ପ୍ରତିଶ୍ରୁତି ମିଳିଲା, ଧାରଣା ଉଠିଲା

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ଉଠାଣକୁ ଦେଢ଼ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନବିକ୍ରିରେ ଜିଲାର ଚାଷୀମାନେ ନାନା ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି। କଟନୀଛଟନୀ, ମିଲର୍ସଙ୍କ ଟ୍ୟାଗ ନ ଥିବା ଆଦି ଆଳ ଦେଖାଇ ବିଭିନ୍ନ ମଣ୍ଡିରୁ ଧାନ ଉଠାଯାଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗତମାସ ୨୭ତାରିଖରୁ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ମଣ୍ଡିଗୁଡ଼ିକରୁ ଧାନ […] The post ପ୍ରତିଶ୍ରୁତି ମିଳିଲା, ଧାରଣା ଉଠିଲା appeared first on Dharitri Odia News.

ପ୍ରତିଶ୍ରୁତି ମିଳିଲା, ଧାରଣା ଉଠିଲା

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ଉଠାଣକୁ ଦେଢ଼ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନବିକ୍ରିରେ ଜିଲାର ଚାଷୀମାନେ ନାନା ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି। କଟନୀଛଟନୀ, ମିଲର୍ସଙ୍କ ଟ୍ୟାଗ ନ ଥିବା ଆଦି ଆଳ ଦେଖାଇ ବିଭିନ୍ନ ମଣ୍ଡିରୁ ଧାନ ଉଠାଯାଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗତମାସ ୨୭ତାରିଖରୁ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ମଣ୍ଡିଗୁଡ଼ିକରୁ ଧାନ ଉଠାଣ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ। ଏହି କ୍ରମରେ ଧାରଣା ଜାରି ରହିଥିଲା ଏବଂ ଏଥିରେ ବିଭିନ୍ନ ଦିବସରେ ଜିଲାର ପୃଥକ ଅଞ୍ଚଳର ଚାଷୀମାନେ ସାମିଲ ହୋଇଥିଲେ। ତେବେ ଶୁକ୍ରବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ବିଭାଗୀୟ ଅଧିକାରୀ ବ୍ୟୋମକେଶ ମାଝୀ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚତ୍ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ମଣ୍ଡିରେ ପଡ଼ି ରହିଥିବା ସବୁଧାନ ଉଠାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ପ୍ରତିଶ୍ରୁତି ପରେ ଧାରଣାକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ଏବଂ ଏହି ଅବଧି ମଧ୍ୟରେ ମଣ୍ଡିରେ ପଡ଼ିଥିବା ସବୁଧାନ ଉଠା ନ ଗଲେ ପୁଣି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଚେତାବନୀ ଦେଇଛି।
ଶୁକ୍ରବାର ଧାରଣାରେ କୁମ୍ଭାରୀ ଅଞ୍ଚଳର ଚାଷୀ ପ୍ରତିନିଧି ଭୁବନେଶ୍ୱର ପ୍ରଧାନ, ତୁଲଣ୍ଡି ଅଞ୍ଚଳର ବନବାସ ପ୍ରଧାନ, ରେଶମ ଅଞ୍ଚଳର ସୁଦାମ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଯୁକ୍ତ କୃଷକ ସଙ୍ଗଠନର ରମେଶ ମହାପାତ୍ର, ଉପତ୍ନ୍ନ ଭୋଇ, ବିକାଶ ମାଝୀ, ସୁରେଶ ନେକାଣ୍ଟି, ରବିଶଙ୍କର ପ୍ରଧାନ, ଲୋକେଶ ପ୍ରଧାନ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ, ପାଇକମାଳର ଅରକ୍ଷିତ ପ୍ରଧାନ, ରାଜେଶ ସାହୁ, ଦୟାସାଗର ସାହୁ, ପ୍ରୀତିଚନ୍ଦ୍ର ସାହୁ ପ୍ରମୁଖ ଧାରଣାକୁ ସମର୍ଥନ ଜଣାଇଥିଲେ।

The post ପ୍ରତିଶ୍ରୁତି ମିଳିଲା, ଧାରଣା ଉଠିଲା appeared first on Dharitri Odia News.