ପ୍ରଣାମ ମାହାତ୍ମ୍ୟ
ପିତାମହ ଭୀଷ୍ମ ମନଯୋଗ ସହ ଯୁଦ୍ଧ କରୁ ନ ଥିବା ଅଭିଯୋଗ କରି ଦୁର୍ଯ୍ୟୋଧନ ତାଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କଲା ପରେ ପିତାମହ ବଚନ ଦେଇଥିଲେ ଯେ, ସେ ପରଦିନ ଯୁଦ୍ଧରେ ପାଣ୍ଡବମାନଙ୍କ ବିନାଶ କରିବେ। ଏ କଥା ଜାଣିଥିବା ଚତୁର ଶ୍ରୀକୃଷ୍ଣଙ୍କ ପରାମର୍ଶକ୍ରମେ ଦ୍ରୌପଦୀ ସେହି ରାତିରେ ଭୀଷ୍ମଙ୍କୁ ପ୍ରଣାମ କରି ତାଙ୍କଠାରୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପ୍ରାପ୍ତ ହେବା ପରେ ଭୀଷ୍ମ ଜାଣିପାରିଲେ ଯେ, ସେ ଦ୍ରୌପଦୀଙ୍କୁ ଦେଇଥିବା ବଚନ […] The post ପ୍ରଣାମ ମାହାତ୍ମ୍ୟ appeared first on Dharitri Odia News.
ପିତାମହ ଭୀଷ୍ମ ମନଯୋଗ ସହ ଯୁଦ୍ଧ କରୁ ନ ଥିବା ଅଭିଯୋଗ କରି ଦୁର୍ଯ୍ୟୋଧନ ତାଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କଲା ପରେ ପିତାମହ ବଚନ ଦେଇଥିଲେ ଯେ, ସେ ପରଦିନ ଯୁଦ୍ଧରେ ପାଣ୍ଡବମାନଙ୍କ ବିନାଶ କରିବେ। ଏ କଥା ଜାଣିଥିବା ଚତୁର ଶ୍ରୀକୃଷ୍ଣଙ୍କ ପରାମର୍ଶକ୍ରମେ ଦ୍ରୌପଦୀ ସେହି ରାତିରେ ଭୀଷ୍ମଙ୍କୁ ପ୍ରଣାମ କରି ତାଙ୍କଠାରୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପ୍ରାପ୍ତ ହେବା ପରେ ଭୀଷ୍ମ ଜାଣିପାରିଲେ ଯେ, ସେ ଦ୍ରୌପଦୀଙ୍କୁ ଦେଇଥିବା ବଚନ ଯୋଗୁ ଦୁର୍ଯ୍ୟୋଧନଙ୍କୁ ଦେଇଥିବା ବଚନରୁ ବିଚ୍ୟୁତ ହେବାକୁ ବାଧ୍ୟ ହେବେ। ଆଶୀର୍ବାଦ ହାସଲ କରିଥିବା ଦ୍ରୌପଦୀଙ୍କୁ ସେ ରାତିରେ ଶ୍ରୀକୃଷ୍ଣ କହିଥିବା ମହତ୍ତ୍ବପୂର୍ଣ୍ଣ କଥା ଏୟା ଥିଲା ,” ତୁମେ ପିତାମହଙ୍କୁ ପ୍ରଣାମ କରିବା ଭଳି ଏକ ସରଳ କାର୍ଯ୍ୟ କରି ତା’ ବଦଳରେ ତୁମ ସ୍ବାମୀମାନଙ୍କ ପାଇଁ ଜୀବନଦାନର ଅଭୟ ବର ହାସଲ କରିନେଲ। ଯଦି ତୁମେ ସବୁଦିନ ପିତାମହ ଭୀଷ୍ମ, ରାଜା ଧୃତରାଷ୍ଟ୍ର ପ୍ରମୁଖ ଗୁରୁଜନମାନଙ୍କୁ ପ୍ରଣାମ କରିଥାନ୍ତ ଏବଂ ଦୁର୍ଯ୍ୟୋଧନ, ଦୁଃଶାସନ ଆଦିଙ୍କ ପତ୍ନୀମାନେ କୁନ୍ତୀ ଓ ପାଣ୍ଡବମାନଙ୍କୁ ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାନ୍ତେ ତା’ହେଲେ ଆଜିର ଏ ଯୁଦ୍ଧକୁ ଏଡ଼ାଇ ଦିଆଯାଇପାରିଥାନ୍ତା।“
ମହାଭାରତର ଏଇ ସଂକ୍ଷିପ୍ତ ପର୍ବରୁ ଅନ୍ତତଃ ଏଇ କଥାଟି ସ୍ପଷ୍ଟ ହୁଏ ଯେ, ଅନ୍ୟମାନଙ୍କୁ, ଅନ୍ତତଃ ଗୁରୁଜନମାନଙ୍କୁ ପ୍ରଣାମ କରିବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହା ଆଧ୍ୟାତ୍ମିକ ଓ ତାତ୍ତ୍ୱିକ ଦୃଷ୍ଟିକୋଣରୁ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଗୁରୁଜନମାନଙ୍କୁ ପ୍ରଣାମ କଲେ ତାଙ୍କଠାରୁ ମିଳୁଥିବା ଆଶୀର୍ବାଦରେ ଆମ ଜୀବନ ଜିଇବାର ମାର୍ଗ ସୁଗମ ହୋଇଥାଏ। ସେଥତ୍ପାଇଁ ଗୁରୁଜନମାନଙ୍କୁ ପ୍ରଣାମ କଲାବେଳେ ଆମେ ଆମର ମୁଣ୍ଡ ନୁଆଁଇ ଦୁଇ ହାତକୁ ହୃଦୟ ପାଖରେ ସଂଯୁକ୍ତ କରି ଆମର ଶ୍ରଦ୍ଧା ଭକ୍ତି ନିବେଦନ କରୁ ଏବଂ ପ୍ରକାରାନ୍ତରେ ତାଙ୍କଠାରୁ ଆଶୀର୍ବାଦ ହାସଲ କରିନେଉ। ପ୍ରଣାମ କଲାବେଳେ ଏ ପ୍ରକାର ଭାବଭଙ୍ଗୀର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଏୟା ହୋଇପାରେ ଯେ, ଆମେ ନିଜ ମୁଣ୍ଡରେ ଥିବା ସବୁ ଜ୍ଞାନ-ଅଭିମାନକୁ ନୁଆଁଇ, ବାହୁର ସମସ୍ତ ଶକ୍ତିକୁ ନୂ୍ୟନ କରି ଓ ହୃଦୟର ସମସ୍ତ ଆବେଗ ଅହଂକାରକୁ ତ୍ୟାଗକରି ଅନ୍ୟ ଜଣକୁ ଅଭିବାଦନ ଜଣାଉ। ସଂସ୍କୃତ ଭାଷାରେ ଗୁରୁଜନଙ୍କ ଉଦ୍ଦେଶ୍ୟରେ ‘ପ୍ରଣାମ’ ଓ ଅନ୍ୟ ସମସ୍ତଙ୍କ ଉଦ୍ଦେଶ୍ୟରେ ‘ନମସ୍ତେ’ ବା ‘ନମସ୍କାର’ ଶବ୍ଦ ବ୍ୟବହାର କରିବାର ପରମ୍ପରା ଅଛି।
ଆମ ଅହଂକାରରହିତ ଆଭିମୁଖ୍ୟର ଏଇ ଆଙ୍ଗିକ ପ୍ରତିବେଦନ ଆମ ପ୍ରଣାମ-ପରମ୍ପରାର ଏକ ମୁଖ୍ୟ ଚରିତ୍ର। ଏଇ ଭାବ ଓ ବିଚାର ଅନ୍ୟ କୌଣସି ଶୈଳୀରେ ଅଭିବାଦନ ଜଣାଇବା ଦ୍ବାରା ପ୍ରକଟିତ ହେଲାଭଳି ମନେ ହୁଏନାହିଁ। ଆମ ଗୁରୁଜନଙ୍କୁ ‘ଗୁଡ୍ ମର୍ନିଂ’ ଜଣାଇବା ଦ୍ବାରା ସେମାନଙ୍କ ପାଇଁ ସକାଳଟି ଶୁଭଙ୍କର ହେଉ ବୋଲି ଆମେ ହୁଏତ କାମନା କରିପାରୁ, କିନ୍ତୁ ଏହାଦ୍ୱାରା ଆମେ ନିଜର ଅହଂକାର ତ୍ୟାାଗ କରୁଥିବାର ସୂଚନା ନଥାଏ; ସୁତରାଂ ଆଶୀର୍ବାଦ ଦେବାନେବାର ଅବକାଶ ମଧ୍ୟ ନଥାଏ। କାହାକୁ ପ୍ରଣାମ ବା ନମସ୍କାର କରିଦେଲେ ନିଜର ଅହଂକାର କ୍ଷୁଣ୍ଣ ହେଲାଭଳି ବା ମର୍ଯ୍ୟାଦା ହାନି ହେଲାଭଳି ଅନେକେ ଅନୁଭବ କରନ୍ତି। ସେଥିପାଇଁ ସମ୍ମୁଖରେ ଆମଠାରୁ ସମ୍ମାନ ପାଇବାର ଯୋଗ୍ୟ ବ୍ୟକ୍ତି ଥିଲେ ମଧ୍ୟ ଆମେ ତାଙ୍କୁ ନମସ୍କାର ଜଣାଇବାକୁ କୁଣ୍ଠିତ ହୋଇ ‘ଗୁଡ୍ ମର୍ନିଂ’, ‘ଗୁଡ୍ ଇଭିନିଂ’ ଇତ୍ୟାଦି କହି ବା କୌଣସି ଦେବଦେବୀଙ୍କ ନଁାରେ ଜୟଜୟକାର କରି ତାଙ୍କୁ ଅଭିବାଦନ ଜଣାଉ। ଦେବଦେବୀଙ୍କ ଜୟଜୟକାର କରି ଆମେ ହୁଏତ ସେହି ଦେବଦେବୀଙ୍କ ପ୍ରତି ଆମର ଶ୍ରଦ୍ଧା, ଭକ୍ତି ଜ୍ଞାପନ କରୁଛେ, କିନ୍ତୁ ସମ୍ମୁଖରେ ଥିବା ବ୍ୟକ୍ତି ପ୍ରତି ଆମର ସମ୍ମାନ ଜଣାଇଲେ କୋଉଠି? ଶାସ୍ତ୍ରରେ ମଧ୍ୟ ‘ନମସ୍ତେ’, ‘ନମସ୍ତୁତଂ’, ’ନମସ୍କାରଂ’ ଇତ୍ୟାଦି ଶବ୍ଦରେ ଗୁରୁଜନମାନଙ୍କୁ ସମ୍ମାନ ଜଣାଇବାର ଦୃଷ୍ଟାନ୍ତ ଅଛି। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ସ୍ତୁତି ଛଳରେ ଅର୍ଜୁନ ସହସ୍ର ବାର ନମସ୍କାର କରୁଥିବାର ଉଲ୍ଲେଖ ଅଛି। ନମସ୍କାରର ମାହାତ୍ମ୍ୟ ବୁଝାଇବାକୁ ଆଉ ପାଦେ ଆଗକୁ ଯାଇ ଅନେକେ ଏକଥା ମଧ୍ୟ କୁହନ୍ତି ଯେ, କାହାକୁ ନମସ୍କାର କଲାବେଳେ ତାଙ୍କ ଭିତରେ ନିତ୍ୟ ବିରାଜମାନ ଈଶ୍ବରଙ୍କୁ ହିଁ ଆମେ ପ୍ରକୃତରେ ନମସ୍କାର କରିଥାଉ। ଦୁଇ ହାତକୁ ସଂଯୁକ୍ତ କରି ରଖିବା ଆମ ଯୋଗମୁଦ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହାର ଅନେକ ସକାରାତ୍ମକ ସ୍ନାୟବିକ ପ୍ରଭାବ ଅଛି ବୋଲି ମଧ୍ୟ ବିଜ୍ଞାନ କହେ।
ବିଡ଼ମ୍ବନାର କଥା ଏୟା ଯେ ବୈଜ୍ଞାନିକ, ଆଧ୍ୟାତ୍ମିକ ଓ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଆମର ପ୍ରଣାମ ପରମ୍ପରାକୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଆଦୃତି ମିଳୁଥିବାବେଳେ ଆମ ଭିତରୁ ଅଧିକାଂଶ ଆମ ନିଜର ସମୃଦ୍ଧ ପରମ୍ପରାରୁ ବିଚ୍ୟୁତ ହୋଇଚାଲିଛେ। ଏଇ କଥାଟି ବର୍ତ୍ତମାନ ତଥା ଆମ ଉତ୍ତର ପିଢ଼ିକୁ ଆମେ ବୁଝାଇଦେବା ଆବଶ୍ୟକ, ନଚେତ ଆମ ସଂସ୍କୃତି ପରମ୍ପରାର ଏଇ ସୁନ୍ଦର ବିଭବଟି ସମ୍ପୂର୍ଣ୍ଣ ଲୋପ ପାଇଯିବାକୁ ଆଉ ବେଶିଦିନ ଲାଗିବନି।
ନମସ୍କାର ସମ୍ପର୍କିତ ଏମିତି ଏକ ଅନର୍ଗଳ ଭାଷଣ ଶୁଣେଇସାରି ଚା’ ଆଣିବା ପାଇଁ ବନ୍ଧୁ ତାଙ୍କ ଝିଅକୁ ପାଟିକରି ଡାକିଲେ। କିଛି ସମୟ ପରେ ଚା’ ଧରି ଆସି ଝିଅ ମତେ ‘ଗୁଡ୍ ଇଭିନିଂ’ ଜଣାଇବାରୁ କ୍ଷୁବ୍ଧ ହୋଇ ବନ୍ଧୁ ତାକୁ ଇସାରା କଲେ ମତେ ପାଦ ଛୁଇଁ ପ୍ରଣାମ କରିବାକୁ। ସୁନା ପିଲାଟେ ପରି ସେ କିଛି ଦୂରରେ ଥାଇ ଟିକେ ନଇଁପଡ଼ି ମୋ ଗୋଡ଼ ଆଡକୁ ତା’ ବାଆଁ ହାତ ବଢ଼େଇ ଦେଇ ଆଉ ଥରେ ‘ଗୁଡ୍ ଇଭିନିଂ’ କହି ଫେରିଗଲା। ମୋ ଭିତରୁ ସ୍ବତଃ ବାହାରି ଆସୁଥିବା ‘ଭେରି ଗୁଡ୍ ଇଭନିଂ’ କୁ ଅଟକେଇଦେଇ ’କଲ୍ୟାଣମସ୍ତୁ’ କହିଲାବେଳେ ବନ୍ଧୁଙ୍କ ମୁହଁ ଲଜ୍ଜାରେ ଲାଲ୍ ପଡ଼ିଯାଇଥିଲା।
ଅଧ୍ୟାପକ, ଇଂରାଜୀ ବିଭାଗ, ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮
The post ପ୍ରଣାମ ମାହାତ୍ମ୍ୟ appeared first on Dharitri Odia News.