ପ୍ରକୃତି ସଂରକ୍ଷଣରେ ମହିଳାଙ୍କ ଅବଦାନ

ଯୋଧପୁରରୁ ପ୍ରାୟ ୨୬ କିଲୋମିଟର ଦୂରରେ ଅବସ୍ଥିତ ଖେଜାର୍ଲି ନାମକ ଏକ ଛୋଟ ଗାଁ। ସେପ୍ଟେମ୍ୱର ୧୧, ୧୭୩୦ ତାରିଖ ଭୋରରୁ କୁରାଢ଼ି ଧରି ସୈନିକମାନେ ଗାଁ ମୁଣ୍ଡରେ ଅବତୀର୍ଣ୍ଣ ହୁଅନ୍ତି। ଯୋଧପୁରର ମେହେରାନଗଡ଼଼ ଦୁର୍ଗର କୋଠା ନିର୍ମାଣ ପାଇଁ ଆବଶ୍ୟକ ଚୂନ ଭାଟି ଜାଳେଣୀ ଭାବରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଖେଜରି ଗଛ (ସୋମି ବୃକ୍ଷ) କଟା ଯିବ। ଅମ୍ରିତା ଦେବୀ ବିଷ୍ଣୋଇ ନାମ୍ନୀ ଜଣେ ସାହସୀ ଆଦିବାସୀ ମହିଳା ସୈନିକମାନଙ୍କୁ ନିବୃତ କରିବାକୁ ଚେଷ୍ଟା […]

ପ୍ରକୃତି ସଂରକ୍ଷଣରେ ମହିଳାଙ୍କ ଅବଦାନ
sakala article

ଯୋଧପୁରରୁ ପ୍ରାୟ ୨୬ କିଲୋମିଟର ଦୂରରେ ଅବସ୍ଥିତ ଖେଜାର୍ଲି ନାମକ ଏକ ଛୋଟ ଗାଁ। ସେପ୍ଟେମ୍ୱର ୧୧, ୧୭୩୦ ତାରିଖ ଭୋରରୁ କୁରାଢ଼ି ଧରି ସୈନିକମାନେ ଗାଁ ମୁଣ୍ଡରେ ଅବତୀର୍ଣ୍ଣ ହୁଅନ୍ତି। ଯୋଧପୁରର ମେହେରାନଗଡ଼଼ ଦୁର୍ଗର କୋଠା ନିର୍ମାଣ ପାଇଁ ଆବଶ୍ୟକ ଚୂନ ଭାଟି ଜାଳେଣୀ ଭାବରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଖେଜରି ଗଛ (ସୋମି ବୃକ୍ଷ) କଟା ଯିବ। ଅମ୍ରିତା ଦେବୀ ବିଷ୍ଣୋଇ ନାମ୍ନୀ ଜଣେ ସାହସୀ ଆଦିବାସୀ ମହିଳା ସୈନିକମାନଙ୍କୁ ନିବୃତ କରିବାକୁ ଚେଷ୍ଟା କରନ୍ତି। ସୈନିକମାନେ ତାଙ୍କ କଥାକୁ ଭ୍ରୂକ୍ଷେପ ନ କରିବାରୁ ଅମ୍ରିତା ଗଛଟିକୁ ଆଲିଙ୍ଗନ କରି ଧରି ରହନ୍ତି ଏବଂ ନିର୍ମମ ଭାବରେ ତାଙ୍କର ମୁଣ୍ଡ କାଟି ଦିଆହୁଏ। ଅମ୍ରିତାଙ୍କ ତିନି ଝିଅ (ଆସୁ, ରତ୍ନୀ, ଭାଗୁ) ଏବଂ ନିକଟସ୍ଥ ୮୪ ଟି ଗାଁର ୩୬୩ ଜଣ ବିଷ୍ଣୋଇ ସମ୍ପ୍ରଦାୟର ପୁରୁଷ, ମହିଳା ଓ ପିଲା ମଧ୍ୟ ଗଛଗୁଡ଼ିକୁ ଆଲିଙ୍ଗନ କରି ପ୍ରତିରୋଧ କରିବା ସମୟରେ ସମଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି। ଯେତେବେଳେ ରାଜା ଅଭୟ ସିଂହ ଏହା ଜାଣିବାକୁ ପାଆନ୍ତି, ସେ ନିଜ ଦୋଷ ପାଇଁ ଲଜ୍ଜିତ ହୁଅନ୍ତି ଓ ଅନୁତାପ କରନ୍ତି। ତତ୍‌‌କ୍ଷଣାତ ସେ ବିଷ୍ଣୋଇ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବୃକ୍ଷଛେଦନ ଓ ପଶୁ ଶିକାରକୁ ନିଷେଧ କରି ତାମ୍ରଲେଖ ଆଦେଶ ଜାରି କରନ୍ତି। ଏହା ହୁଏତ ଇତିହାସରେ ପ୍ରଥମ ଏବଂ ସବୁଠାରୁ ସାଂଘାତିକ ପ୍ରକୃତି ସଂରକ୍ଷଣ ଆନ୍ଦୋଳନ।

‘ଚିପ୍‌‌କୋ ଆନ୍ଦୋଳନ’ କିମ୍ୱା ’ଆଲିଙ୍ଗନ ଆନ୍ଦୋଳନ’ ଭାରତର ଆଉ ଏକ ସଫଳ ବନସଂରକ୍ଷଣ ଆନ୍ଦୋଳନ। ସ୍ଥାନୀୟ ସମ୍ପ୍ରଦାୟ ୧୯୬୪ ମସିହାରେ ଭାରତର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଗୋପେଶ୍ୱରରେ ‘ଦାଶୋଲି ଗ୍ରାମ ସ୍ୱରାଜ୍ୟ ସଂଘ’ ନାମକ ଏକ ସଂଗଠନ ଗଠନ କରନ୍ତି, ଯାହାର ଲକ୍ଷ୍ୟ ଜଙ୍ଗଲ ସମ୍ପଦରୁ କୃଷି ଉପକରଣ ତିଆରି କରିବା ପାଇଁ ଛୋଟ କୁଟୀର ଶିଳ୍ପ ସ୍ଥାପନ କରିବା। ସେମାନେ ପାରମ୍ପରିକ ଭାବେ ଜଙ୍ଗଲ ସମ୍ପଦ ଉପଭୋଗ କରି ଆସୁଥିଲେ। କିନ୍ତୁ ବନ ବିଭାଗ ସେମାନଙ୍କ ବସତି ଉପରେ କଟକଣା ଜାରି କରି ସୁଦୂର ଆହ୍ଲାବାଦର ଏକ କ୍ରୀଡ଼ା ସାମଗ୍ରୀ ନିର୍ମାତା ସାଇମନ କମ୍ପାନୀକୁ ଟେନିସ୍‌‌ ରାକେଟ୍‌‌ ତିଆରି କରିବା ପାଇଁ ୩୦୦ ଗଛ କାଟିବାକୁ ନେଇ ଏକ ଚୁକ୍ତିନାମା କରାଯାଏ। ପରବର୍ତ୍ତୀ ସମୟରେ ସେହି କମ୍ପାନୀକୁ ଗୋପେଶ୍ୱରରୁ ୮୦ କିଲୋମିଟର ଦୂର ଫାଟା ଜଙ୍ଗଲରେ ଅଧିକ ଗଛ କାଟିବା ପାଇଁ ଅନୁମତି ମିଳେ। ଜାନୁଆରୀ ୧୯୭୪ ରେ ଅଳକାନନ୍ଦା ନଦୀର ସୁରକ୍ଷାକୁ ଅଣଦେଖା କରି ରେଣି ଗାଁ ନିକଟରେ ୨, ୫୦୦ ଗଛ ପାଇଁ ଏକ ନିଲାମ ଘୋଷଣା କରାଯାଏ। ଗରୱାଲ ହିମାଳୟର ଲୋକମାନେ ଅନୁଭବ କରନ୍ତି ଯେ ଜଙ୍ଗଲର ଅଧିକାଂଶ ଅଂଶର ବେପରୁଆ କ୍ଷୟ ଫଳରେ ୧୯୭୦ ମସିହା ଜୁଲାଇ ମାସରେ ଅଳକାନନ୍ଦାରେ ବନ୍ୟା ଆସି ଅମାପ କ୍ଷୟକ୍ଷତି ଘଟିଥିଲା। ଏକ ବଡ଼ ଭୂସ୍ଖଳନ ନଦୀକୁ ଅବରୋଧ କରିଥିଲା ଏବଂ ବଦ୍ରିନାଥ ନିକଟବର୍ତ୍ତୀ ହନୁମାନଚଟିଠାରୁ ହରିଦ୍ୱାର ପର୍ଯ୍ୟନ୍ତ ୩୨୦ କିଲୋମିଟର ତଳକୁ ଏକ ଅଞ୍ଚଳକୁ ପ୍ରଭାବିତ କରିଥିଲା। ସ୍ଥାନୀୟ ଲୋକମାନେ ବନ ବିଭାଗର ନୀତି ବିରୁଦ୍ଧରେ ତୀବ୍ର ପ୍ରତିବାଦ କରନ୍ତି। ସେମାନେ ଗଛଗୁଡ଼ିକୁ ଆଲିଙ୍ଗନ କରି କାଟିବାକୁ ବିରୋଧ କରନ୍ତି। ୧୯୮୦ ମସିହାରେ ସରକାର ମୁଣ୍ଡ ନୁଆଁଇ ହିମାଳୟ ଅଞ୍ଚଳରେ ଗଛ କାଟିବା ଉପରେ ନିଷେଧାଦେଶ ଜାରି କରନ୍ତି। ମହିଳାମାନେ ଏହି ସଂଘର୍ଷରେ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ। କାରଣ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ସେମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ। ଏହି ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ମୀମାନଙ୍କ ମଧ୍ୟରେ ଗୌରା ଦେବୀ, ସୁଦେଶା ଦେବୀ, ବଚନି ଦେବୀ, ଚଣ୍ଡି ପ୍ରସାଦ ଭଟ୍ଟ, ସୁନ୍ଦରଲାଲ ବହୁଗୁଣା ଏବଂ ଚିପକୋ କବି ଘନଶ୍ୟାମ ରାତୁରୀ ଅନ୍ତର୍ଭୁକ୍ତ, ଯାହାଙ୍କ ଗୀତ ଏବେ ବି ହିମାଳୟ ଅଞ୍ଚଳରେ ଲୋକପ୍ରିୟ। ବିଷ୍ଣୋଇ ଆନ୍ଦୋଳନ ପରେ ଚିପ୍‌କୋ ଆନ୍ଦୋଳନ ହିମାଚଳ ପ୍ରଦେଶ, ରାଜସ୍ଥାନ, ବିହାରର ଅନ୍ୟାନ୍ୟ ବନ ଅଞ୍ଚଳ ଓ କର୍ଣ୍ଣାଟକ ରାଜ୍ୟର ଆପ୍ପିକୋ ଆନ୍ଦୋଳନରେ ସାମାଜିକ-ପରିବେଶିକ ଆନ୍ଦୋଳନ ପାଇଁ ଏକ ପ୍ରେରଣା ଓ ଉଦାହରଣ ପାଲଟିଥିଲା।

କେରଳର ସାଇଲେଣ୍ଟ ଭ୍ୟାଲି ବା ନିରବ ଉପତ୍ୟକା ଏକ ଚିରହରିତ ଉଷ୍ଣମଣ୍ଡଳୀୟ ଜଙ୍ଗଲ ଏବଂ ପ୍ରାୟତଃ ଏକ ଜୈବ ବିବିଧତା ସମ୍ପନ୍ନ ଭଣ୍ଡାର। ଏହା ମଧ୍ୟ ବିଶ୍ୱର ସବୁଠାରୁ ପୁରୁଣା ବୃଷ୍ଟିବନ ବା ବର୍ଷାଜଙ୍ଗଲ ମଧ୍ୟରୁ ଅନ୍ୟତମ। ୧୯୨୮ ମସିହାରେ କେରଳର ସାଇଲେଣ୍ଟ ଭ୍ୟାଲି ଦେଇ ପ୍ରବାହିତ କୁଣ୍ଟିପୁଝା ନଦୀର ସାଇରନ୍ଧ୍ରୀର ସ୍ଥାନକୁ ଏକ ଜଳବିଦ୍ୟୁତ୍‌‌ ନଦୀ ବନ୍ଧ ନିର୍ମାଣ ପାଇଁ ଆଦର୍ଶ ସ୍ଥାନ ଭାବରେ ଚିହ୍ନଟ କରାଯାଇଥିଲା ଏବଂ ପରେ ଯୋଜନା ଆୟୋଗ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। କିନ୍ତୁ ଏହି ପ୍ରକଳ୍ପ ସାଇଲେଣ୍ଟ ଭ୍ୟାଲିର ୮.୩ ବର୍ଗ କିଲୋମିଟର ଅସ୍ପୃଶ୍ୟ ଆର୍ଦ୍ର ଚିରହରିତ ଜଙ୍ଗଲକୁ ବୁଡ଼ାଇ ଦେବ ବୋଲି ଆକଳନ କରାଯାଇଥିଲା, ଯାହା ହେଉଛି ବିପଦସଙ୍କୁଳ ସିଂହ-ଲାଞ୍ଜୀ ମାଙ୍କଡ଼ ଏବଂ ଅନ୍ୟାନ୍ୟ ବିଭିନ୍ନ ସ୍ଥାନୀୟ ବିରଳ ପ୍ରାଣୀ ଓ ଉଦ୍ଭିଦ ଜାତିମାନଙ୍କର ପ୍ରାକୃତିକ ବାସସ୍ଥାନ। ୧୯୭୩ ମସିହାରେ ସ୍କୁଲ ଶିକ୍ଷକମାନଙ୍କ ନେତୃତ୍ୱରେ ଗଠିତ ଏକ ଅଣ-ସରକାରୀ ସ୍ୱେଚ୍ଛାସେବୀ ସଂଗଠନ ‘କେରଳ ଶାସ୍ତ୍ର ସାହିତ୍ୟ ପରିଷଦ’ ଏବଂ ‘ସାଇଲେଣ୍ଟ ଭ୍ୟାଲି ସରକ୍ଷଣ ସମିତି’ ଆନ୍ଦୋଳନ ଆରମ୍ଭ କରିଥିଲେ। ବିଶିଷ୍ଟ କବୟତ୍ରୀ ସୁଗଥାକୁମାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ‘ମରାଥିନୁ ସ୍ତୁତି’ (ଏକ ଗଛ ପ୍ରତି ଓଡ୍‌‌) କବିତା ରଚନା କରିଥିଲେ, ଯାହା ବୁଦ୍ଧିଜୀବୀ ସମ୍ପ୍ରଦାୟର ପ୍ରତିବାଦର ପ୍ରତୀକ ପାଲଟିଥିଲା ଏବଂ ‘ସାଇଲେଣ୍ଟ ଭ୍ୟାଲି ବଞ୍ଚାଅ’ ଅଭିଯାନ ସଭାର ଅଧିକାଂଶ ପ୍ରାରମ୍ଭିକ ଗୀତ/ପ୍ରାର୍ଥନା ଥିଲା। ଶେଷରେ ପ୍ରକଳ୍ପଟି ବନ୍ଦ ହୋଇଗଲା ଏବଂ ନଭେମ୍ୱର ୧୫, ୧୯୮୪ରେ ସାଇଲେଣ୍ଟ ଭ୍ୟାଲି ଜଙ୍ଗଲକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା।

ଏହି ପରିପ୍ରେକ୍ଷୀରେ ଆମେ ୨୦୨୪ ଜୁଲାଇ ୩୦ରେ କେରଳର ୱାୟାନାଡରେ ହୋଇଥିବା ଭୂସ୍ଖଳନ ଏବଂ ୨୦୨୫ ଫେବୃଆରୀ ୨୮ରେ ଉତ୍ତରାଖଣ୍ଡର ମାନା ଗ୍ରାମରେ ହିମସ୍ଖଳନକୁ ମନେ ପକାଇପାରିବା। କିପରି ଅଣଯୋଜନାମୂଳକ ବିକାଶ କାର୍ଯ୍ୟକଳାପ ଏପରି ଦୁଃଖଦ ଘଟଣା ପାଇଁ ଦାୟୀ ରହେ, ତାହାର କେତେକ ଉଦାହରଣ ଉପରୋକ୍ତ ଦୁଇ ଘଟଣା।

ଓଡ଼ିଶାର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟବର୍ତ୍ତୀ ପାତ୍ରପୁଟ ଗ୍ରାମର ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀ ଶହେରୁ ଅଧିକ ସ୍ଥାନୀୟ ଧାନ କିସମ ସଂରକ୍ଷଣ କରିବା ସହିତ ହଳଦୀ, କଳାଜିରା ଏବଂ ବିରଳ ପ୍ରଜାତିର ଧାନ ସଂଗ୍ରହ କରିଥିଲେ। କର୍ଣ୍ଣାଟକର ପଦ୍ମଶ୍ରୀ ତୁଳସୀ ଗୌଡ଼ା, ଯାହାଙ୍କୁ ହାଲାକି ଭୋକ୍କାଲିଗା ଜନଜାତି ‘ବୃକ୍ଷଦେବୀ’ ଭାବରେ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି, ତାଙ୍କ ଜୀବନକାଳ ମଧ୍ୟରେ ହଜାର ହଜାର ଚାରାରୋପଣ କରି ସେଗୁଡ଼ିକୁ ପାଳନ କରିଥିଲେ। ପୂର୍ବ ଆଫ୍ରିକୀୟ ଦେଶ କେନିଆର ନୋବେଲ ଶାନ୍ତି ପୁରସ୍କାର ବିଜେତା ୱାଙ୍ଗାରି ମାଥାଇ ଲକ୍ଷ ଲକ୍ଷ ଚାରା ରୋପଣ କରି ପରିବେଶ ସଂରକ୍ଷଣ ଓ ମହିଳା ଅଧିକାର ଉପରେ ଧ୍ୟାନ ଦେଇଥିଲେ ଏବଂ ସବୁଜ ବଳୟ ବା ଗ୍ରୀନ ବେଲ୍ଟ ଆନ୍ଦୋଳନ ଆରମ୍ଭ କରିଥିଲେ।

ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ପାହାଡ଼ରେ ପ୍ରଚୁର ପରିମାଣରେ ବକ୍ସାଇଟ୍‌‌ ଧାତୁ ଗଛିତ ରହିଛି। ଭାରତ ଆଲୁମିନିୟମ କମ୍ପାନୀ(ବାଲ୍‌‌କୋ) ବକ୍ସାଇଟ୍‌‌ ଉତ୍ତୋଳନ ପାଇଁ ଲିଜ୍‌‌ ହାସଲ କରିବା ପରେ ୧୯୮୦ ଦଶକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୦୩ ମସିହାରେ ଓଡ଼ିଶା ସରକାର ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌‌ ସହିତ ଏକ ଆଲୁମିନା ରିଫାଇନାରୀ ଏବଂ ବକ୍ସାଇଟ୍‌‌ ପ୍ଲାଣ୍ଟ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ପାହାଡ଼ଗୁଡ଼ିକ ଜୈବ ବିବିଧତା ଏବଂ ଔଷଧୀୟ ମହତ୍ତ୍ୱ ବିଶିଷ୍ଟ ଶହ ଶହ ଜାତିର ଉଦ୍ଭିଦ ପାଇଁ ଆଶ୍ରୟସ୍ଥଳ। ସ୍ଥାନୀୟ ମହିଳା ଓ ପୁରୁଷ ସମେତ ବଲାଙ୍ଗିର ଜିଲ୍ଲାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଓ କଳାହାଣ୍ଡି ଜିଲ୍ଲାରେ ‘ନିୟମଗିରି ସୁରକ୍ଷା ସମିତି’ ମାଧ୍ୟମରେ ବକ୍ସାଇଟ୍‌‌ ଖଣିକୁ ପ୍ରତିରୋଧ କରିରାଯାଇଥିଲା ଏବଂ ସେମାନଙ୍କର ପବିତ୍ର ଭୂମି ଏବଂ ଜୈବ ବିବିଧତାକୁ ସଂରକ୍ଷଣ କରିବା ପାଇଁ ଐତିହାସିକ ପାହାଡ଼ଗୁଡ଼ିକୁ ବିନାଶକାରୀ ଖଣି କାର୍ଯ୍ୟକଳାପରୁ ସାହସର ସହିତ ରକ୍ଷା କରାଯାଇପାରିଥÒଲା। ବରଗଡ଼଼ ଓ ରାୟଗଡ଼଼ା ଜିଲ୍ଲାର ଲୋକମାନେ ମଧ୍ୟ ବକ୍ସାଇଟ୍‌‌ ଖଣିକୁ ବିରୋଧ କରି ଆନ୍ଦୋଳନରେ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲରେ ଗଛ କଟା ଏବଂ ବାଣିଜ୍ୟିକ କାଠ କାଟିବାକୁ ଓଡ଼ିଶା ପରିବେଶ ସମିତି ଏବଂ ସ୍ଥାନୀୟ ସମ୍ପ୍ରଦାୟ ପ୍ରତିରୋଧ କରିଥିଲେ। ଶେଷରେ ୧୯୯୪ ମସିହାରେ ସେଠାରେ ଏକ ସଂରକ୍ଷିତ ଜୈବମଣ୍ଡଳ ଘୋଷଣା କରାଯାଇଥିଲା।

ଭାରତ ବିଶ୍ୱର ସବୁଠାରୁ ବଡ଼ ଆଦିବାସୀବହୁଳ ରାଷ୍ଟ୍ରମାନଙ୍କ ମଧ୍ୟରେ ପରିଗଣିତ। ବର୍ଦ୍ଧିତ ବିଶ୍ୱ ତାପମାତ୍ରା ଏବଂ ପ୍ରାକୃତିକ ସମ୍ପଦ ହ୍ରାସର ଚାପପୂର୍ଣ୍ଣ ସଙ୍କଟ ମଧ୍ୟରେ ପ୍ରାକୃତିକ ଜଙ୍ଗଲ ଏବଂ ପରିବେଶ ସଂରକ୍ଷଣରେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଆଶାର ଆଲୋକପାତ ଭାବରେ ଉଭା ହୋଇଛି। ଖୁସିର କଥା, କଲମ୍ୱିଆ (ଦକ୍ଷିଣ ଆମେରିକା)ର ‘କାଲି’ ରେ ଅକ୍ଟୋବର ୨୧ ରୁ ନଭେମ୍ୱର ୧, ୨୦୨୪ ପର୍ଯ୍ୟନ୍ତ ‘ପ୍ରକୃତି ସହିତ ଶାନ୍ତି’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଜାତିସଂଘ ଜୈବିକ ବିବିଧତା ସମ୍ୱନ୍ଧୀୟ ସମ୍ମିଳନୀର ୧୬ ତମ ସଂସ୍କରଣ ବିଶ୍ୱ ଜୈବିକ ବିବିଧତା ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଚିହ୍ନିତ କରିଛି। ବିଶେଷକରି ‘କାଲି ପାଣ୍ଠି’ ପ୍ରତିଷ୍ଠା, ଯାହା ଆଦିବାସୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ, ବିଶେଷକରି ମହିଳା ଏବଂ ଯୁବପିଢ଼ିଙ୍କ ସ୍ୱ-ପରିଚିତ ଆବଶ୍ୟକତା ଉପରେ ଧ୍ୟାନ ଦେବ।

ଡକ୍ଟର ସୁନ୍ଦର ନାରାୟଣ ପାତ୍ର

(ସଭାପତି, ଓଡ଼ିଶା ପରିବେଶ ସମିତି)
ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦