ପ୍ରକୃତିର ଅନୁବନ୍ଧ ସ୍ମୃତିବନ

ତିବନ ଗୋଟିଏ ସାଧାରଣ ଉଦ୍ୟାନ ନୁହେଁ, ଏହା ହେଉଛି ସ୍ମୃତିର ଉପସ୍ଥାନ, ଯାହା ପ୍ରେମ, ସମ୍ମାନ ଓ ପ୍ରକୃତି ସେବାକୁ ଏକତ୍ର କରିଥାଏ। ଏହା ପ୍ରାକୃତିକ ଶୃଙ୍ଗାର ମଧ୍ୟରେ ଏକ ଦୃଢ଼ ସମ୍ପର୍କ ବିକାଶକରି ଲୋକଙ୍କୁ ତାଙ୍କ ପ୍ରିୟ ଲୋକଙ୍କ ସ୍ମୃତି ସହ ନିଜକୁ ଏକତ୍ର କରିବାର ସୁଯୋଗ ଦିଏ। ଗୋଟେ ଗଛ ରୋପଣକଲେ କିଛି ମାସ ଧରି ତାହା ଉପରେ ଦୃଷ୍ଟିରଖିବା ସାଧାରଣ ଘଟଣା। କିନ୍ତୁ ଗୋଟିଏ ସ୍ମୃତି ଆଧାରିତ ଗଛ ଯେତେବେଳେ ତୁମ ସ୍ନେହର […] The post ପ୍ରକୃତିର ଅନୁବନ୍ଧ ସ୍ମୃତିବନ appeared first on Dharitri Odia News.

ପ୍ରକୃତିର ଅନୁବନ୍ଧ ସ୍ମୃତିବନ

ତିବନ ଗୋଟିଏ ସାଧାରଣ ଉଦ୍ୟାନ ନୁହେଁ, ଏହା ହେଉଛି ସ୍ମୃତିର ଉପସ୍ଥାନ, ଯାହା ପ୍ରେମ, ସମ୍ମାନ ଓ ପ୍ରକୃତି ସେବାକୁ ଏକତ୍ର କରିଥାଏ। ଏହା ପ୍ରାକୃତିକ ଶୃଙ୍ଗାର ମଧ୍ୟରେ ଏକ ଦୃଢ଼ ସମ୍ପର୍କ ବିକାଶକରି ଲୋକଙ୍କୁ ତାଙ୍କ ପ୍ରିୟ ଲୋକଙ୍କ ସ୍ମୃତି ସହ ନିଜକୁ ଏକତ୍ର କରିବାର ସୁଯୋଗ ଦିଏ।
ଗୋଟେ ଗଛ ରୋପଣକଲେ କିଛି ମାସ ଧରି ତାହା ଉପରେ ଦୃଷ୍ଟିରଖିବା ସାଧାରଣ ଘଟଣା। କିନ୍ତୁ ଗୋଟିଏ ସ୍ମୃତି ଆଧାରିତ ଗଛ ଯେତେବେଳେ ତୁମ ସ୍ନେହର ଅନୁଭୂତି ଭରି ବଢ଼ିଥାଏ, ତାହା ହୁଏ ଏକ ଜୀବନ ଶିକ୍ଷା। ସ୍ମୃତିବନ, ଭୁବନେଶ୍ୱରର ଏକ ଅଦ୍ଭୁତ ପ୍ରୟାସ ଯେଉଁଠାରେ ଲୋକେ ତାଙ୍କ ଜୀବନର ଗଭୀର ସ୍ମୃତିକୁ ଗଛ ରୂପେ ରୋପଣ କରନ୍ତି। ଏହା କେବଳ ଗଛ ଲଗାଯାଇଥିବା ଏକ ଜାଗା ନୁହେଁ, ଏହା ହେଉଛି ଅନେକ ସ୍ମୃତି, ଆଭାସ ଓ ସମ୍ବେଦନାର ଜୀବନ୍ତ ପ୍ରତୀକ। ଏକ ନୀରବ ଜଙ୍ଗଲ ମଧ୍ୟରେ ଯେଉଁଠି ଲୋକମାନେ ନିଜ ଅନୁଭୂତି ଆଖିର ଅଖରେ ଲେଖି ଦିଅନ୍ତି ଗଛର ଛାୟା ତଳେ ଅକ୍ଷୟ ସ୍ମୃତି, ଏହି ସ୍ମୃତିବନ ତାହାର ଜୀବନ୍ତ ଉଦାହରଣ। ମନୁଷ୍ୟ ତାଙ୍କ ପ୍ରିୟଜନଙ୍କୁ ସ୍ମୃତି ଭିତରେ ଅବିରତ ରଖିପାରିବେ ଗଛ ଲଗାଇ। ଜନ୍ମଦିନ, ବିବାହ ବାର୍ଷିକୀ, ବିଦାୟ, ବିଶେଷ ସ୍ମୃତି ଓ ସମ୍ବେଦନା ଅବସରରେ ଲୋକେ ଏଠି ଗଛ ରୋପଣ କରନ୍ତି।
ପ୍ରତ୍ୟେକ ଗଛ ତଳେ ଏକ ନାମ, ଏକ ତାରିଖ ଏବଂ ଏକ ଦୃଢ଼ ସମ୍ପର୍କ ଅଛି ,ଯାହା ପରିବାର, ମୈତ୍ରୀ, ପ୍ରେମ ବା ଅନୁଶ୍ରଦ୍ଧାର ଅଭିବ୍ୟକ୍ତି। ସ୍ମୃତିବନ କେବଳ ପରିବେଶ ସୁରକ୍ଷା ପାଇଁ ଏକ ଉଦ୍ୟମ ନୁହେଁ, ଏହା ହେଉଛି ଏକ ସଂସ୍କୃତି ଯେଉଁଥିରେ ମନୁଷ୍ୟ ପ୍ରେମ, ବିରହ ଓ ଦାୟିତ୍ୱର ଦୈନନ୍ଦିନ ଅନୁଭୂତିକୁ ପ୍ରକୃତି ମା’ଙ୍କ ପାଖରେ ଅର୍ପଣ କରନ୍ତି। ଗଛମାନେ କେବଳ ଚେର, ପତ୍ର, ଫୁଲ, ଡାଳ ଓ ଫଳରେ ସମୃଦ୍ଧ ନୁହେଁ , ଏହା ଅତୁଟ ଇଚ୍ଛାଶକ୍ତି, ଭାଗ୍ୟର ଅନ୍ତର୍ଗତ ସଂଘର୍ଷ ଏବଂ ସ୍ନେହ ଓ ବିରହର ଏକ ଆତ୍ମୀୟ ଭାଷା। ଯେଉଁପରି ଏକ ଦୀର୍ଘ ଚିଠି ପଢ଼ିବା ବେଳେ ହୃଦୟ ଭିଜିଯାଏ, ସେପରି ଏଠି ଥିବା ପ୍ରତ୍ୟେକ ଗଛ ଏକ ଅଦୃଶ୍ୟ ଉପନ୍ୟାସର ଅଧ୍ୟାୟ।
ସ୍ମୃତି ଏକ ମାନବ ଚେତନାର ଅବିନାଶୀ ଅଂଶ, ଯାହା ଜୀବନର ସାରଗର୍ଭ ଅନୁଭୂତିକୁ ଆଜି ଓ କାଲି ସହ ଜଡ଼ିତ ରଖେ। ଏହି ମୂଲ୍ୟବାନ୍‌ ଅନୁଭୂତିକୁ ଅମର କରିବା ଏବଂ ନିଜ ପ୍ରିୟଜନଙ୍କୁ ସ୍ମରଣକରିବା ଦୃଢ଼ ଉଦ୍ଦେଶ୍ୟରେ ୨୦୧୦ରେ ଓଡ଼ିଶା ସରକାର ଓ ବନ ବିଭାଗ ଏକ ସବୁଜ ପ୍ରୟାସ ଆରମ୍ଭ କରିଥିଲେ, ଯାହାର ଅଂଶ ସ୍ବରୂପ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ସ୍ମୃତିରେ ଚାରା ରୋପଣ କରିପାରିବେ। ଏଥିପାଇଁ ସହର ଉପକଣ୍ଠରେ ୭୫ ଏକର କ୍ଷେତ୍ର ନିର୍ଣ୍ଣୟ କରାଯାଇଥିଲା। ସ୍ମାରକୀ ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ସହ ବନ ବିଭାଗ ସେହି ଜମିରେ ଏକ ସୁନ୍ଦର ଉଦ୍ଭିଦ ଉଦ୍ୟାନ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ। ଏହାକୁ ଦୁଇଟି ଭାଗ କରାଯାଇଛି- ସ୍ମୃତି ବାଟିକା ଓ ଶ୍ରଦ୍ଧା ବାଟିକା । ଜଣେ ବ୍ୟକ୍ତି ନିଜର ପରଲୋକଗତ ପ୍ରିୟଜନଙ୍କ ସ୍ମୃତିରେ ସ୍ମୃତି ବାଟିକାରେ ଗଛ ଲଗାଇପାରିବେ। ସେହିଭଳି ନିଜର କୌଣସି ସ୍ମରଣୀୟ ଦିନକୁ (ଯଥା ନିଜର ବା ପ୍ରିୟଜନଙ୍କ ଜନ୍ମଦିନ, ବିବାହ ବାର୍ଷିକୀ, କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ବା ସେହିଭଳି କୌଣସି ସ୍ମରଣୀୟ ଦିନ) ଅଧିକ ସ୍ମରଣୀୟ କରିବା ପାଇଁ ଶ୍ରଦ୍ଧା ବାଟିକାରେ ଗଛ ଲଗାଇପାରିବେ।
ସ୍ମୃତିବନରେ ଆପଣ ନିଜ ମନଇଚ୍ଛା ଯେ କୌଣସି ଗଛ ଲଗାଇପାରିବେ ନାହିଁ। ବନର ସୌନ୍ଦର୍ଯ୍ୟ ରକ୍ଷା ତଥା ସନ୍ତୁଳନ ଓ ସମତା ରକ୍ଷା ପାଇଁ ମାତ୍ର ୪ଟି ଗଛ ଲଗାଇବାର ବ୍ୟବସ୍ଥା ରହିଛି- ଅଶୋକ, ନିମ୍ବ, ରକ୍ତଚନ୍ଦନ ଏବଂ ବଉଳ। ସ୍ମୃତିବନ ମଧ୍ୟରେ ୧୧୫୦ଟି ଗଛ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଯାବତ୍‌ ୫୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଛି। ଯଦି ଆପଣ ସତରେ ନିଜର ପ୍ରିୟଜନଙ୍କ ସ୍ମୃତିକୁ ଏଭଳି ଅଭିନବ ଢଙ୍ଗରେ ସ୍ମରଣୀୟ କରି ରଖିବାକୁ ଚାହୁଁଛନ୍ତି, ସ୍ଥାନ ପୂରଣ ହେବା ପୂର୍ବରୁ ଯଥାଶୀଘ୍ର ଯାଇ ସ୍ମୃତିବନରେ ଚାରାଟିଏ ରୋପଣ କରିପାରନ୍ତି।
ସମୟ ସହ ଏହି ସ୍ଥାନଟି ଏକ ସୁନ୍ଦର ଭୂଦୃଶ୍ୟ ପାର୍କରେ ରୂପାନ୍ତରିତ ହୋଇଛି। ପ୍ରତ୍ୟେକ ଗଛ ଏଠି ଏକ ଗପ କୁହେ, ଏକ ସ୍ମୃତି ରଖେ ଏବଂ ଏକ ଆଶା ଦିଏ। ”ମୁଁ ଅଛି, ମୁଁ ତୁମକୁ ମନେରଖିଛି। ତୁମେ ହେବ ମୋର ଛାୟା ତଳେ ବଢୁଥିବା ଜୀବନ। ମୋ ପତ୍ରରେ ପ୍ରେମ ଅଛି, ଡାଳିରେ ଦୟା ଓ ମୂଳ ମଧ୍ୟରେ ଅଛି ସ୍ମୃତି।“ସ୍ମୃତିବନ ଆମକୁ ଶିଖାଏ ଯାହା ଚାଲିଯାଏ, ସେ ସଦା ଅନୁପସ୍ଥିତ ନୁହେଁ, ସେ ଏକ ଗଛ ରୂପେ ବଞ୍ଚିପାରେ। ଯେଉଁ ଆଘାତ ତୁମକୁ ଭାଙ୍ଗିଦେଉଛି, ତାହାକୁ ଏକ ନୂଆ ଜୀବନ ମୂଳ ଗଢ଼ିପାରେ।
ଗଛ ଏକ ପ୍ରତୀକ ହେବା ସହ ସେ ଦିନକୁ ଦିନ ବୃଦ୍ଧି ପାଇ ଅନୁଗାମୀ ପିଢ଼ିକୁ ମଧ୍ୟ ସୃଜନଶୀଳ ପରିବେଶ ଦିଏ। ଏହି ପ୍ରକଳ୍ପ ନା କେବଳ ଏକ ସୃଜନାତ୍ମକ ଧାରଣା, ବରଂ ଏହା ଏକ ନୂଆ ସାଂସ୍କୃତିକ ପରିବର୍ତ୍ତନର ଚିହ୍ନ ମଧ୍ୟ। ସ୍ମୃତିବନ ହେଉଛି ଗଛ ରୂପରେ ମନର ଶାନ୍ତି, ମୃତ୍ୟୁରେ ମଧ୍ୟ ଜୀବନ ଖୋଜିବା ଏକ ଶୁଭ ଚେଷ୍ଟା। ଆସନ୍ତୁ, ଆମେ ମଧ୍ୟ ଗଛ ଲଗାଇ ନିଜ ସ୍ନେହ ଓ ଦୟାକୁ ପୃଥିବୀ ସହ ବାଣ୍ଟିବା।
ଗୁରୁଗ୍ରାମ, ମୋ:୭୯୭୮୦୮୨୮୩୪

The post ପ୍ରକୃତିର ଅନୁବନ୍ଧ ସ୍ମୃତିବନ appeared first on Dharitri Odia News.