ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍‌ ଗୋପୀନାଥ ଦାଶ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କୁଶଡିହ ଗାଁରେ ମୋ ଜନ୍ମ। ଘରର ବଡ଼ ପୁଅ ହୋଇଥିବାରୁ ବହୁତ ଗେହ୍ଲାରେ ବଢୁଥିଲି। ହେଲେ ୧୯୮୫ ମସିହାରେ ହଠାତ୍‌ ସବୁକିଛି ବଦଳିଗଲା। ମୋ ନାବାଳକ ମଥାରେ ସମଗ୍ର ସଂସାରର ବୋଝ ଲଦି ଦେଇ ମୋର ପାଲାଗାୟକ ପିତା ଭିକାରିଚରଣ ଦାଶ ଅକାଳରେ ଚାଲିଗଲେ ଆରପାରିକୁ। ପିତାଙ୍କର ମହାପ୍ରୟାଣ ବେଳକୁ ଆମର ବାଇଶମାଣ ଜମି ଓ ସାତପୁରୁଷର ଘର ବିକ୍ରି ସରିଥିଲା। ମୁଁ ସେତେବେଳକୁ ଆଇ.ଏ ଶ୍ରେଣୀର ଶେଷବର୍ଷର […] The post ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍‌ ଗୋପୀନାଥ ଦାଶ appeared first on Dharitri Odia News.

ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍‌ ଗୋପୀନାଥ ଦାଶ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କୁଶଡିହ ଗାଁରେ ମୋ ଜନ୍ମ। ଘରର ବଡ଼ ପୁଅ ହୋଇଥିବାରୁ ବହୁତ ଗେହ୍ଲାରେ ବଢୁଥିଲି। ହେଲେ ୧୯୮୫ ମସିହାରେ ହଠାତ୍‌ ସବୁକିଛି ବଦଳିଗଲା। ମୋ ନାବାଳକ ମଥାରେ ସମଗ୍ର ସଂସାରର ବୋଝ ଲଦି ଦେଇ ମୋର ପାଲାଗାୟକ ପିତା ଭିକାରିଚରଣ ଦାଶ ଅକାଳରେ ଚାଲିଗଲେ ଆରପାରିକୁ। ପିତାଙ୍କର ମହାପ୍ରୟାଣ ବେଳକୁ ଆମର ବାଇଶମାଣ ଜମି ଓ ସାତପୁରୁଷର ଘର ବିକ୍ରି ସରିଥିଲା। ମୁଁ ସେତେବେଳକୁ ଆଇ.ଏ ଶ୍ରେଣୀର ଶେଷବର୍ଷର ଛାତ୍ର। ଘରର ବଡ଼ ପୁଅ ଭାବରେ ଗୋଟେ ଚିଙ୍ଗୁଡ଼ି ମାଛର କୁଟୁମ୍ବ ପାଳିବା ଦାୟିତ୍ୱ ମୋ ଉପରେ ପଡିଲା। ମୋ ତଳେ ତିନି ଭାଇ, ଦୁଇ ଭଉଣୀ। ସେମାନେ ବଢିବେ, ପଢିବେ। ସେମାନଙ୍କ ଅଳିଅର୍ଦ୍ଦଳି, ମାନ ଅଭିମାନ ସାଙ୍ଗକୁ ନିଆଶ୍ରୀ ବିଧବା ବୋଉର ଲୁହ ଡବଡବ ଆଖିର ଅସହାୟତା ମୋତେ ଅଥୟ କଲା। କଅଁଳ ବୟସରେ ମୋତେ ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡିଲା। କେବେ ମୂଲିଆ ଭାବରେ ୧୫ ଟଙ୍କା ପାଇଁ ଖଟିଛି ତ କେବେ ଛୋଟଛୋଟ ପିଲାଙ୍କୁ ପାଠ ପଢେଇ କିଛି ଅର୍ଥ ରୋଜଗାର କରିଛି। ତାଳିପକା ପ୍ୟାଣ୍ଟସାର୍ଟ ଓ ଛିଣ୍ଡାଚପଲରେ ଅନେକ ଦିନ ବିତିଛି। ମୋର ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା। ଦୁଇଟି ପିଲାଙ୍କୁ ଟ୍ୟୁଶନ କରିଥିବାରୁ ଏହା ଥିଲା ମୋର ପ୍ରଥମ ମାସର ପାରିଶ୍ରମିକ; ଯେଉଁଥିରେ ଚାଉଳ, ପରିବା କିଣି ଘରକୁ ଆଣିଥିଲି। ସମୟକ୍ରମେ ମୁଁ ଶିକ୍ଷକତା ତାଲିମ୍‌ ନେଲି। ଆଉ ଏବେ ଶିକ୍ଷକ ଭାବରେ କିଛି ପାରିଶ୍ରମିକ ପାଉଛି। ହେଲେ ସେଇ ପ୍ରଥମ ରୋଜଗାରର ଅପାସୋରା ସ୍ମୃତି ବେଳେବେଳେ ମୋ ଆଖିରେ ଲୁହ ଭରିଦିଏ। ଶିକ୍ଷକତା ବ୍ୟତିତ କବିତା, ଗପ ଲେଖିବାର ଝୁଙ୍କ୍‌ ଥିଲା ବୋଲି ୟା’ ଭିତରେ ‘ଦୁଃଖ ଅପ୍ରମିତ’, ‘ମାଟିର ମୋହ’ ଶୀର୍ଷକ କବିତା ପୁସ୍ତକ ‘ନିଷିଦ୍ଧାଞ୍ଚଳ’, ଅବସନ୍ନ ଅପରାହ୍‌ଣ’, ‘ଅସରନ୍ତି ଅଶ୍ରୁଧାରା’ ଶୀର୍ଷକ ଗଳ୍ପ ପୁସ୍ତକ ଏବଂ ‘ସ୍ମୃତିସିକ୍ତ ସୋଲରି’ ଶୀର୍ଷକ ପ୍ରବନ୍ଧ ପୁସ୍ତକ ମୋର ପ୍ରକାଶ ପାଇସାରିଛି। ସେହିପରି ମୋର କେତେକ କବିତା ଆକାଶବାଣୀ କଟକ କେନ୍ଦ୍ରରେ ମଧ୍ୟ ପ୍ରସାରିତ ହୋଇଛି। ତା’ସହିତ ‘ସପ୍ତଫେଣୀ’ ନାମକ ଏକ ସାହିତ୍ୟ ପ୍ରତିକାର ସମ୍ପାଦକ ଦାୟିତ୍ୱ ମଧ୍ୟ ମୁଁ ତୁଲାଉଅଛି। ହେଲେ ଏବେ ମଧ୍ୟ ଯେଉଁ କଥାଟି ମୋ ସ୍ମୃତିରେ ଜୀବନ୍ତ ହୋଇ ରହିଛି, ସେ କଥାଟିକୁ ଏଠାରେ ପ୍ରକାଶ ନ କଲେ ମୁଁ କୃତଘ୍ନ ହୋଇଯିବି। ନୂଆ ନୂଆ ଗପ ଲେଖୁଥିବା ମୋ ଭଳି ଏକ ଅର୍ବାଚୀନ ତରୁଣର ଲେଖା ଯେତେବେଳେ କେହି ପ୍ରକାଶ କରୁ ନଥିଲେ, ସେତେବେଳେ ମୋ ଗପ ‘ଦୀପଜଳୁଛି’ ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା ଏବଂ ଡାକ ଯୋଗେ ତା’ର ଲେଖକୀୟ ପ୍ରତିଲିପି ପାଇଥିଲି। ସେ ମୁହୂର୍ତ୍ତର ଆନନ୍ଦ ସତରେ ଅବର୍ଣ୍ଣନୀୟ।

The post ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍‌ ଗୋପୀନାଥ ଦାଶ appeared first on Dharitri Odia News.