଥିଲେ। ସେମାନେ ସେଠାରେ ନକଲି ପରିଚୟ ଦେଇ ନୂଆ ଜୀବନ ଆରମ୍ଭ କରିବାକୁ ଚାହିଁଥିଲେ। କିନ୍ତୁ ସେମାନଙ୍କ ସବୁ ଯୋଜନାରେ ପାଣି ପକାଇ ଦେଇଛି ଦିଲ୍ଲୀ ପୁଲିସ୍‌। ଉଭୟ ପୂର୍ବରୁ ବିବାହ କରିଥିଲେ। ଏହାପରେ ବି ପରସ୍ପର ପ୍ରେମରେ ବୁଡ଼ି ସବୁ କିଛି ଭୁଲି ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିଲେ। 

ଏସ୍‌ଆଇ ଅଙ୍କୁର ମଲିକ ଉତ୍ତର-ପୂର୍ବ ଜିଲ୍ଲାର ସାଇବର ଥାନାରେ ନିଯୁକ୍ତି ପାଇଥିଲେ। ସାଇବର ଠକଙ୍କ ଠାରୁ ଜବତ ହୋଇଥିବା ଟଙ୍କାରୁ ସେ କିଛି ହଡ଼ପ କରିବାକୁ ଚାହିଁଥିଲେ। ଏଥିପାଇଁ ନକଲି ଅଭିଯୋଗକାରୀଙ୍କ ନାଁରେ କୋର୍ଟରେ ଆବେଦନ ଦାଖଲ କରି ସେ ଜବତ ଆକାଉଣ୍ଟରେ ଥିବା ଟଙ୍କାକୁ ନିଜ ଚିହ୍ନା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ।

ଟଙ୍କା ପାଇଗଲା ପରେ ୨୦୨୧ ବ୍ୟାଚ୍‌ର ଏସ୍‌ଆଇ ମଲିକ ହଠାତ ୭ ଦିନର ମେଡିକାଲ ଛୁଟି ନେଇଥିଲେ। ସେ ଛୁଟିରେ ଯିବା ପରେ ଆଉ ଫେରି ନଥିଲେ। ସେହି ସମୟରେ ସମାନ ବ୍ୟାଚ୍‌ର ଏସ୍‌ଆଇ ନେହା ପୁନିଆ ମଧ୍ୟ ସମାନ ପଦକ୍ଷେପ ନେଇ ଥିଲେ। ନେହା ଜିଟିବି ଏନକ୍ଲେଭ ପୁଲିସ୍‌ ଷ୍ଟେସନରେ ନିଯୁକ୍ତି ପାଇଥିଲେ। ଉଭୟ କାର୍ଯ୍ୟରେ ଯୋଗ ଦେଉ ନଥିବା ବେଳେ ସେମାନଙ୍କ ପତ୍ତା ମିଳି ନଥିଲା। ଏଥିପାଇଁ ସେମାନଙ୍କ ପାଇଁ ନିଖୋଜ ମାମଲା ରୁଜୁ କରାଯାଇଥିଲା।

ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ପୁଲିସ୍‌ ଅଧିକାରୀ ଜଣଙ୍କ ସାଇବର ଠକେଇରୁ ଜବତ ହୋଇଥିବା କୋଟି କୋଟି ଟଙ୍କା ଲୁଟ କରିଛନ୍ତି। ଏହାପରେ ଜଣାପଡ଼ିଥିଲା ଯେ ମଲିକ ଓ ନେହା ପୂର୍ବରୁ ବିବାହ କରିଥିଲେ। ମଲିକଙ୍କ ପତ୍ନୀ ଉତ୍ତର ପ୍ରଦେଶର ବାରାଉତରେ ରହୁଥିବା ବେଳେ ନେହାଙ୍କ ସ୍ୱାମୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରୁହନ୍ତି। ୨୦୨୧ ମସିହା ପୁଲିସ୍‌ ଟ୍ରେନିଂ ବେଳେ ମଲିକ ଓ ନେହାଙ୍କ ବନ୍ଧୁତା ହୋଇଥିଲା। ସେହି ଠାରେ ହିଁ ଉଭୟ ଲୁଟ କରିବା ପାଇଁ ଯୋଜନା କରିଥିଲେ।

ତଦନ୍ତକାରୀ ଟିମ ଉଭୟ ଟେକ୍ନିକାଲ ସର୍ଭେଲାନ୍ସ ଓ ଗ୍ରାଉଣ୍ଡ ଲେଭଲ ଗୁଇନ୍ଦା ତଥ୍ୟକୁ ଏକାଠି କରି ଦୁଇ ସବ ଇନସପେକ୍ଟରଙ୍କୁ ଖୋଜିବାରେ ଲାଗିଥିଲା। ଶେଷରେ ଦୀର୍ଘ ୪ ମାସର ଯାଞ୍ଚ ପରେ ଉଭୟଙ୍କୁ ଇନ୍ଦୋରରେ ଠାବ କରାଯାଇଥିଲା। ପୁଲିସ୍‌ ସେମାନଙ୍କ ଠାରୁ ୧ କୋଟିରୁ ଅଧିକ ଟଙ୍କାର ସୁନା, ନଗଦ ୧୨ ଲକ୍ଷ ଟଙ୍କା, ୧୧ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ, ୩ଟି ଏଟିଏମ କାର୍ଡ ଓ ଅନ୍ୟ କିଛି ଦାମୀ ଜିନିଷ ଜବତ କରିଛି। ଦୁଇ ଏସ୍‌ଆଇଙ୍କ ବ୍ୟତୀତ ମହମ୍ମଦ ଇଲୟାସ, ଆଫି ଓ ଶାଦାବ ନାମକ ଆଉ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ଆକାଉଣ୍ଟକୁ ଚୋରି ଟଙ୍କା ପଠାଯାଇଥିଲା।

ପୁଲିସର କହିବା କଥା ଯେ ଅଙ୍କୁର ମଲିକ ଭଲ ଭାବେ ଜାଣିଥିଲେ ଯେ ଜବତ ଟଙ୍କା କେହି ବି ଦାବି କରିବେ ନାହିଁ। ଏଥିପାଇଁ ସେ ନକଲି କାଗତପତ୍ର ଜରିଆରେ କୋର୍ଟରେ ଆବେଦନ କରିଥିଲେ ଓ ଟଙ୍କା ହଡ଼କ କରି ଫେରାର ହୋଇଯାଇଥିଲେ। ଏହି ଟଙ୍କାରେ ସେ ଗୋଆ, ମନାଲି ଓ କଶ୍ମୀର ଭଳି ସ୍ଥାନକୁ ବୁଲିବାକୁ ଯାଇଥିଲେ। ଇନ୍ଦୋରରେ ପହଞ୍ଚିବା ପରେ ସେ ଟଙ୍କା ବଦଳରେ ସୁନା କିଣିଥିଲେ। ଏହା ଦ୍ୱାରା ଟ୍ରାକିଂ କଷ୍ଟକର ହେବ ବୋଲି ତାଙ୍କୁ ବେଶ ଭଲ ଭାବେ ଜଣାଥିଲା।

ନେହାଙ୍କ ସହ ମିଶି ସେ ନକଲି ପରିଚୟପତ୍ର ତିଆରି କରିଥିଲେ। ଏହାପରେ ସେଠାରେ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଏବେ ଏହି ଠକେଇରେ ଆଉ କେଉଁମାନେ ସବୁ ରହିଛନ୍ତି, ତା’ର ଯାଞ୍ଚ ପୁଲିସ୍‌ କରୁଛି।