ପୋଲାଣ୍ଡର କାଟୋଭିସଠାରେ ଉଇକିମାନିଆ ୨୦୨୪ ରେ ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ
ବାରିପଦା: ଉଇକିମିଡ଼ିଆ ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର ପୋଲାଣ୍ଡର କାଟୋଭିସଠାରେ ଆୟୋଜନ କରାଯାଇଛି, ଯେଉଁଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏହି ବର୍ଷ ୭ ରୁ ୧୦ ଅଗଷ୍ଟ ଯାଏଁ ଚାରିଦିନ ବ୍ୟାପି ଚାଲିଥିଲା । ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍ର […]

ବାରିପଦା: ଉଇକିମିଡ଼ିଆ ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର ପୋଲାଣ୍ଡର କାଟୋଭିସଠାରେ ଆୟୋଜନ କରାଯାଇଛି, ଯେଉଁଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏହି ବର୍ଷ ୭ ରୁ ୧୦ ଅଗଷ୍ଟ ଯାଏଁ ଚାରିଦିନ ବ୍ୟାପି ଚାଲିଥିଲା ।
ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍ର ସଦସ୍ୟ ସୁଭାଶିଷ ପାଣିଗ୍ରାହୀ, ଚିନ୍ମୟୀ ମିଶ୍ର ଓ ଅଲିଭା ସାହୁ ପ୍ରତିନିଧିତ୍ୱ କରିଥିଲେ । ବୃତ୍ତିରେ ଜଣେ ଇଞ୍ଜିନିୟର ତଥା ଉତ୍ସାହୀ ଉଇକିମିଡ଼ିଆନ୍ ଚିନ୍ମୟୀ ମିଶ୍ର ୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିଲେ । ଭେଦଭାବ କିମ୍ବା ପକ୍ଷପାତରୁ ମୁକ୍ତ ହୋଇ ସମସ୍ତଙ୍କୁ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ଥିବା ଏକ ସମାବେଶୀ ସ୍ଥାନ ସୃଷ୍ଟି କରିବାର ପ୍ରୟାସ ପାଇଁ ସେ ଜଣାଶୁଣା । ଚିନ୍ମୟୀ ଏଥର ଉଇକିମାନିଆରେ ଚାରୋଟି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଉଇକି ଓମେନ୍ସ କ୍ୟାମ୍ପ ପାଇଁ ବିଶେଷ ଉପସ୍ଥାପନ କରିଛନ୍ତି ।
୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିବା ଅନ୍ୟତମ ସକ୍ରିୟ ଉଇକିଆଳି ଅଲିଭା ସାହୁ ଓଡ଼ିଆ ଓ ହିନ୍ଦୀ ଉଇକିପିଡ଼ିଆରେ ସକ୍ରିୟ ଅବଦାନ କରି ଆସୁଛନ୍ତି । ସେ ଉଇକିମିଡ଼ିଆ କମନ୍ସ, ଓଡ଼ିଆ ଉଇକିପାଠାଗାର ଓ ଉଇକିଡାଟାରେ ମଧ୍ୟ ଅବଦାନ କରନ୍ତି। ଉଇକିମିଡ଼ିଆ ଡଚ୍ଲ୍ୟାଣ୍ଡର ସହାୟତାରେ ଅଲିଭା ପ୍ରଥମଥର ଉଇକିମାନିଆରେ ଯୋଗ ଦେବାର ସୁଯୋଗ ପାଇଛନ୍ତି । ଏଥର ଉଇକିମାନିଆରେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିନିଧିତ୍ୱ କରୁଥିବା ରାମଜିତ ଟୁଡୁ, ଉଭୟ ଓଡ଼ିଆ ଓ ସାନ୍ତାଳୀ ଉଇକିପିଡ଼ିଆରେ ଜଣେ ସକ୍ରିୟ ସଦସ୍ୟ । ସେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିଷ୍ଠା ତଥା ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସିଆଇଏସ୍-ଏ୨କେ ପକ୍ଷରୁ ଦିଆଯାଇଥିବା ସ୍କଲାରସିପ୍ ଜରିଆରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଉଇକିପିଡ଼ିଆ ସହିତ ତାଙ୍କର ନିଜସ୍ୱ ଅନୁଷ୍ଠାନ ଅଲଚିକିଟେକ୍ ଓ ବିର୍-ମାଲି ସାନ୍ତାଳୀ ଇ-ପତ୍ରିକା ଅଛି ଯେଉଁଥିରେ ସେ ସାନ୍ତାଳୀ ଭାଷାର ଡିଜିଟାଲ ସଶକ୍ତୀକରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଓଡ଼ିଆ ଉଇକିପିଡ଼ିଆରେ ଦୀର୍ଘଦିନ ଧରି ଯୋଗଦାନ କରି ଆସୁଥିବା ଶୈଳେଶ କ୍ରିଏଟିଭ୍ କମନ୍ସ ଲାଇସେନ୍ସରେ ଓଡ଼ିଆ ବିଷୟବସ୍ତୁ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ସହ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେ ଏବେ ଉଇକିମିଡ଼ିଆ ଫାଉଣ୍ଡେସନ୍ର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ସୁଭାଶିଷ ପାଣିଗ୍ରାହୀ ୨୦୧୧ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ କାମ କରି ଆସୁଛନ୍ତି । ତାଙ୍କ ଉଦ୍ୟମରେ ୨୦୦୨ରୁ ପ୍ରଥମ ଦକ୍ଷିଣ ଏସୀୟ ଭାଷା ଭାବରେ ଉପଲବ୍ଧ ଥିବା ଓଡ଼ିଆ ଉଇକିପିଡ଼ିଆ ସକ୍ରିୟ ହୋଇଥିଲା । ଉଇକିପିଡ଼ିଆ ବ୍ୟତୀତ ଉଇକିପାଠାଗାର, ଉଇକିଡାଟା, ଲିଙ୍ଗୁଆ ଲିବ୍ରେରେ ତାଙ୍କର ବିଳିଷ୍ଠ ଯୋଗଦାନ ରହିଛି, ଯାହାକି ଓଡ଼ିଆ ଭାଷାକୁ ଇଣ୍ଟରନେଟ୍ ତଥା ଡିଜିଟାଲ୍ ଯୁଗରେ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ ସମ୍ମିଳନୀରେ ଓଡ଼ିଶାର ଏହି ଉଇକିଆଳିଙ୍କ ଅଂଶଗ୍ରହଣ ଉଇକିମିଡ଼ିଆ ଇକୋସିଷ୍ଟମରେ ଓଡ଼ିଆ ଓ ସାନ୍ତାଳୀ ଭାଷା ସମ୍ପ୍ରଦାୟର ବଢ଼ୁଥିବା ଯୋଗଦାନ ଓ ଅବଦାନର ପ୍ରମାଣ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ସେମାନଙ୍କ ଅନୁଭୂତି ବାଣ୍ଟିବା, ବିଶ୍ୱ ସମୁଦାୟଠାରୁ ଶିଖିବା ତଥା ଉଇକିମିଡ଼ିଆ ଆନ୍ଦୋଳନର ବହୁଭାଷୀ ପ୍ରୟାସକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।