ପ୍ରଭାବ ଦେଖାଇବାକୁ ଆଶାୟୀଙ୍କ କସରତ

ଅମରପାଲି,୨୩ା୩ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀମାନେ ଦଳୀୟ ଟିକେଟ ପାଇଁ କସରତ ଆରମ୍ଭ କଲେଣି। ନିଜ ଢଙ୍ଗରେ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ନିଜ ଅଞ୍ଚଳରେ ଥିବା ପ୍ରଭାବ ଦେଖାଇବାରେ ଏମାନେ ବ୍ୟସ୍ତ। ବିଜେଡି-ଭାଜପା ମେଣ୍ଟ ଆଶା ମଉଳିବାର ସଙ୍କେତ ମିଳିବା ପରେ ଏବେ ସବୁ ଦଳରେ ପ୍ରାର୍ଥୀ ଚୟନ ଲାଗି ଉତ୍ସୁକତା ବଢ଼ି ଯାଇଥିବା ଲକ୍ଷ୍ୟ କରାଯାଉଛି। ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକ ଏବଂ ବିନିକା ଏନ୍‌ଏସିକୁ ନେଇ […] The post ପ୍ରଭାବ ଦେଖାଇବାକୁ ଆଶାୟୀଙ୍କ କସରତ appeared first on Dharitri Odia News.

ପ୍ରଭାବ ଦେଖାଇବାକୁ ଆଶାୟୀଙ୍କ କସରତ

ଅମରପାଲି,୨୩ା୩ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀମାନେ ଦଳୀୟ ଟିକେଟ ପାଇଁ କସରତ ଆରମ୍ଭ କଲେଣି। ନିଜ ଢଙ୍ଗରେ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ନିଜ ଅଞ୍ଚଳରେ ଥିବା ପ୍ରଭାବ ଦେଖାଇବାରେ ଏମାନେ ବ୍ୟସ୍ତ। ବିଜେଡି-ଭାଜପା ମେଣ୍ଟ ଆଶା ମଉଳିବାର ସଙ୍କେତ ମିଳିବା ପରେ ଏବେ ସବୁ ଦଳରେ ପ୍ରାର୍ଥୀ ଚୟନ ଲାଗି ଉତ୍ସୁକତା ବଢ଼ି ଯାଇଥିବା ଲକ୍ଷ୍ୟ କରାଯାଉଛି।
ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକ ଏବଂ ବିନିକା ଏନ୍‌ଏସିକୁ ନେଇ ଗଠିତ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ଏହା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ କେବଳ ବିନିକା ଏନ୍‌ଏସି ଥିବା ବେଳେ ଏବେ ବୀରମହାରାଜପୁର ସମେତ ଉଲୁଣ୍ଡା ଓ ସୁବଳୟାକୁ ମଧ୍ୟ ଏନ୍‌ଏସି ଘୋଷଣା କରାଯାଇଛି। ଏହିସବୁ ଦୃଷ୍ଟିରୁ ଏବେ ଏଠାକାର ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଛି। ବୀରମହାରାଜପୁର ବିଧାନସଭା କ୍ଷେତ୍ର ବିଜେଡିର ଗଡ଼ ବୋଲି କୁହାଯାଏ। ଏଠାରୁ ବିଜେଡି କ୍ରମାଗତ ୨୪ ବର୍ଷ ଧରି ଜିତି ନିଜର ସ୍ଥିତି ଜାହିର କରିଛି। ପଦ୍ମନାଭ ବେହେରା କ୍ରମାଗତ ତିନି ଥର ଏଠାରୁ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ମଧ୍ୟ ସେ ଦଳୀୟ ଟିକେଟ ପାଇଁ ଆଶାୟୀ ଅଛନ୍ତି। ତେବେ ବିଗତ ନିର୍ବାଚନଗୁଡ଼ିକରେ ପଦ୍ମନାଭଙ୍କ ଏକାନ୍ତ ଅନୁଗତ ଥିବା ବର୍ତ୍ତମାନର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ଯୁବ ବିଜେଡି ସଭାପତି ନାରାୟଣ ଲୁହା ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଛନ୍ତି। ସେ ଗାଁ ଗାଁ ବୁଲି ସଙ୍ଗଠନ କରିବା ସହ ବିଭିନ୍ନ ସମୟରେ ସମାବେଶ ଓ ରାଜନୈତିକ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ବିଜେଡିରେ ପଦ୍ମନାଭ ଓ ନାରାୟଣ ପ୍ରମୁଖ ଦାବିଦାର ରହିଛନ୍ତି। ଯଦି ମହିଳାଙ୍କୁ ପ୍ରାର୍ଥୀ କରାଯାଏ, ତେବେ ଏହି ଦୌଡ଼ରେ ବିଧାୟକ ପଦ୍ମନାଭ ବେହେରାଙ୍କ ଧର୍ମ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା ଓ ବର୍ତ୍ତମାନର ଜଟେସିଂହା ସମିତି ସଭ୍ୟା ରଶ୍ମିତା ପାଣ୍ଡେଙ୍କ ନାମ ଚର୍ଚ୍ଚାରେ ରହିଛି। ଏହା ସହିତ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ତଥା ନାରାୟଣ ଲୁହାଙ୍କ ଧର୍ମ ପତ୍ନୀ ଶାନ୍ତି ଲୁହା ମଧ୍ୟ ଟିକେଟ ଦୌଡ଼ରେ ରହିଛନ୍ତି।
ଅନୁରୂପଭାବେ ଭାଜପାରେ ମଧ୍ୟ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ରଘୁନାଥ ଜଗଦଲା। ଚଳିତ ଥର ସେ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କ ସହ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ୨୦୧୪ ନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ଆନନ୍ଦ ବାରିକଙ୍କ ନାମ ଟିକେଟ ଦୌଡ଼ରେ ରହିଛି। ଉଭୟେ ବିଭିନ୍ନ ଗ୍ରାମକୁ ଯାଇ ସଙ୍ଗଠନ କରିବା ସହିତ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଥିବା ଦେଖିବାକୁ ମିଳୁଛି। ଏହା ସହିତ ଆରଏସ୍‌ଏସ୍‌ର ସକ୍ରିୟ ସଦସ୍ୟ ଥିବା ମହେନ୍ଦ୍ର ମହାଲିକ ମଧ୍ୟ ଆଶାୟୀ ଥିବା ଜଣାପଡ଼ିଛି। ସେ କିଛି ଦିନ ପୂର୍ବେ ଶିକ୍ଷକ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଭିନ୍ନ ସଙ୍ଗଠନ ଓ ସାଧାରଣ ଲୋକଙ୍କ ସହିତ ମିଶୁଥିବା ଦେଖିବାକୁ ମିଳୁଛି। ଏମାନଙ୍କ ବ୍ୟତୀତ ଇଂ. ଆଶ୍ରୟ ମହାନନ୍ଦ, ବଳରାମ ସୁନା, ପ୍ରଶାନ୍ତ ଦଣ୍ଡସେନା, ଇଂ. ବାବୁଲୁ ବିଶି ମଧ୍ୟ ଭାଜପା ଟିକେଟ ପାଇଁ ଆଶାୟୀ ଥିବା ଜଣାପଡ଼ିଛି। ଏଇ ନିକଟରେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିବା ଋଷି ପଟେଲ ମଧ୍ୟ ପ୍ରାର୍ଥୀ ଦୌଡ଼ରେ ଥିବା ଆଲୋଚନା ହେଉଛି।
ଏହି ଦୁଇ ଦଳ ସହିତ କଂଗ୍ରେସ ଦଳରେ ମଧ୍ୟ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ସୋନପୁରର ପୂର୍ବତନ ବିଧାୟକ ତଥା ୨୦୦୯ ଓ ୨୦୧୯ରେ ବୀରମହାରାଜପୁର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ବିନୋଦ ପାତ୍ର ଆଶାୟୀ ରହିଛନ୍ତି। କଂଗ୍ରେସ ଏସ୍‌ସି ସେଲ୍‌ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ ଓ ଭୋଳାନାଥ ସାଗର ମଧ୍ୟ ଟିକେଟ ଲବିରେ ଧାଇଁଛନ୍ତି। ତେବେ ତିନି ପ୍ରମୁଖ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବା ବେଳେ କେଉଁ ଦଳ କାହାକୁ ଭରସା କରି ପ୍ରାର୍ଥୀ କରିବ ସେନେଇ ସମସ୍ତଙ୍କ ନଜର ରହିଛି।

The post ପ୍ରଭାବ ଦେଖାଇବାକୁ ଆଶାୟୀଙ୍କ କସରତ appeared first on Dharitri Odia News.