ପୁଲିସ୍‌ ଷ୍ଟେସନରୁ ଫେରୁଥିଲେ ମହିଳା, ଦୁଇ ସହଯୋଗୀଙ୍କ ସହ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିବାକୁ ଘରୁ ବାହାରିଥିଲେ।

ପୁଲିସ୍‌ ଷ୍ଟେସନରୁ ଫେରୁଥିଲେ ମହିଳା, ଦୁଇ ସହଯୋଗୀଙ୍କ ସହ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ପ୍ରଥମେ ମହିଳାଙ୍କୁ ପୁଲିସ୍‌ ଷ୍ଟେସନ ନେଲା। ସେଠାରୁ ମହିଳା ଜଣଙ୍କ ଅଭିଯୋଗ ଦାଖଲ କଲେ। ତାକୁ ପୁଣି ଘରକୁ ଆଣୁଥିଲା। ହେଲେ ଅଧ ବାଟରେ ଦୁଇ ସହଯୋଗୀଙ୍କ ସହ ମହିଳାଙ୍କୁ ଦୁଷ୍କର୍ମ କରିଛି ଜଣେ ଅଟୋ ଡ୍ରାଇଭର। ହାଇଦ୍ରାବାଦରେ ଜଣେ ୨୯ ବର୍ଷୀୟ ମହିଳାଙ୍କ ସହ ଏପରି କାଣ୍ଡ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଜୁଲାଇ ୧୩ ତାରିଖ ସକାଳୁ ସକାଳୁ ଘଟିଛି। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିବାକୁ ଘରୁ ବାହାରିଥିଲେ। ସେ ଅନଲାଇନରେ ସେବା ପ୍ରଦାନ କରୁଥିବା ଗୋଟିଏ ସଂସ୍ଥା ମାଧ୍ୟମରେ ପୁଲିସ୍‌ ଷ୍ଟେସନ ଯିବାକୁ ଅଟୋ ବୁକ କରିଥିଲେ।

ଅଟୋ ଡ୍ରାଇଭର ଜଣକ ତୁରନ୍ତ ମହିଳାଙ୍କ ପାଖରେ ପହଞ୍ଚିବା ସହ ତାଙ୍କୁ ପୁଲିସ୍‌ ଷ୍ଟେସନ ନେଇଥିଲା। ସେଠାରେ ମହିଳା ଜଣଙ୍କ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିବା ସହ ପୁଲିସ୍‌ ତାଙ୍କ ବୟାନ ରେକର୍ଡ କରିଥିଲା। ସେଠାରେ ସେ ସମାନ ଅଟୋରେ ପୁଣି ଘରକୁ ଫେରୁଥିଲେ।

ତେବେ ଅଟୋ ଡ୍ରାଇଭର ଜଣକ ଘରକୁ ଫେରିବା ବେଳେ ଲମ୍ବା ରାସ୍ତା ଧରିଥିଲା। ଏଥିସହ ରାସ୍ତା କଡ଼ରେ ଥିବା ଗୋଟିଏ ମଦ ଦୋକାନ ପାଖରୁ ନିଜର ଦୁଇ ସହଯୋଗୀଙ୍କୁ ଗାଡ଼ିରେ ବସାଇଥିଲା। ସେମାନେ ପ୍ରଚୁର ମଦ ପିଇଥିଲେ।

ଗାଡ଼ିରେ ବସିବା ପରେ ସେମାନେ ମହିଳାଙ୍କୁ ମଦ ପିଇବାକୁ ବାଧ୍ୟ କରାଇଥିଲେ। ଏହାପରେ ଅଟୋ ଡ୍ରାଇଭର ଜଣଙ୍କ ଗୋଟିଏ ନିଛାଟିଆ ସ୍ଥାନକୁ ଗାଡ଼ି ନେଇ ଯାଇଥିଲେ। ସେଠାରେ ମହିଳାଙ୍କୁ ଭୟଭୀତ କରାଇ ଗୋଟିଏ କାର୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ତେବେ ଦୁଷ୍କର୍ମ ପରେ ବି ମହିଳା ଜଣଙ୍କ ଭାଙ୍ଗି ପଡ଼ି ନଥିଲେ। ସେ କୌଶଳକ୍ରମେ ସେଠାରେ ଖସି ଆସି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ ସେ ୧୦୦କୁ ଫୋନ କରି ପୁଲିସ୍‌କୁ ଡାକିଥିଲେ ଓ ଅଭିଯୋଗ ଦାଖଲ କରିଥିଲେ।

ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଅଟୋ ଡ୍ରାଇଭରକୁ ଗିରଫ କରିଛି। ହେଲେ ତା’ର ଦୁଇ ସହଯୋଗୀ ଏବେ ବି ଫେରାର ରହିଛନ୍ତି।