ପ୍ରାଇଭେଟ୍‌ ଜେଟ୍‌ରେ ବୁଲିଲେ ସିଦ୍ଧରମୟା, କଟାକ୍ଷ କଲା ବଜେପି

ପାର୍ଟି ବୁଲି ବୁଲି ଚାନ୍ଦା ମାଗୁଥିବା ବେଳେ କଂଗ୍ରେସ ନେତାମାନେ ଲଗ୍‌ଜୁରୀ ପ୍ରାଇଭେଟ୍‌ ଜେଟ୍‌ରେ ବୁଲୁଛନ୍ତି ବୋଲି କହି ବିଜେପି କଟାକ୍ଷ କରିଛି। 

ପ୍ରାଇଭେଟ୍‌ ଜେଟ୍‌ରେ ବୁଲିଲେ ସିଦ୍ଧରମୟା, କଟାକ୍ଷ କଲା ବଜେପି

ସାରା ରାଜ୍ୟରେ କୃଷକମାନେ ମରୁଡ଼ିରେ ଚଟପଟ ହେଉଛନ୍ତି। ଏହାରି ଭିତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ନିଜର ଲଗ୍‌ଜୁରୀ ପ୍ରାଇଭେଟ୍‌ ଜେଟ୍‌ରେ ବୁଲିଛନ୍ତି। କେବଳ ସେତିକି ନୁହେଁ ତାଙ୍କ କ୍ୟାବିନେଟର ସହକର୍ମୀ ବି.ଜେ ଜମିର ଅହମ୍ମଦ ଖାନ ମଧ୍ୟ ତାଙ୍କ ସହ ଭିଡିଓରେ ନଜର ଆସିଛନ୍ତି। ଏହାକୁ ନେଇ ଏବେ ରାଜନୀତୀ ଜୋର ଧରିଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି-କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁ ତୁ ମେଁ ମେଁ। ପାର୍ଟି ବୁଲି ବୁଲି ଚାନ୍ଦା ମାଗୁଥିବା ବେଳେ କଂଗ୍ରେସ ନେତାମାନେ ଲଗ୍‌ଜୁରୀ ପ୍ରାଇଭେଟ୍‌ ଜେଟ୍‌ରେ ବୁଲୁଛନ୍ତି ବୋଲି ବିଜେପି କଟାକ୍ଷ କରିଛି। 

ବିଜେପି ନେତା ଅମିତ ମାଲଭିୟ କର୍ଣ୍ଣାଟକ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, 'ଗୋଟିଏ ପଟେ କଂଗ୍ରେସ କ୍ରାଉଡଫଣ୍ଡିଂ ନାଁରେ ନାଟକ କରୁଥିବା ବେଳେ ଇଣ୍ଡିଆ ମେଣ୍ଟ ବୈଠକରେ ସିଙ୍ଗଡାଟିଏ ମଧ୍ୟ ପରସା ଯାଇନି। ଏପରି ସମୟରେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଜମିର ଅହମ୍ମଦ ଖାନ୍‌ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ସହ ପ୍ରାଇଭେଟ୍‌ ଜେଟ୍‌ରେ ବୁଲୁଥିବାର ଭିଡିଓ ସେୟାର କରୁଛନ୍ତି।'

ଅକାଳ ମରୁଡି ଯୋଗୁ ପୂରା ରାଜ୍ୟର କୃଷକମାନେ ଛଟପଟ ହେଉଛନ୍ତି। ଚାଷ ଜମି ଉଜୁଡିବାକୁ ବସିଲାଣି। ଏଭଳି ସ୍ଥିତିରେ କର୍ଣ୍ଣାଟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ନେତାମାନେ ନିଜର ବିଳାଶପୂର୍ଣ୍ଣ ଜୀବନଶୈଳୀକୁ ଲୋକଙ୍କ ସାମ୍ନାରେ ଦେଖେଇ ହେଉଛନ୍ତି। କଂଗ୍ରେସର ମନ୍ତ୍ରୀମାନଙ୍କ ପାଇଁ କରଦାତାଙ୍କ ଟଙ୍କା ହଡପ କରିବା ବେଶ୍‌ ସଜହ ବୋଲି କହି ବିଜେପି କଂଗ୍ରେସକୁ କଡ଼ା ଭାଷାରେ ଟାର୍ଗେଟ କରିଛି।

ସେପଟେ ଲଗ୍‌ଜୁରୀ ପ୍ରାଇଭେଟ୍‌ ଜେଟ୍‌ ଯାତ୍ରା କରିବାକୁ ନେଇ ବିବାଦ ବଢ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସେ ସିଧାସଳଖ ବିଜେପି ଉପରେ ହମ୍‌ଲା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ଯାତ୍ରା କରୁଛନ୍ତି? ସେ ଯାତ୍ରା ପାଇଁ କେଉଁ ବିମାନ ବ୍ୟବହାର କରୁଛନ୍ତି? ସେ ଏତେ ବଡ଼ ବିମାନରେ ଏକୁଟଆ ଯାତ୍ରା କରୁଛନ୍ତି କି? ଯଦି ହଁ ତେବେ କାହିଁକି ଏକୁଟିଆ ଯାଉଛନ୍ତି ବୋଲି ସିଦ୍ଧରମୟା ବିଜେପିକୁ ପ୍ରଶ୍ନ କରିଛନ୍ତି।